ମୁମ୍ବାଇ,୧୧।୨: ଲାଇଫ ଇନସ୍ୟୁରାନ୍ସ କର୍ପୋରେଶନ ଅଫ ଇଣ୍ଡିଆ ବା ଏଲଆଇସିର ନିର୍ଦ୍ଦେଶକମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଏଲଆଇସିର କାରବାର ଓ ଆଗାମୀ କାର୍ଯ୍ୟକଳାପ ସମ୍ପର୍କରେ ଆଲୋଚନା ହୋଇଥିଲା। ଏପରିକି ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ ଫଳାଫଳକୁ ମଧ୍ୟ ଏହି ଅବସରରେ ଘୋଷଣା କରାଯାଇଥିଲା। ସେହିଭଳି ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ୯ମ ବା ୨୦୨୪ ଡିସେମ୍ବର ଶେଷ ସୁଦ୍ଧା ଏଲଆଇସିର ଟିକସ ପରବର୍ତ୍ତୀ ଲାଭ ୨୯,୧୩୮ କୋଟି ହୋଇଛି। ଏପରିକି ଗତ ଆର୍ଥିକ ବର୍ଷର ଏହି ସମୟ ମଧ୍ୟରେ ଏଲଆଇସିର ଏହି ରାଶି ୨୬,୯୧୩ କୋଟି ଥିଲା। ଗତ ବର୍ଷର ଆର୍ଥିକ ଫଳାଫଳ ତୁଳନାରେ ଚଳିତ ଆର୍ଥିକ ବର୍ଷର କାରବାର ୮.୨୭% ବୃଦ୍ଧି ଘଟିଛି। ସେହିଭଳି ଏଲଆଇସିର ମୋଟ ପ୍ରିମିୟମ ଆୟ ୨୦୨୪ ଡିସେମ୍ବର ଶେଷ ସୁଦ୍ଧା ୩,୪୦,୫୬୩ କୋଟି ହୋଇଥିଲାବେଳେ ଗତ ଆର୍ଥିକ ବର୍ଷର ଏହି ସମୟ ମଧ୍ୟରେ ଏଲଆଇସିର ପ୍ରିମିୟମ ଆୟ ୩,୨୨,୭୭୬ କୋଟି ଥିଲା। ଗତ ଆର୍ଥିକ ବର୍ଷ ପ୍ରିମିୟମ ଆୟ ତୁଳନାରେ ଚଳିତ ଆର୍ଥିକ ବର୍ଷର ପ୍ରିମିୟମ ଆୟ ୫.୫୧% ବୃଦ୍ଧି ହୋଇଛି।ଏଲଆଇସିର ଏମଡି ତଥା ସିଇଓ ସିଦ୍ଧାର୍ଥ ମହାନ୍ତି କହିଥିଲେ, ଆମେ ଆମର ତ୍ରୈମାସିକ ଫଳାଫଳ ଏବଂ ୨୦୨୪ ବର୍ଷର ପ୍ରଥମ ୯ମାସ ଆର୍ଥିକ ଫଳାଫଳକୁ ଆନୁଷ୍ଠାନିକ ଭାବେ େଘୋଷଣା କରି ବେଶ୍ ଉତ୍ସାହିତ ଅଛୁ।


