Categories: ଖେଳ

ଖେଳାଳିଙ୍କୁ ଚୁମ୍ବନ ପରେ କ୍ଷମା ମାଗିଲେ ଲୁଇସ୍‌

ମାଡ୍ରିଡ୍‌୍‌,୨୩ା୮(ପି.ଟି.): ସ୍ପେନ୍‌ ଫୁଟବଲ ମହାସଂଘର ସଭାପତି ଲୁଇସ୍‌ ରୁବେଲ୍ସ ମହିଳା ଖେଳାଳିଙ୍କୁ ଚୁମ୍ବନ ଦେଇ ବିବାଦ ଘେରରେ ରହିଛନ୍ତି। ସ୍ପେନ୍‌ ଦଳ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ରେ ଇଂଲଣ୍ଡକୁ ପରାସ୍ତ କରିବା ପରେ ରୁବେଲ୍ସ ଦଳର ଷ୍ଟ୍ରାଇକର ଜେନ୍ନି ହର୍ମୋସୋଙ୍କୁ ଓଠରେ ଚୁମ୍ବନ ଦେଇଥିଲେ। ଏହି ଘଟଣାକୁ ନେଇ ବିଭିନ୍ନ ମହଲରୁ ସମାଲୋଚନା ହେବା ପରେ ରୁବେଲ୍ସ ଏକ ଭିଡିଓ ଜାରି କରି କ୍ଷମାପ୍ରାର୍ଥନା କରିଥିଲେ। ଚୁମ୍ବନ ଦେବା ପୂର୍ବରୁ ରୁବେଲ୍ସ ଉତ୍ତେଜନାପୂର୍ଣ୍ଣ ସେଲିବ୍ରେଶନ କରିଥିଲେ। ବିଜୟ ଉଲ୍ଲାସରେ ସେ ନିଜ ଯୌନାଙ୍ଗ ନିକଟରେ ହାତ ରଖି କିଛି ଇସାରା ମଧ୍ୟ କରିଥିଲେ। ଏହି ଘଟଣା ସମୟରେ ସ୍ପେନ୍‌ର ୧୬ ବର୍ଷୀୟା ରାଜକୁମାରୀ ଇନ୍‌ଫାଣ୍ଟା ସୋଫିଆ ସେଠାରେ ଉପସ୍ଥିତ ଥିଲେ। ଏହାପରେ ସେ ହର୍ମୋସୋଙ୍କୁ କିସ୍‌ କରିଥିଲେ। ଏହି ଘଟଣାକୁ ନେଇ ସ୍ପେନ୍‌ ସରକାରଙ୍କ ପକ୍ଷରୁ କଡା ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଇଥିଲା। ସ୍ପେନ୍‌ ସରକାରରେ ମନ୍ତ୍ରୀ ରହିଥିବା ଆଇରିନ୍‌ ମଣ୍ଟେରୋ ଏହାକୁ ସମାଲୋଚନା କରିଛନ୍ତି। ଏଭଳି ଘଟଣାକୁ ସାଧାରଣ କହି ଏଡାଇ ଦିଆଯାଉଥିବାରୁ ମହିଳା ଖେଳାଳିଙ୍କ ପ୍ରତି ଯୌନଶୋଷଣ ବୃଦ୍ଧି ପାଇବାରେ ଲାଗିଛି। ଅନ୍ୟପକ୍ଷରେ ସ୍ପେନ୍‌ ଫୁଟ୍‌ବଲ ମହାସଂଘ ପକ୍ଷରୁ ଜାରି କରାଯାଇଥିବା ମନ୍ତବ୍ୟ ଅନୁସାରେ ହର୍ମୋସୋ ଏହାକୁ ଠିକ୍‌ ଦର୍ଶାଇଛନ୍ତି। ବିଜୟର ଖୁସିରେ ଆମେ ଏଭଳି କରିଥିବା ବେଳେ ଏଥିରେ ଉଭୟଙ୍କ ସହମତି ରହିଥିଲା। ସଭାପତିଙ୍କ ସହିତ ମୋର ସମ୍ପର୍କ ଅତ୍ୟନ୍ତ ଭଲ ରହିଛି। ତେବେ ସୋମବାର ରୁବେଲ୍ସଙ୍କ ପକ୍ଷରୁ ଜାରି କରାଯାଇଥିବା ଭିଡିଓରେ ସେ କ୍ଷମାପ୍ରାର୍ଥନା କରିଥିବାର ନଜର ଆସିଛନ୍ତି। ସଭାପତି ଭାବରେ ସର୍ବସମକ୍ଷରେ ଏଭଳି କରିବା ଗ୍ରହଣୀୟ ନୁହେଁ। ତେବେ ଏହା ପଛରେ କୌଣସି ଖରାପ ଅଭିସନ୍ଧି ନ ଥିଲା। ନେଦରଲାଣ୍ଡ୍ସର କ୍ରୀଡା ସଂଗଠନ ଫିଫଫ୍ରୋ ଏହାକୁ ନିନ୍ଦା କରିଛି। ସମଗ୍ର ବିଶ୍ୱ ସମ୍ମୁଖରେ ରୁବେଲ୍ସ ସ୍ପେନ୍‌କୁ ନିନ୍ଦିତ କରିଛନ୍ତି ବୋଲି ସଂସ୍ଥା ନିଜ ବକ୍ତବ୍ୟରେ କହିଛି।

Share