Categories: ଖେଳ

ବେଲ୍‌ଜିଆନ ଗ୍ରାଁ ପ୍ରି ଜିତିଲେ ହାମିଲଟନ

ସ୍ପା-ଫ୍ରାଙ୍କୋରଚାମ୍ପ୍ସ, ୩୦ା୮ (ଏପି)-ମର୍ସିଡିଜ୍‌ର ଲୁଇସ୍‌ ହାମିଲଟନ ବେଲ୍‌ଜିଆନ ଫର୍ମୁଲା ଓ୍ବାନ୍‌ ମୋଟର ରେସ୍‌ ଜିତିଛନ୍ତି। ଏହା ହେଉଛି ତାଙ୍କ କ୍ୟାରିୟରର ୮୯ତମ ଟାଇଟଲ। ଫର୍ମୁଲା ଓ୍ବାନ ରେକର୍ଡଧାରୀ ମାଇକେଲ ସୁମାକରଙ୍କଠାରୁ ସେ ଦୁଇଟି ବିଜୟ ପଛରେ ରହିଛନ୍ତି। ବିଶ୍ୱଚାମ୍ପିୟନ ଡ୍ରାଇଭର ପୋଲ ପୋଜିଶନରୁ କୌଣସି ଅସୁବିଧାର ସମ୍ମୁଖୀନ ହୋଇ ନ ଥିଲେ। ସେ ତାଙ୍କ ମର୍ସିଡିଜ୍‌ ଟିମ୍‌ମେଟ ଭାଲଟେରୀ ବୋଟାସଙ୍କୁ ୮ ସେକେଣ୍ଡରେ ପରାସ୍ତ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ। ରେଡ୍‌ବୁଲ୍‌ର ମାକ୍ସ ଭର୍ଷ୍ଟାପେନ୍‌ଙ୍କ ଠାରୁ ସେ ୧୫ ସେକେଣ୍ଡ ଆଗରେ ରହିଥିଲେ। ରେନଲ୍ଟର ଡାନିଏଲ ରିକାର୍ଡୋ ଚତୁର୍ଥ ହୋଇଥିଲେ। ଦ୍ରୁତତମ ଲାପ୍‌ ପାଇଁ ତାଙ୍କୁ ଅତିରିକ୍ତ ପଏଣ୍ଟ ମିଳିଛି। ଚଳିତ ସିଜନରେ ୭ଟି ରେସ୍‌ରେ ହାମିଲଟନଙ୍କ ଏହା ହେଉଛି ୫ମ ବିଜୟ। ଚାମ୍ପିୟନଶିପ୍‌ ଟେବୁଲ୍‌ରେ ପ୍ରଥମ ସ୍ଥାନରେ ରହିଥିବା ହାମିଲଟନ ଓ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭର୍ଷ୍ଟାପେନ୍‌ଙ୍କ ମଧ୍ୟରେ ପଏଣ୍ଟ ବ୍ୟବଧାନ ୪୭କୁ ବୃଦ୍ଧି ପାଇଛି।

Share