ଦାରିଙ୍ଗବାଡି, ୨୯।୫ (ଅରୁଣ ସାହୁ):କନ୍ଧମାଳ ଜିଲାରେ ଶିଳ୍ପ ନ ଥିଲେ ମଧ୍ୟ ବହୁ ଛାତ୍ରୀଛାତ୍ର ଏବେ ନିଜ ଦକ୍ଷତା ବୃଦ୍ଧି ଓ ସ୍ବରୋଜଗାର ପାଇଁ ସରକାରୀ ଆଇଟିଆଇରେ ପାଠ ପଢିବାକୁ ପସନ୍ଦ କରୁଛନ୍ତି। ଏହି ଶିକ୍ଷା ମାଧ୍ୟମରେ ଛାତ୍ରୀଛାତ୍ର ଶୀଘ୍ର ସ୍ବାବଲମ୍ବୀ ହୋଇ ସ୍ବରୋଜଗାର ପାଇଁ ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନରେ ନିଯୁକ୍ତି ପାଇବାର ସୁଯୋଗ ରହୁଥିବାରୁ ଏହି ଶିକ୍ଷା ପ୍ରତି ଆଗ୍ରହ ବୃଦ୍ଧି ପାଉଛି। କିନ୍ତୁ ଦାରିଙ୍ଗବାଡିରେ ରହିଥିବା ସରକାରୀ ଆଇଟିଆଇରେ ସୀମିତ ସିଟ ସଂଖ୍ୟା ରହିଥିବାରୁ ବହୁ ଛାତ୍ରୀଛାତ୍ର ଏହି ଶିକ୍ଷପ୍ରତି ଆଗ୍ରହ ରହିଥିଲେ ମଧ୍ୟ ନାମ ଲେଖାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି।
ପ୍ରକାଶ ଯେ, ଗତ ୨୦୨୧ରେ ଏହି ଆଇଟିଆଇ ସ୍ଥାପନ ହୋଇଥିଲା ସେହି ସମୟଠାରୁ ୪ଟି ଟ୍ରେଡ଼ରେ ମାତ୍ର ୧ ଶହ ୧୨ ଟି ସିଟ ସଂଖ୍ୟା ରହିଥିବାବେଳେ ଏହାର ଚାହିଦା ବୃଦ୍ଧି ହୋଇଥିଲେ ମଧ୍ୟ ଆଇଟିଆଇ ସ୍ଥାପନ ହେବାର ଇତି ମଧ୍ୟରେ ୫ ବର୍ଷ ବିତିସାରିଥିଲେ ମଧ୍ୟ ସିଟ ସଂଖ୍ୟା ବୃଦ୍ଧି ନେଇ ସରକାର କୌଣସି ପଦକ୍ଷେପ ନେଉ ନ ଥିବା ଯୋଗୁ ଛାତ୍ରୀଛାତ୍ର ଏହି ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ଏଠାରେ ଶିକ୍ଷା ପାଇବା ପାଇଁ ଇଚ୍ଛା ପ୍ରକାଶ କରୁଥିବା ନିଜ ବ୍ଲକ ଓ ଜିଲାର ଅନ୍ୟ ବ୍ଲକରୁ ୧ ହଜାର ୪ ଶହ ୩୮ ଛାତ୍ରୀଛାତ୍ର ଦାରିଙ୍ଗବାଡି ଆଇଟିଆଇକୁ ବୁଲି ପଚରାଉଚରା କରି ଫେରିଥିବା ଆଇଟିଆଇର ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନ କହିଛନ୍ତି।
ସେହିପରି ସେ କହିଛନ୍ତି ଯେ, ଉକ୍ତ ବ୍ଲକ ସମେତ ଅନ୍ୟ ବ୍ଲକର ୫ଟି ସରକାରୀ ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗ ବିଭାଗ ଏବଂ ଶିକ୍ଷା ବିଭାଗର ଉଚ୍ଚ ବିଦ୍ୟାଳୟର ପିଲାଙ୍କ କ୍ୟାରିୟର କାଉନସେଲିଂ କରାଯାଇଥିବା କହିଛନ୍ତି। ତେବେ ସିଟ ସଂଖ୍ୟା ସିମିତ କାରଣରୁ ଛାତ୍ରୀଛାତ୍ର ନାମ ଲେଖାଇବାରେ ଅସମର୍ଥ ହେଉଥିବା ଜଣାପଡିଛି।
ସୂଚନାଯୋଗ୍ୟ ଯେ, ଆଇଟିଆଇ ସ୍ଥାପନ ହେବାର ୫ ବର୍ଷ ମଧ୍ୟରେ ୬୫ ଛାତ୍ରୀଛାତ୍ରଙ୍କୁ ବିଭିନ୍ନ ଶିଳ୍ପାନୁଷ୍ଠାନରେ ନିଯୁକ୍ତି ମିଳିଛି ସେମାନଙ୍କ ମଧ୍ୟରୁ ଜଣେ ଛାତ୍ରୀ ଏବେ ବିଦେଶ ରେ ନିଯୁକ୍ତି ପାଇଥିବା ଆଇଟିଆଇ ସୂତ୍ର ରୁ ସୂଚନା ମିଳିଛି। ଆଇଟିଆଇରେ ୪ଟି ଟ୍ରେଡ଼ ମଧ୍ୟରେ ଇଲେକ୍ଟ୍ରିସିଆନରେ ୨୦ଟି ସିଟ ରହିଥିବାବେଳେ ଫିଟର ୨୦, ରେଫ୍ରିଜେଟର ଏବଂ ଏୟାର କଣ୍ଡିସନର ୨୪ ଏବଂ କମ୍ପ୍ୟୁଟର ଅପରେଟର ଏବଂ ପ୍ରୋଗ୍ରାମିଂ ୪୮ଟି ସିଟ ରହିଛି, ଯାହାକି ଏହାର ସିଟ ବୃଦ୍ଧି ପାଇଁ ଅଭିଭାବକ ମହଲରେ ଦାବି ଉଠୁଛି।