ପାଟଣା,୩୦ା୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମଲ୍ଲିପୋଷି ଅଙ୍ଗନୱାଡ଼ି କେନ୍ଦ୍ରରେ ବୈଠକ ଚାଲିଥିବା ବେଳେ ବଜ୍ରପାତ ହୋଇଛି । ଶନିବାର ୨୩ ଜଣ ଅଙ୍ଗନୱାଡ଼ି କର୍ମୀ ଓ ହେଲ୍ପରଙ୍କୁ ନେଇ ସେକ୍ଟର ମିଟିଂ ଚାଲିଥିବା ବେଳେ ଅପରାହ୍ନରେ ବଜ୍ରପାତ ହୋଇଥିଲା । ଏଥିରେ ଜଣେ ଗୁରୁତର ହୋଇଥିବା ବେଳେ ୯ ଜଣ ଆହତ ହୋଇ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ ।
ସେକ୍ଟର ମିଟିଂ ସୁପରଭାଇଜର ସନ୍ତାପୀ ମହାନ୍ତଙ୍କ ତତ୍ତ୍ୱାବଧାନରେ ଚାଲିଥିଲା। ବଜ୍ରପାତ ପରେ ଆହତମାନଙ୍କୁ ତୁରନ୍ତ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ୮ ଜଣ ଚିକିତ୍ସିତ ହୋଇ ଘରକୁ ଫେରିଥିବା ବେଳେ ମୂଷାଖୋରୀ ସି-ସେଣ୍ଟରର ଅଙ୍ଗନୱାଡ଼ି କର୍ମୀ ପ୍ରଜ୍ଞାସ୍ମିତା ମୁର୍ମୁ. ଖମୁଆଁ ‘ଏ’ ଅଙ୍ଗନବାଡ଼ି କର୍ମୀ ପୂର୍ଣ୍ଣମୀ ମହାନ୍ତ ରହିଛନ୍ତି । ବଜ୍ରପାତରେ ଯମୁନା ଦାସଙ୍କ ହାତ ପୋଡ଼ିଯାଇଥିବା ବେଳେ ପୂର୍ଣ୍ଣମୀ ମହାନ୍ତଙ୍କ ହାତରେ ଆଘାତ ଲାଗିଛି । ଘଟଣା ପରେ ସମସ୍ତ ଆହତଙ୍କୁ ତୁରନ୍ତ ପାଟଣା ମେଡିକାଲକୁ ନିଆଯାଇଥିଲା। ଗୁରୁତର ଦୁଇ କର୍ମୀଙ୍କ ଚିକିତ୍ସା ଜାରି ରହିଛି । ସୁପରଭାଇଜର ସନ୍ତାପୀ ମହାନ୍ତ ମଧ୍ୟ ଚିକିତ୍ସିତ ହେଉଥିବା ସୂଚନା ରହିଛି ।
ଆହତମାନଙ୍କ ମଧ୍ୟରେ ଅଙ୍ଗନୱାଡ଼ି କର୍ମୀ ସୁକୁମାରୀ ମହାନ୍ତ, ବିଷ୍ଣୁପ୍ରିୟା ବେଜ, ମିନତି ନାଏକ, ପୂର୍ଣ୍ଣମୀ ମହାନ୍ତ, ଦ୍ରୌପଦୀ ମୁର୍ମୁ, ଦ୍ରୌପଦୀ ମୁଣ୍ଡା, ଗୋଦାବରୀ ତରେଇ ଓ ଲଳିତ ସିଂ ପ୍ରମୁଖ ରହିଛନ୍ତି। ଚିକିତ୍ସା କରିଥିବା ଡାକ୍ତର ରାଧାମୋହନ ସାହୁଙ୍କ ସୂଚନା ଅନୁଯାୟୀ, ୮ ଜଣ ଚିକିତ୍ସିତ ହୋଇ ଘରକୁ ଫେରିଥିବା ବେଳେ ୨ ଜଣ ଏବେ ମଧ୍ୟ ଚିକିତ୍ସାଧୀନ ଅଛନ୍ତି ।