ବିଦ୍ୟୁତ୍‌ ବିଚ୍ଛିନ୍ନ କରିବାକୁ ଚିଠି

କେନ୍ଦୁଝର,୨୮ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ତହସିଲ ଅନ୍ତର୍ଗତ ଖଣ୍ଟଘରଠାରେ ଦୀର୍ଘ ବର୍ଷ ହେଲା ବିନା ଅନୁମତିରେ ଚାଲୁଥିବା ୨ ବେଆଇନ କ୍ରଶରକୁ ବନ୍ଦ କରିବା ପାଇଁ ବନ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଉକ୍ତ କ୍ରଶରକୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ପାଇଁ ଆନନ୍ଦପୁର ନିର୍ବାହୀ ଯନ୍ତ୍ରୀଙ୍କୁ ବିଭାଗ ପକ୍ଷରୁ ସୋମବାର ଚିଠି କରାଯାଇଛି। ଅନ୍ୟପକ୍ଷେ ଓଡ଼ିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଏହାକୁ ନେଇ ଗତ ୧୨ ତାରିଖରେ ନୋଟିସ୍‌ କରାଯାଇଥିଲା। ନୋଟିସ୍‌ର ୧୫ ଦିନ ପୂରିଥିବା ବେଳେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କ’ଣ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି ା
ଡିଏଫ୍‌ଓ ଧନରାଜ ଏଚ୍‌ଡିଙ୍କ ନିର୍ଦ୍ଦେଶ କ୍ରମେ ଘଟଗାଁ ରେଞ୍ଜର ପ୍ରଭାତ କୁଅଁର ସୋମବାର (୬୨୪/୨୬-୦୯-୨୦୨୨)ରେ ବିଦ୍ୟୁତ୍‌ ବିଭାଗକୁ ଚିଠି କରି ବିଦ୍ୟୁତ୍‌ ବିଚ୍ଛିନ୍ନ ପାଇଁ ଅନୁରୋଧ କରିଛନ୍ତି। ବନ ବିଭାଗ ଗତ ୨୨ ତାରିଖରେ ଚିଠି (ନଂ. ୬୧୧/୨୦୨୨)ରେ ଉକ୍ତ କ୍ରଶରର ପରିଚାଳନା ନିର୍ଦ୍ଦେଶକ ଅଂକୁଶ ଅଗ୍ରଓ୍ବାଲଙ୍କୁ କାରଣ ଦର୍ଶାଅ ନୋଟିସ୍‌ କରିବା ସହ କ୍ରସର ବନ୍ଦ କରିବାକୁ ଆଦେଶ କରିଥିଲେ। ଏହାକୁ ଅବଜ୍ଞା କରି ଦିନ ରାତି କ୍ରଶର ଚାଲି ଆସୁଥିବାରୁ ବନ ବିଭାଗ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଏ ନେଇ ଡିଏଫ୍‌ଓ ଏଚ୍‌ଡି ଧନରାଜ କହିଛନ୍ତି, ବେଆଇନ କ୍ରଶର ଦ୍ୱାରା ବନ୍ୟପ୍ରାଣୀ ବହୁ ମାତ୍ରାରେ ପ୍ରଭାବିତ ହେବା ସହ ପ୍ରଦୂଷଣ ବ୍ୟାପୁଥିବାରୁ ସ୍ଥାନୀୟ ଲୋକଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ କୁପ୍ରଭାବ ପକାଉଛି। ଜଙ୍ଗଲ, ପରିବେଶ, ଜଳବାୟୁ ପରିବର୍ତ୍ତନ ବିଭାଗର ବିନା ଅନୁମତିରେ ଏହା ଚାଲୁଥିବାରୁ ଉଭୟ କ୍ରଶର ଓ କ୍ୱାରି ବନ୍ଦ କରିବାକୁ ଆଦେଶ କରାଯାଇଛି। ବେଆଇନ କାମରେ ଘଟଗାଁ ରାଜସ୍ବ ବିଭାଗର ଦୁର୍ନୀତିଗ୍ରସ୍ତ ବାବୁଙ୍କ ସମ୍ପୃକ୍ତିକୁ ନେଇ ସନ୍ଦେହ ସୃଷ୍ଟି ହେଉଛି। ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ହୋଇଥିବା କ୍ଷତିର ଭରଣା ସେମାନଙ୍କଠାରୁ କରିବାକୁ ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ ଦାବି କରିଛନ୍ତି। ଜଙ୍ଗଲ ନିକଟରେ କ୍ରଶର ହୋଇଥିବାରୁ ଶବ୍ଦ ଓ ବାୟୁ ପ୍ରଦୂଷଣ ଯୋଗୁ ଜଙ୍ଗଲ ଜୀବଜନ୍ତୁ ପ୍ରଭାବିତ ହେଉଛନ୍ତି। ରାତିରେ କ୍ରଶର ଉଚ୍ଚ ଶକ୍ତି ସମ୍ପନ୍ନ ଲାଇଟ୍‌ ଏବଂ ଶବ୍ଦରେ ଜଙ୍ଗଲ ଜୀବଜନ୍ତୁଙ୍କ ଯାତାୟାତ ପ୍ରଭାବିତ ହେଉଥିବା ଘଟଗାଁ ରେଞ୍ଜର ପ୍ରଭାତ କୁଅଁର ପ୍ରକାଶ କରିଛନ୍ତି।