ଜୀବନ ଓ ଜଗନ୍ନାଥ

ଜୀବନ ଜିଇବା ପାଇଁ ସୃଷ୍ଟିରେ ଅନେକ ଶିକ୍ଷଣୀୟ ତତ୍ତ୍ୱ ରହିଛି। ପ୍ରତ୍ୟକ୍ଷ ଏବଂ ପରୋକ୍ଷ ରୂପରେ ସମାଜ ଆମକୁ ଅନେକ କିଛି ଶିଖାଇଥାଏ। ସେଥିପାଇଁ ବିଶ୍ୱର ପ୍ରତିଟି ସୃଷ୍ଟି ସ୍ବତନ୍ତ୍ର ଉଦ୍ଦେଶ୍ୟମୂଳକ। ଯେମିତି ଭଗବାନ୍‌ ଶ୍ରୀଜଗନ୍ନାଥଙ୍କର ଆବିର୍ଭାବ ଏବଂ ଦୈନନ୍ଦିନ ରୀତିନୀତି ମାନବୀୟ ଜୀବନର ଏକ ପ୍ରମୁଖ ମାର୍ଗଦର୍ଶକ। ଶ୍ରୀଜଗନ୍ନାଥ ମାନବୀୟ ଲୀଳା କରିବା ପାଇଁ ଶ୍ରୀମନ୍ଦିରରେ ବିରାଜମାନ କରିଛନ୍ତି। ତେଣୁ ଶାସ୍ତ୍ରରେ କୁହାଯାଇଛି – ଶ୍ରୀଶୋ ମାନୁଷ ଲୀଳୟା। ମାନବୀୟ ଲୀଳା କହିଲେ ମନୁଷ୍ୟମାନଙ୍କର ଦୈନନ୍ଦିନ ବ୍ୟବହାର ଭଳି ଶ୍ରୀଜଗନ୍ନାଥଙ୍କର ଦୈନନ୍ଦିନ ରୀତିନୀତିକୁ ବୁଝାଏ। ବର୍ତ୍ତମାନର ବିଜ୍ଞାନ ଏବଂ ମେଡିକାଲ ସାଇନ୍ସର କିଛି ତତ୍ତ୍ୱ କେମିତି ଶ୍ରୀଜଗନ୍ନାଥଙ୍କ ଦୈନନ୍ଦିନ ରୀତିନୀତିରେ ସହସ୍ର ସହସ୍ର ବର୍ଷ ଧରି ପ୍ରଚଳିତ ଅଛି ତାହା ଆଶ୍ଚର୍ଯ୍ୟ ଲାଗେ। ମହାପ୍ରଭୁ ସର୍ବଦା ବ୍ରାହ୍ମ ମୁହୂର୍ତ୍ତରେ ଅର୍ଥାତ୍‌ ସୂର୍ଯ୍ୟୋଦୟ ସମୟରେ ନିଦ୍ରା ତ୍ୟାଗ କରନ୍ତି। ଏହାପରେ ମଙ୍ଗଳ ଆଳତି,ଅବକାଶ,ତଡ଼ପଲାଗି ଏବଂ ଗୋପାଳ ବଲ୍ଲଭ ହୁଏ। ସୂର୍ଯ୍ୟପୂଜା ଶ୍ରୀମନ୍ଦିରର ଏକ ଦୈନନ୍ଦିନ ନୀତି। ଏହି ସମସ୍ତ ପ୍ରାତଃକାଳୀନ ନୀତି ଆମର ଶରୀର ବିଜ୍ଞାନ ସହ ଜଡ଼ିତ, ଯେଉଁ ପ୍ରଣାଳୀକୁ ଡାକ୍ତରମାନେ ଉପଦେଶ ଦିଅନ୍ତି। ରାତିରେ ଶୀଘ୍ର ନିଦ୍ରା ଯାଇ ସକାଳେ ଶୀଘ୍ର ଶଯ୍ୟା ତ୍ୟାଗ କରିବା ପାଇଁ ଡାକ୍ତର ଉପଦେଶ ଦିଅନ୍ତି। ଶ୍ରୀମନ୍ଦିରର ପରମ୍ପରାରେ ରାତ୍ରି ଦଶଟା ଭିତରେ ପହଡ଼ ପଡ଼ି ମହାପ୍ରଭୁ ନିଦ୍ରା ଯାଆନ୍ତି। ଯଦ୍ୟପି ଭକ୍ତଙ୍କ ଭିଡ଼କୁ ଦେଖି ନୀତିକାନ୍ତିରେ ବେଳେବେଳେ ସମୟ ଅନୁପାଳନ କରାଯାଇପାରୁନାହିଁ କିନ୍ତୁ ଶ୍ରୀମନ୍ଦିରର ନିୟମ ସର୍ବଦା ମାନବର ଜୀବନଶୈଳୀକୁ ଶୃଙ୍ଖଳିତ କରିବାର ଉପଦେଶ ଦିଏ। ପ୍ରାତଃ ଅବକାଶ ସମୟରେ ମୁତୁରୀ ଦାନ୍ତକାଠିରେ ଦାନ୍ତ ଘଷନ୍ତି ମହାପ୍ରଭୁ। ଦାନ୍ତକାଠି ଦାନ୍ତକୁ ଯେତିକି ଶକ୍ତ ରଖେ ବୃକ୍ଷ ରସର ପ୍ରଭାବ ଦାନ୍ତକୁ ସେତିକି ସୁସ୍ଥ ରଖେ। ତା’ପରେ ଶ୍ରୀବିଗ୍ରହଙ୍କର ଦର୍ପଣ ସ୍ନାନ ହୁଏ। ଏହା ମାନବକୁ ପ୍ରାତଃ ସ୍ନାନ ପାଇଁ ଉପଦେଶ ଦିଏ। ସୂର୍ଯ୍ୟପୂଜାରୁ ଆମେ ସୂର୍ଯ୍ୟ ନମସ୍କାର, ଯୋଗ ଏବଂ ଧ୍ୟାନ ଇତ୍ୟାଦିର ଉପଦେଶ ପାଉ। ଡାକ୍ତରୀ ବିଦ୍ୟା କୁହେ, ସୂର୍ଯ୍ୟଙ୍କଠାରୁ ମାନବ ଅତ୍ୟନ୍ତ ଉପାଦେୟ ଭିଟାମିନ୍‌ ପାଇଥାଏ ଯାହା ଶରୀରକୁ ସୁସ୍ଥ ରଖେ। ତେଣୁ ପ୍ରତିଦିନ ସୂର୍ଯ୍ୟୋଦୟ ରଶ୍ମି ଶରୀରରେ ପଡ଼ିବାପାଇଁ ଉପଦେଶ ରହିଛି।
ମହାପ୍ରଭୁଙ୍କୁ ସକାଳୁ ସକାଳୁ ଗୋପାଳ ବଲ୍ଲଭ ପ୍ରସାଦ ଭୋଗ ହୁଏ। ସେଥିରେ ସୁଜିନିର୍ମିତ ପ୍ରସାଦ, ଫଳ, ଖଇକୋରା ଇତ୍ୟାଦି ପ୍ରସାଦ ଲାଗେ। ଏହାକୁ ମାନବୀୟ ଭାଷାରେ ଜଳଖିଆ କହୁ। ପ୍ରତିଦିନ ଜଳଖିଆ ଦୀର୍ଘ ସମୟର ବ୍ୟବଧାନରେ ଖିଆଯାଉଥିବାରୁ ଖୁବ୍‌ ଗୁରୁତ୍ୱ ବହନକରେ। ଡାକ୍ତରମାନେ କୁହନ୍ତି, ଏକା ସାଙ୍ଗରେ ଭୋଜନ ନ କରି ଅଳ୍ପ ଅଳ୍ପ କରି ଦିନରେ ବାରମ୍ବାର ଭୋଜନ କରାଯିବ ଏବଂ ବିବିଧ ପୁଷ୍ଟିକର ଖାଦ୍ୟ ଗ୍ରହଣ କରାଯିବ। ଶ୍ରୀଜଗନ୍ନାଥଙ୍କର ବଲ୍ଲଭ, ସକାଳ ଧୂପ, ମଧ୍ୟାହ୍ନ ଧୂପ, ଭଣ୍ଡ, ସା ଧୂପ, ବଡ଼ ସିଂହାର ଇତ୍ୟାଦି କ୍ରମରେ ଦିନରେ ଅନେକ ଥର ଭୋଜନ ବ୍ୟବସ୍ଥା ଏହାକୁ ହିଁ ସୂଚାଇଥାଏ। ସା ଧୂପ ପରେ ରାତ୍ରିରେ ବଡ଼ସିଂହାରରେ ମହାପ୍ରଭୁ ଅଳ୍ପ ପ୍ରସାଦ ଗ୍ରହଣ କରନ୍ତି। ରାତ୍ରିଭୋଜନ ସ୍ବଳ୍ପ ହେବା ଉଚିତ୍‌। ଏହାଦ୍ୱାରା ହଜମ ପ୍ରକ୍ରିୟା ଉପରେ ଚାପ ପଡ଼ିବନାହିଁ ଏବଂ ଶରୀରର ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ବିଶ୍ରାମ ନେବାରେ ସମସ୍ୟା ହେବନାହିଁ। ତେଲ, ମସଲା, ରାଗ, ମିଠା, ଲୁଣ ଇତ୍ୟାଦି ବର୍ତ୍ତମାନ ମାନବ ପାଇଁ ବିଷ ତୁଲ୍ୟ। ଶାରୀରିକ ସୁସ୍ଥତା ଏବଂ ମାନସିକ ସୁସ୍ଥତା ପାଇଁ ମେଡିକାଲ ସାଇନ୍ସ ଏ ସବୁର ନିୟନ୍ତ୍ରିତ ବ୍ୟବହାର ପାଇଁ ଉପଦେଶ ଦିଏ; ଯାହା ଶ୍ରୀଜଗନ୍ନାଥ ମନ୍ଦିରରେ ସର୍ବଦା ଅନୁପାଳନୀୟ। ଶ୍ରୀମନ୍ଦିର ପ୍ରସାଦ ନିର୍ମାଣରେ ଲଙ୍କା, ତେଲ, କ୍ଷତିକାରକ ମସଲା, ଚିନି, ଆଳୁ ଇତ୍ୟାଦି ବ୍ୟବହାର ହୁଏନାହିଁ। ଲୁଣ ସ୍ଥାନରେ ପୂର୍ବରୁ ସୈନ୍ଧବ ଲବଣ ବ୍ୟବହୃତ ଥିଲା। କ୍ଷୀର, ଗୁଡ଼, ଘିଅ, ଦହି, ଗୋଲମରିଚ, ଜିରା, ସୋରିଷ, ନବାତ, ଲହୁଣି, ଅଦା ଇତ୍ୟାଦି ସ୍ବାସ୍ଥ୍ୟକର ଦ୍ରବ୍ୟରେ ଶ୍ରୀମନ୍ଦିର ରୋଷଶାଳ ତଥା ରୀତିନୀତି ପରିଚାଳିତ।
ଶ୍ରୀମନ୍ଦିର ରୋଷେଇରେ କୂପଜଳ ଏବଂ ମାଟିପାତ୍ର ହିଁ ବ୍ୟବହାର ହୁଏ। ପିତ୍ତଳ, ରୌପ୍ୟ ତଥା ପ୍ରସ୍ତର ପ୍ରଭୃତି ବ୍ୟବହାର ବ୍ୟତୀତ ପ୍ଲାଷ୍ଟିକ୍‌ ଇତ୍ୟାଦିର ବ୍ୟବହାର ଶ୍ରୀମନ୍ଦିରରେ ହୁଏ ନାହିଁ। ଏହା ବ୍ୟଞ୍ଜନକୁ ଶୁଦ୍ଧ ରଖେ ଏବଂ ଶରୀରରେ ବିବିଧ ରୋଗର ପ୍ରବେଶ କରାଏ ନାହିଁ। ମୋଟାମୋଟି ଭାବରେ ସାତ୍ତ୍ୱିକ ଏବଂ ପୌଷ୍ଟିକ ଆହାର ହିଁ ମାନବର ବୁଦ୍ଧି ତଥା ଶରୀରକୁ ସୁସ୍ଥ ରଖେ- ଏହି ବାର୍ତ୍ତା ଦିଏ ଶ୍ରୀମନ୍ଦିର। ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗରେ ଅଣସର ସମୟରେ ଫୁଲୁରୀ ତେଲ ସାଙ୍ଗରେ ରାଶି ତେଲ, କେତକୀ, ବେଣାଚେର ଇତ୍ୟାଦି ଘର୍ଷଣ ହୁଏ। ଏତଦ୍‌ ବ୍ୟତୀତ ଦଶମୂଳ ଔଷଧରେ ବିବିଧ ବୃକ୍ଷଲତାର ମୋଦକ ପ୍ରସ୍ତୁତ ହୁଏ, ଯାହା ପ୍ରାକୃତିକ ଚିକିତ୍ସା ପଦ୍ଧତିକୁ ସମ୍ମାନ ଦିଏ। ଅଧରପଣାରେ ବ୍ୟବହୃତ ନବାତ, କଦଳୀ, କର୍ପୂର, ଛେନା, ଗୋଲମରିଚ ଇତ୍ୟାଦିର ମିଶ୍ରଣ ଶରୀରର ବାତ ଏବଂ ପିତ୍ତ ଦୋଷକୁ ନିୟନ୍ତ୍ରଣକରେ ବୋଲି ଶାସ୍ତ୍ର ମତ ଦିଅନ୍ତି। ଆଜିକାଲି ବିବିଧ ଅପମିଶ୍ରିତ କସ୍‌ମେଟିକ୍‌ ଦ୍ରବ୍ୟ କ୍ୟାନ୍‌ସର ଏବଂ ଚର୍ମରୋଗର କାରଣ ବୋଲି ଅନୁସନ୍ଧାନରୁ ଜଣାପଡ଼େ। ତେଣୁ କସ୍‌ମେଟିକ୍‌ ବ୍ୟବହାର ଉପରେ ମାନବ ସତର୍କ ରହିବା ପାଇଁ ଡାକ୍ତରୀ ବିଦ୍ୟା ଉପଦେଶ ଦିଏ। ଶ୍ରୀଜଗନ୍ନାଥଙ୍କର ଶୃଙ୍ଗାରରେ ଚନ୍ଦନ, ଗୋରଚନା, କସ୍ତୁରୀ, ଝୁଣା, ହଳଦୀ, ଶଙ୍ଖ ଗୁଣ୍ଡ, ହରିତାଳ, ହିଙ୍ଗୁଳ, କର୍ପୂର, ବିବିଧ ପୁଷ୍ପ, ଲତା, ପତ୍ର ଇତ୍ୟାଦି ବ୍ୟବହୃତ ହୁଏ। ବନକଲାଗି ସେବାରେ ମହାପ୍ରଭୁଙ୍କର ଶ୍ରୀମୁଖ ଶୃଙ୍ଗାର ସମୟରେ ବିବିଧ ପ୍ରାକୃତିକ ଦ୍ରବ୍ୟ ବ୍ୟବହାର ହୁଏ। ଶ୍ରୀଜଗନ୍ନାଥ ଯେବେ ରଥଯାତ୍ରାରେ ଯାଆନ୍ତି ସେତେବେଳେ କେବଳ ଖେଚୁଡ଼ି ପ୍ରସାଦ ପାଇଥାଆନ୍ତି। ଯାତ୍ରା ସମୟରେ ସ୍ବଳ୍ପ ଏବଂ ପୁଷ୍ଟିକର ଖାଦ୍ୟ ଗ୍ରହଣକଲେ ଉଦରଜନିତ ସମସ୍ୟା ନ ରହି ଯାତ୍ରା ସୁଖପ୍ରଦ ରୁହେ। ଖେଚୁଡ଼ି ଶୀଘ୍ର ପ୍ରସ୍ତୁତି ହୋଇପାରେ ଏବଂ ପୁଷ୍ଟିକର ଯାହା ଯାତ୍ରା ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ମହାପ୍ରଭୁ ବିବିଧ ରତ୍ନର ମାଲିକ ହୋଇ ମଧ୍ୟ ସେ ଦାରୁ ଦେବତା ଏବଂ କାଠ ନିର୍ମିତି ରଥରେ ଉପବେଶନ କରନ୍ତି। ମହାପ୍ରଭୁ ଉପଦେଶ ଦେଇଛନ୍ତି ‘ବୃକ୍ଷ ହିଁ ଜୀବନ’। ଯେଉଁ ବୃକ୍ଷକୁ ଆଧାରକରି ସ୍ବୟଂ ମହାପ୍ରଭୁ ଶରୀର ଧାରଣ କରନ୍ତି ସେହି ବୃକ୍ଷର ସୁରକ୍ଷା ଆବଶ୍ୟକ। ଆଜି ସମଗ୍ର ବିଶ୍ୱ ବୃକ୍ଷ ସୁରକ୍ଷା ପାଇଁ ଚିନ୍ତିତ। ଶ୍ରୀଜଗନ୍ନାଥ ଜଣେ ମାତ୍ର ଦେବତା ଯିଏ ନବକଳେବର ସମୟରେ ଜନ୍ମମୃତ୍ୟୁର ରହସ୍ୟକୁ ନିଜ ରୀତିନୀତିରେ ପ୍ରତିଫଳିତ କରନ୍ତି। ଏହା ହିଁ ଜୀବନ ଦର୍ଶନ। ଆମେ ଓଡ଼ିଆ ନିଶ୍ଚୟ ଧନ୍ୟ ଯେ ମହାପ୍ରଭୁ ଓଡ଼ିଶା ମାଟିରେ ଆବିର୍ଭୂତ ହୋଇଛନ୍ତି।

ଡ. ଭାରତ ଭୂଷଣ ରଥ
ଉପନିର୍ଦ୍ଦେଶକ,ଦୂରଶିକ୍ଷା ନିର୍ଦ୍ଦେଶାଳୟ
ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ
ତିରୁପତି, ଆନ୍ଧ୍ରପ୍ରଦେଶ
ମୋ:୮୮୯୭୪୨୬୨୪୩


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ କରିବ ବଡ଼ ଆକ୍ରମଣ, ଡରିଲାଣି ଆମେରିକା!

ଓ଼୍ବାଶିଂଟନ,୧୯।୩: ଆମେରିକାର ଜାତୀୟ ଗୁପ୍ତଚର ନିର୍ଦ୍ଦେଶକ ତୁଲସୀ ଗାବାର୍ଡ ବୁଧବାର ପାକିସ୍ତାନକୁ ଆମେରିକା ସାମ୍ନା କରୁଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରମାଣୁ ବିପଦ ମଧ୍ୟରୁ ଗୋଟିଏ ଭାବରେ ଚିହ୍ନଟ…

ଲୋକ ସଭାରେ ରେଳସେବା ସମସ୍ୟା ପ୍ରସଙ୍ଗ ଉଠାଇଲେ ବରଗଡ଼ ଏମ୍‌ପି

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଲୋକ ସଭା ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ବିଭିନ୍ନ ସମସ୍ୟାକୁ ଗୁରୁବାର ବରଗଡ଼ ଏମ୍‌ପି ପ୍ରଦୀପ ପୁରୋହିତ ଲୋକ ସଭାରେ ଉଠାଇଛନ୍ତି। ବିଶେଷକରି ରେଳସେବାର ବିକାଶ ଓ…

ବାସନ୍ତୀକ ନବରାତ୍ର ପୂଜା: ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ସମଲେଶ୍ବରୀ

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ଆଜି ଚୈତ୍ର ଅମାବାସ୍ୟା ଯୁକ୍ତ ପ୍ରତିପଦା। ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ…

ମହାପ୍ରଭୁଙ୍କ ଜମିର ଧାନବିକ୍ରି ପଞ୍ଜୀକରଣକୁ ନା: ଏବେଠାରୁ ଘାରିଲାଣି ଧାନବିକ୍ରି ଚିନ୍ତା

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ରବିଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଚାଷୀଙ୍କ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଶୁକ୍ରବାର ଏଥିପାଇଁ ଆବେଦନ ଅବଧି ସରିଯିବ। ଅନ୍ୟପଟେ ବରଗଡ଼ ଜିଲାର ଅନେକ ଚାଷୀ…

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

୫ଦିନ ଝଡ଼ବର୍ଷା, କୁଆପଥର ମାଡ଼: ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୯ା୩(ଅନୁରାଧା ମହାରଣା):ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ଜିଲାରେ ବର୍ଷା ସହ ଝଡପବନ ହେଉଥିବା ବେଳେ ଆଗାମୀ ୫ ଦିନ ଯାଏ ଏପରି ସ୍ଥିତି ଜାରି ରହିବ। ଏନେଇ…

‘ଏସ୍‌ଓପି’ ନ ମାନିଲେ ଦରମା ବନ୍ଦ: ସବୁ ବିଭାଗକୁ ତାଗିଦ୍‌, ଛଟେଇ ପ୍ରକ୍ରିୟା ଆରମ୍ଭ…

ଭୁବନେଶ୍ୱର,୧୯ା୩ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ପରାମର୍ଶଦାତାଙ୍କ ଛଟେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଅର୍ଥ ବିଭାଗ ପକ୍ଷରୁ ଫେବୃଆରୀ ୧୭ରେ ଏନେଇ ଏକ ଉଚ୍ଚସ୍ତରୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri