ଲିଚୁ, କାଜୁ ଚାଷ ନଷ୍ଟ ଆଶଙ୍କା, ଚିନ୍ତାରେ ଚାଷୀ

ଖଜୁରିପଡ଼ା,୧୧ା୧୨(ବିଦୁର ବେହେରା): କୃଷି କଲେ ଉନ୍ନତ ସକଳ ଉନ୍ନତର ନାରା ଦେଇ ସରକାର ଚାଷୀମାନଙ୍କୁ ଚାଷ କାର୍ଯ୍ୟ ପ୍ରତି ଆକୃଷ୍ଟ କରିବା, ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ତାଲିମ ପ୍ରଦାନ କରୁଛନ୍ତି। ଏବଂ ଚାଷ କାର୍ଯ୍ୟ ପାଇଁ ସରକାର ଯୋଗାଇ ଦେଉଥିବା ସହାୟତା ଏବଂ ସହଯୋଗ ସମ୍ବନ୍ଧରେ ଆଲୋଚନା କରି ଚାଷୀକୁ ଚାଷ କାର୍ଯ୍ୟ କରିବା ପାଇଁ ପ୍ରଲୋଭିତ କରୁଛନ୍ତି। ସରକାରୀ ଅଧିକାରୀମାନଙ୍କ କହିବା ଅନୁଯାୟୀ ଚାଷୀମାନେ ଚାଷ କରୁଛନ୍ତି। କିନ୍ତୁ ଅଧିକାରୀମାନେ ପ୍ରତିଶ୍ରୁତି ଦେଇ ପ୍ରତିଶ୍ରୁତି ଭୁଲି ଯାଉଛନ୍ତି। ଫଳରେ ଚାଷୀ ସରକାରୀ ସହାୟତାକୁ ଚାହିଁ ହତାଶ ହେଉଛନ୍ତି। ଏଭଳି ଅଭିଯୋଗ ହୋଇଛି ଖଜୁରିପଡ଼ା ବ୍ଲକ ଅନ୍ତର୍ଗତ ଦୂତି ପଡା ପଞ୍ଚାୟତର ଜମୁଝୋରି ଏବଂ କୁକୁରୁ କୂମ୍ପା ଗାଁରୁ । ଏହି ଗାଁର ଚାଷୀମାନେ ହେଲେ ବଶିଷ୍ଠ ଜାନି ଏବଂ ଶରଣ ସେନ ମଲ୍ଲିକ। ଏମାନଙ୍କ କହିବା ଅନୁଯାୟୀ କାଜୁ ଚାଷ ଏବଂ ଲିଚୁ ଚାଷ କରିବା ପାଇଁ ବିଭାଗୀୟ ଅଧିକାରୀମାନେ ଏମାନଙ୍କୁ ପ୍ରଲୋଭିତ କରିଥିଲେ। ତାଙ୍କ କହିବା ଅନୁଯାୟୀ ୨ ହେକ୍ଟର ଯାଗାରେ ଲିଚୁ ଚାଷ ଏବଂ କାଜୁ ଚାଷ କରିବା ପାଇଁ ଚାରା ଯୋଗାଇ ଦେଲେ। ଚାଷୀମାନେ ଚାଷ ମଧ୍ୟ କରିଛନ୍ତି। କିନ୍ତୁ ଚାରି ପାଖରେ ତାର ଜାଲି ବାଢ଼ କରିବା ପାଇଁ ସହଯୋଗ କରିଲେ ନାହିଁ। ତାର ଜାଲି ବାଢ଼ ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନେହୁରା ହେଲେ ସୁଧା କେହି ଶୁଣୁ ନ ଥିବାରୁ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛି। ଏବେ ବିଲ ମାଳରୁ ଧାନ ଅମଳ ହେବା ପରେ ଗୋରୁ ଗାଈ ପଶି ଲିଚୁ କାଜୁ ଗଛ ଖାଇ ଦେବେ ବୋଲି ଚାଷୀ ଚିନ୍ତାରେ। ଏପଟେ ‘ଗଛ ଚଢ଼େଇ ଦେଇ ମୂଳ କାଟିବା’ ନୀତି ଆପଣେଇ ସରକାରୀ ନୀତି ନିୟମ ଚାଷୀ ଆଗରେ ବଖାନୁଛନ୍ତି ।ଏ ନେଇ ଜିଲା ଉପ ନିର୍ଦ୍ଦେଶକ କୃଷି ଉଦ୍ୟାନ ବିଭାଗ ଅଧିକାରୀ ରମାକାନ୍ତ ଗିରିଙ୍କ ପ୍ରତିକ୍ରିୟା ନେବାରୁ ସେ କହିଛନ୍ତି ଯେ ଚାଷୀ ମାନେ ନିଜ ଟଙ୍କାରେ ଜାଲି ବାଢ଼ କିଣି ବାଢ଼ କରିବେ ତାପରେ ଟଙ୍କା ପୈଠ କରାଯିବ ବୋଲି ନିୟମ ରହିଛି ବୋଲି କହିଛନ୍ତି।