Categories: ଖେଳ

ଲୋକେଶ ରାହୁଲ ଆପେଣ୍ଡିସାଇଟ୍ସରେ ପୀଡ଼ିତ

ଅହମଦାବାଦ, ୩ା୫ (ପି.ଟି.)- ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଲୋକେଶ ରାହୁଲଙ୍କୁ ଆପେଣ୍ଡିସାଇଟ୍ସରେ ପୀଡ଼ିତ ହୋଇଛନ୍ତି। ଅସ୍ତ୍ରୋପଚାର ପାଇଁ ସେ ବିମାନ ଯୋଗେ ବମ୍ବେ ଗସ୍ତ କରିଛନ୍ତି। ଅତିକମ୍‌ରେ ସେ ଦୁଇ ସପ୍ତାହ ଖେଳରୁ ଦୂରେଇ ରହିବେ, ଏପରିକି ଟୁର୍ନାମେଣ୍ଟରୁ ଓହରିଯାଇପାରନ୍ତି। ତାଙ୍କ ସ୍ଥାନରେ ମୟଙ୍କ ଅଗ୍ରଓ୍ବାଲ ରବିବାରଠାରୁ ଦଳର କାମଚଳା ଅଧିନାୟକ ଦାୟିତ୍ୱ ଗ୍ରହଣ କରିଛନ୍ତି। ଶନିବାର ରାତିରେ ରାହୁଲ ତାଙ୍କ ତଳିପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ। ଡାକ୍ତରୀ ପରୀକ୍ଷା ପରେ ସେ ଆପେଣ୍ଡିସାଇଟ୍ସରେ ପୀଡ଼ିତ ଥିବା ଜଣାପଡ଼ିଥିଲା। ଆସ୍ତ୍ରୋପଚାର ପାଇଁ ସେ ମୁମ୍ବାଇସ୍ଥିତ ବ୍ରିିଚ୍‌କାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଅସ୍ତ୍ରୋପଚାର ପରେ ତାଙ୍କୁ ଏକ ଜୈବ ସୁରକ୍ଷିତ ପରିବେଶରେ ରଖାଯିବ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସୂତ୍ରରୁ ପ୍ରକାଶ। ରାହୁଲଙ୍କ ଅନୁପସ୍ଥିତି ପଞ୍ଜାବ କିଙ୍ଗ୍ସ ପାଇଁ ଶକ୍ତ ଧକ୍କା ସଦୃଶ ହୋଇଛି। ଚଳିତ ଆଇପିଏଲ୍‌ରେ ସେ ୬୬.୨୦ ଆଭରେଜରେ ଇତିମଧ୍ୟରେ ୩୩୧ ରନ ସଂଗ୍ରହ କରିସାରିଛନ୍ତି। ତାଙ୍କ ସାଥୀ ତଥା କର୍ନାଟକ ଟିମ୍‌ମେଟ୍‌ ମୟଙ୍କ ଅଗ୍ରଓ୍ବାଲ ଅତିକମ୍‌ରେ ପରବର୍ତ୍ତୀ ୩ଟି ଗେମ୍‌ ପାଇଁ ଦଳର ନେତୃତ୍ୱ ନେବେ। ସୂଚନାଯୋଗ୍ୟ, ଅଗ୍ରଓ୍ବାଲ କୋଲକାତା ନାଇଟ୍‌ ରାଇଡର୍ସ ବିପକ୍ଷ ମ୍ୟାଚରେ ଆଘାତପ୍ରାପ୍ତ ହୋଇଥିଲେ। ଏଥିପାଇଁ ସେ ତାଙ୍କ ଦଳର ଗତ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚ ଖେଳିପାରି ନ ଥିଲେ। ବର୍ତ୍ତମାନ କିନ୍ତୁ ସେ ସମ୍ପୂର୍ଣ୍ଣ ଫିଟ୍‌ ଅଛନ୍ତି।

Share