ଲାଇସେନ୍ସ ଅବଧି ସରିବା ପରେ ବି ଚାଲିଛି ଲୋଡିଂ

କେନ୍ଦୁଝର, ୧୪।୯ (ସ୍ବ.ପ୍ର.): ଲାଇସେନ୍ସ ଅବଧି ସରିବା ପରେ ମଧ୍ୟ ଝୁମ୍ପୁରା ବ୍ଲକ ନୟାଗଡ଼ ରେଳ ସାଇଡିଂରେ ଲୋଡିଂ କାମ ଚାଲିଛି। ଏଭଳି ଅଭିଯୋଗ ଆସିବା ପରେ ଯୋଡ଼ା ଖଣି ଉପନିର୍ଦ୍ଦେଶକଙ୍କ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି।
ପ୍ରକାଶ ଯେ, ନୟାଗଡ଼ ରେଳ ସାଇଡିଂରେ ୪ଟି ସଂସ୍ଥା ଖଣିଜ ପଥର, ପିଲେଟ ଆଦି ଲୋଡିଂ କାମ କରୁଛନ୍ତି। ସେଥିମଧ୍ୟରୁ ମୃତ୍ୟୁଞ୍ଜୟ ଏଣ୍ଟରପ୍ରାଇର୍ଜସ ନାମକ ଏକ ସଂସ୍ଥା ଲୁହା ଓ ମାଙ୍ଗାନିଜ ଲୋଡିଂ ପାଇଁ ଲାଇସେନ୍ସ ପାଇଛନ୍ତି। ଲାଇସେନ୍ସ (ନଂ. ୨୫୧୯) ଦୁଇବର୍ଷ ପାଇଁ ରେଳ ସାଇଡିଂରେ ଲୋଡିଂ କାମ କରିବାକୁ ଦିଆଯାଇଥିବା ବେଳେ ଏହାର ଅବଧି ଚଳିତ ବର୍ଷ ଅଗଷ୍ଟ ୧୨ ପର୍ଯ୍ୟନ୍ତ ଥିଲା। ଅବଧି ସରି ଯାଇଥିଲେ ମଧ୍ୟ ଏହି ସଂସ୍ଥା ମାସେ ହେଲା ଉକ୍ତ ସାଇଡିଂରେ କିଭଳି ଏସେଲ କମ୍ପାନୀର ଲୋଡିଂ କାମ କରୁଛି ତାହାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି। ତେବେ ଲାଇସେନ୍ସ ନବୀକରଣ ନ ହୋଇ କିପରି ଲୋଡିଂ ପାଇଁ ରେଳ ସାଇଡିଂ କର୍ତ୍ତୃପକ୍ଷ ଅନୁମତି ଦେଉଛନ୍ତି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଣୁ ଏହାର ତଦନ୍ତ ପାଇଁ ଦାବି ହେଉଛି।
ଯୋଡ଼ା ଖଣି ଉପନିର୍ଦ୍ଦେଶକ ଦିନେଶ ଅଗ୍ରଓ୍ବାଲ କାଗଜପତ୍ର ଦେଖିବା ପରେ କିଛି କହିପାରିବେ ବୋଲି ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ଏହାକୁ ନେଇ ଏସେଲ ମାଇନିଂ ବରିଷ୍ଠ ଅଧିକାରୀ ଓମ୍‌ ପ୍ରକାଶ ସେନାପତି କହିଛନ୍ତି, ସେଭଳି ଅନିୟମିତତା ହୋଇନାହିଁ। ତାଙ୍କର ପିଲେଟ ରେଳ ଦେଇ ଯାଇଥାଏ। ଏଣୁ ପିଲେଟ ପାଇଁ ଲୋଡିଂ ଲାଇସେନ୍ସ ଆବଶ୍ୟକତା ନାହିଁ। ତେବେ ଉକ୍ତ ସଂସ୍ଥା ନବୀକରଣ ପାଇଁ ଆବେଦନ କରିଛି। କେଉଁ ଗାଡ଼ି ସାଇଡିଂକୁ ଯାଇପାରିବ ତାହାର ସୂଚନା ଲାଇସେନ୍ସରେ ଥାଏ। ସେହି ଅନୁସାରେ ରେଳ ବିଭାଗ ଉକ୍ତ ଗାଡ଼ିଗୁଡ଼ିକୁ ସାଇଡିଂକୁ ଛାଡ଼ିଥାନ୍ତି। ସାଧାରଣତଃ ଖଣି ବିଭାଗ ଲାଇସେନ୍ସରେ ସମସ୍ତ କାଗଜପତ୍ର ଯାଞ୍ଚ କରି ଗାଡ଼ିଗୁଡ଼ିକର ନମ୍ବର ଉଲ୍ଲେଖ କରିଥାଏ। ଏବେ ଲାଇସେନ୍ସ ନ ଥିବା ବେଳେ ପିଲେଟ ଲୋଡ୍‌ କରି ଆସୁଥିବା ଗାଡ଼ିଗୁଡ଼ିକୁ କିଏ ଚିହ୍ନଟ କରିବ ବା ସେସବୁ ଗାଡ଼ିର ବୈଧତା କିଏ ପ୍ରମାଣ କରିବ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଣୁ ଦୀର୍ଘ ମାସ ହେଲା ଚାଲିଆସୁଥିବା ଏହି କାମର ଉଚ୍ଚସ୍ତରୀୟ ତଦନ୍ତ ହେଲେ ବହୁ ଘଟଣା ପଦାକୁ ଆସିପାରିବ ବୋଲି ମତପ୍ରକାଶ ପାଉଛି।