ଦମ୍ପତିଙ୍କୁ ମାରଣାସ୍ତ୍ର ଦେଖାଇ ଟଙ୍କା ଲୁଟ୍‌, ୪ ଜଣଙ୍କୁ ବାନ୍ଧିଲା ପୋଲିସ

ଛତ୍ରପୁର,୨୩ା୧୧(ଦିଲ୍ଲୀପ ସାମଲ): ମା’ ଉଜ୍ଜ୍ୱଳେଶ୍ୱରୀ ମନ୍ଦିର ନିକଟ ରାଜପଥରେ ଦମ୍ପତିଙ୍କୁ ମାରଣାସ୍ତ୍ର ଦେଖାଇ ଟଙ୍କା ଲୁଟ୍‌ କରିଥିବା ଘଟଣାରେ ୪ ଅଭିଯୁକ୍ତଙ୍କୁ ଧରିଛି ପୋଲିସ। ଅଭିଯୁକ୍ତଙ୍କଠାରୁ ଲୁଟ୍‌ ହୋଇଥିବା ଟଙ୍କା ପୋଲିସ ଏହି ଦମ୍ପତିଙ୍କୁ ଫେରାଇ ଦେଇଛି।

ପୋଲିସ କହିବା ଅନୁସାରେ, ସୋମବାର ଇଛାପୁର ଅଞ୍ଚଳର ଓ୍ବାଇ ସା ଓ ତାଙ୍କ ସ୍ବାମୀ ଓ୍ବାଇ ଉମାପତି ଏକ ସ୍କୁଟିରେ ଛତ୍ରପୁର ଆସିଥିଲେ ବ୍ୟାଙ୍କଙ୍କୁ ବନ୍ଧକ ରଖିଥିବା ସୁନା ଋଣର କିଛି ଟଙ୍କା ଦେବାକୁ, ସେତେବେଳେ ବ୍ୟାଙ୍କ ବନ୍ଦ ହୋଇଥିବାରୁ ସେମାନେ ବ୍ୟାରେକ ସାହିରେ ଥିବା ତାଙ୍କ ସମ୍ପର୍କୀୟ ଭଉଣୀ ଘରକୁ ଯାଇଥିଲେ, ପରେ ଉଭୟ ଦମ୍ପତି ସେଠାରୁ ବାହାରିଥିଲେ ଇଛାପୁର ଅଭିମୁଖେ। ଏହାର କୋଣସି ପ୍ରକାରରେ ସୂଚନା ପାଇ ମା’ ଉଜ୍ଜ୍ୱଳେଶ୍ୱରୀ ମନ୍ଦିର ନିକଟ ଜାତୀୟ ରାଜପଥରେ ଦମ୍ପତିଙ୍କୁ କିଛି ଯୁବକ ଅଟକାଇ ତାଙ୍କୁ ମାରଣାସ୍ତ୍ର ଦେଖାଇ ତାଙ୍କଠାରୁ କିଛି ଟଙ୍କା ଲୁଟ୍‌ କରି ନେଇଥିଲେ। ଏନେଇ ଉଭୟ ସ୍ବାମୀ ସ୍ତ୍ରୀ ଛତ୍ରପୁର ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଥାନାରେ ୭୮୧/୨୩ରେ ଏକ ମାମଲା ରୁଜୁ ହୋଇଥିଲା। ଛତ୍ରପୁର ଥାନାଧିକାରୀ ନିରୋଦ କୁମାର ଦାଶ ଏହାକୁ ଗୁରତ୍ୱ ନେଇ ଘଟଣାର ସରଜମିନ୍‌ ତଦନ୍ତ କରି ଏକ ପୋଲିସ ଟିମ୍‌ ଘଟଣାର ସମ୍ପୃକ୍ତ ଥିବା ୪ ଅଭିଯୁକ୍ତଙ୍କୁ ଧରିବା ସହ ସେମାନଙ୍କ ଠାରୁ ୬୫ ହଜାର ୩୦୦ ଟଙ୍କା ଏବଂ ଗୋଟିଏ ବାଇକ ଜବତ କରିଛି। ପରେ ଲୁଟ୍‌ରେ ଶିକାର ହୋଇଥିବା ଦମ୍ପତିଙ୍କୁ ଉକ୍ତ ଟଙ୍କା ଫେରାଇ ଦିଆଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି। ଗିରଫ ଅଭିଯୁକ୍ତମାନେ ଭି. କ୍ରିଷନକାନ୍ତ, କୃଷ୍ଣ ପୁରୋହିତ, ଏମ୍‌ ଶେଖର ଓ ବିବେକାନନ୍ଦ ପ୍ରଧାନ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଏଥିରୁ ତିନିଜଣ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଆଉଜଣେ ଅଭିଯୁକ୍ତ ଘଟଣାର ମାଷ୍ଟରମାଇଣ୍ଡ ଥିଲେ ବୋଲି ମଧ୍ୟ ପୋଲିସ କହିଛି।