ଘରେ ପଶି ମହିଳାଙ୍କଠାରୁ ହାର ଲୁଟ୍‌ ଘଟଣା: ୨ ଗିରଫ, ହାର ଜବତ

ବ୍ରହ୍ମପୁର ଅଫିସ,୨୭ା୮: ଘରେ ପଶି ଜଣେ ମହିଳାଙ୍କ ବେକରୁ ସୁନାହାର ଲୁଟ୍‌ ଘଟଣାରେ ବଡ଼ ବଜାର ଥାନା ପୋଲିସ ଦୁଇ ଲୁଟେରାଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଉତ୍ତରାମୁଖୀ ସାହିର ଦୁର୍ଦ୍ଦାନ୍ତ ଅପରାଧୀ ଶିବ ପଟ୍ଟନାୟକ ଓ ମାର୍ଥାସାହିର ନରସିଂହ ବାଡ଼ତ୍ୟା। ଏମାନଙ୍କ ନିକଟରୁ ପୋଲିସ ଘଟଣା ବେଳେ ବ୍ୟବହୃତ ଏକ ଖଣ୍ଡା ଓ ବାଇକ ଜବତ କରିଛି। ସେହିପରି ମହିଳାଙ୍କ ନିକଟରୁ ଲୁଟ୍‌ ହୋଇଥିବା ସୁନା ହାର ମଧ୍ୟ ଜବତ ହୋଇଥିବା ଥାନାଧିକାରୀ ପ୍ରଶାନ୍ତ ଭୂପତି ସୂଚନା ଦେଇଛନ୍ତି ।
ବଡ଼ ବଜାର ଥାନା ଅନ୍ତର୍ଗତ ଫାଷ୍ଟଗେଟ୍‌ ରଘୁପତିନଗରରେ ମିନତୀ ଦାସ(୫୪) ଓ ତାଙ୍କ ପୁଅ ରହୁଛନ୍ତି। ବୁଧବାର ସନ୍ଧ୍ୟାରେ ପୁଅ ତାଙ୍କ ଦୋକାନକୁ ଯାଇଥିବା ବେଳେ ସେ ଘରେ ଏକୁଟିଆ ଥିଲେ। ଏହି ସମୟରେ ଦୁଇଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ତାଙ୍କ ଘରେ ପଶିଥିଲେ। ଘରେ କେହି ନ ଥିବା ସୁଯୋଗ ନେଇ ଦୁର୍ବୃତ୍ତଦ୍ବୟ ଏକ ଖଣ୍ଡା ଦେଖାଇ ମିନତୀଙ୍କୁ ଭୟଭୀତ କରି ତାଙ୍କର ସୁନା ହାର ଲୁଟ୍‌ କରିଥିଲେ। ଏଥିରେ ମିନତୀ ପାଟି କରିବାରୁ ପଡ଼ିଶା ଲୋକେ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ। ଲୋକଙ୍କୁ ଦେଖି ଦୁର୍ବୃତ୍ତଦ୍ବୟ ଚମ୍ପଟ ମାରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଲୁଟେରାଙ୍କୁ ଚିହ୍ନଟ କରିବା ପରେ ବୁଧବାର ରାତିରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପୋଲିସ ଦୁଇଜଣଙ୍କୁ ଗିରଫ କରିଥିଲା। ଗୁରୁବାର କେସ ନମ୍ବର ୧୭୪/୨୦ରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ଉଭୟଙ୍କ ନାମରେ ଲୁଟ୍‌, ଡକାୟତି ଭଳି ଏକାଧିକ ସଙ୍ଗିନ ମାମଲା ରହିଥିବା ପୋଲିସ କହିଛି। ପୂର୍ବରୁ ଶିବ ପଟ୍ଟନାୟକଙ୍କୁ ଦିଗପହଣ୍ଡି ପୋଲିସ ଏକ ଲୁଟ୍‌ ଘଟଣାରେ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ନିକଟରେ ସେ ଜେଲରୁ ଜାମିନ ଆସି ପୁଣିଥରେ ଏଭଳି କାଣ୍ଡ ଘଟାଇଥିବା ପ୍ରକାଶ।