Categories: ବୌଦ୍ଧ

ଲୋକନାଥ ହତ୍ୟାକାଣ୍ଡ: ୩ ଗିରଫ

କଣ୍ଟାମାଳ,୨୮ା୭(ଡି.ଏନ.ଏ.)
ବୌଦ୍ଧ ଜିଲା ଭାଜପା ଯୁବମୋର୍ଚ୍ଚା ସମ୍ପାଦକ ଲୋକନାଥ ପ୍ରଧାନ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୋଗରେ ମଙ୍ଗଳବାର ୩ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି ା ଅଭିଯୁକ୍ତମାନେ ହେଲେ ଲିଙ୍ଗରାଜ ବଗର୍ତ୍ତି, ଜ୍ୟୋତିର୍ମୟ ଦଳାଇ ଓ ସତ୍ୟ ନାରାୟଣ ପ୍ରଧାନ ା କଣ୍ଟାମାଳ ଥାନା ଘଣ୍ଟାପଡା ଫାଣ୍ଡି ଅନ୍ତର୍ଗତ ସିଆଲଝୁଲି ଗ୍ରାମର ଯୁବନେତା ଲୋକନାଥଙ୍କୁ ଗତ ୨୪ ତାରିଖ ରାତି ପ୍ରାୟ ୮ଟାରେ ଦୁର୍ବୃତ୍ତମାନେ ଡାକି ନେଇ ହତ୍ୟା କରିଥିଲେ ା ପୋଲିସ ସୂଚନା ଅନୁସାରେ ଗତ ପଞ୍ଚାୟତ ନିର୍ବାଚନ ବେଳେ ଲୋକନାଥ ସମିତି ସଭ୍ୟ ଭାବେ ପ୍ରତିଦ୍ୱନ୍ଦ୍ୱିତା କରି ପରାଜିତ ହୋଇଥିଲେ ା ସେ ଅଭିଯୁକ୍ତ ଲିଙ୍ଗରାଜଙ୍କଠାରୁ ନିର୍ବାଚନ ସମୟରେ କିଛି ଟଙ୍କା ଧାର ନେଇଥିଲେ ା ତାହା ଫେରାଇ ପାରି ନ ଥିବାରୁ ଏହାକୁ ନେଇ ତାଙ୍କୁ ହତ୍ୟା କରାଯାଇଥିଲା ା ଅପରପକ୍ଷରେ ମଙ୍ଗଳବାର ଭାଜପା ରାଜ୍ୟ ସାଧାରଣ ସମ୍ପାଦକ ରବି ନାରାୟଣ ନାୟକ, ରାଜ୍ୟ ଉପସଭାପତି ନାଉରୀ ନାଏକ ପ୍ରମୁଖ ଲୋକନାଥଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ବୌଦ୍ଧ ଏସପିଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ା ଏହି ହତ୍ୟାକାଣ୍ଡରେ ସ୍ଥାନୀୟ ଅଞ୍ଚଳର ଦୁଇ ଲୋକ ପ୍ରତିନିଧିଙ୍କ ସମ୍ପର୍କୀୟ ସମ୍ପୃକ୍ତ ଥିବା ଦଳ ପକ୍ଷରୁ ଅଭିଯୋଗ କରାଯାଇ ଘଟଣା ନିରପେକ୍ଷ ତଦନ୍ତ ଦାବି କରାଯାଇଛି ା