Categories: ଅପରାଧ

ପ୍ରେମିକ ସହ ଆପତ୍ତିଜନକ ଅବସ୍ଥାରେ ଧରାପଡ଼ିବା ପରେ ଶ୍ୱଶୁରକୁ ହତ୍ୟା କଲା ସାନ ବୋହୂ

ବାଗପତ୍‌, ୨୧।୧୦: ଉତ୍ତର ପ୍ରଦେଶ ବାଗପତ୍‌ ଜିଲାରେ ଅକ୍ଟୋବର ୯ରେ ଘଟିଥିବା ଜଣେ ବୃଦ୍ଧଙ୍କ ହତ୍ୟା ମାମଲାରେ ପୋଲିସ ଚଳିତ କଲା ଭଳି ଖୁଲାସା କରିଛି। ପୋଲିସର ସୂଚନା ଅନୁଯାୟୀ, ବୃଦ୍ଧଙ୍କ ହତ୍ୟା ଆଉ କେହି ନୁହେଁ ବରଂ ତାଙ୍କ ସାନ ବୋହୂ ନିଜ ପ୍ରେମିକ ସହ ମିଶି କରିଛି। ବୃଦ୍ଧଜଣଙ୍କ ବୋହୂ ଓ ତା’ର ପ୍ରେମିକକୁ ଆପତ୍ତିଜନକ ଅବସ୍ଥାରେ ଦେଖି ଦେଇଥିଲେ। ତେବେ ଘଟଣା ପ୍ରଘଟ ହୋଇଯିବା ଭୟରେ ପ୍ରେମିକ ସହ ମିଶି ବୋହୂ ନିଜ ଶ୍ୱଶୁରକୁ ହତ୍ୟା କରିଥିଲା। ପୋଲିସ ଏହି ଘଟଣାରେ ବୋହୂ ସମେତ ତାଙ୍କ ପ୍ରେମିକକୁ ଗିରଫ କରିଛି।
ଏହି ଘଟଣା ଗତ ୯ରେ ଖେକଡ଼ା ଥାନା ଅଞ୍ଚଳରେ ଘଟିଥିଲା। ସୁଖବୀର ନାମକ ଜଣେ ବୃଦ୍ଧଙ୍କୁ କେହି ଗୁଳି କରି ମାରି ଦେଇଥିଲେ। ଏନେଇ ପରିବାର ପକ୍ଷରୁ ପୋଲିସ ନିକଟରେ ଅଭିଯୋଗ ହୋଇଥିଲା। ଏହି ଘଟଣାର ତଦନ୍ତ କରୁ୍‌ଥିବାବେଳେ ପୋଲିସକୁ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିଲା। ଘଟଣା ଘଟିବା ଦିନ ରାତିରେ ସୁଖବୀରଙ୍କ ଘର ପାଖରେ ରାଜୀବ ନାମକ ଜଣେ ଟେଲରଙ୍କୁ ଲୋକ ଦେଖିଥିଲେ। ଯେତେବେଳେ ପୋଲିସ ରାଜୀବକୁ ପଚରାଉଚରା କରିଥିଲା ଜାଣିବାକୁ ପାଇଲା, ସୁଖବୀରଙ୍କ ସାନ ବୋହୂ ଜ୍ୟୋତି ସହ ତା’ର ପ୍ରେମ ସମ୍ପର୍କ ରହିଛି। ରାଜୀବ ମଧ୍ୟ ପୋଲିସ ସାମ୍ନାରେ ନିଜ ଦୋଷ ସ୍ବୀକାର କରିନେଇଥିଲା। ଘଟଣା ଦିନ ରାତିରେ ଭେଟିବା ଲାଗି ଜ୍ୟୋତିକୁ ରାଜୀବ ବିଲକୁ ଡାକିଥିଲା। ଏହି ସମୟରେ ସୁଖବୀର ବିଲରେ ପହଞ୍ଚି ବୋହୂ ଓ ରାଜୀବଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖି ଦେଇଥିଲେ। ତେବେ ଅପବାଦ ଭୟରେ ଉଭୟ ସୁଖବୀରଙ୍କୁ ହତ୍ୟା କରିଥିଲେ।