ଅତୀତରେ କଳିଙ୍ଗ ନିଜର ସାହସ ଓ ସମୃଦ୍ଧି ପାଇଁ ସମଗ୍ର ବିଶ୍ୱରେ ପରିଚିତ ଥିଲା। ସେଥିପାଇଁ ମୌର୍ଯ୍ୟ ସମ୍ରାଟ୍ ସମେତ ଅନେକ ରାଜ୍ୟ କଳିଙ୍ଗ ଜୟ କରିବାର ସ୍ବପ୍ନ ଦେଖୁଥିଲେ। ଏ ମାଟିରେ ସମ୍ରାଟ ଅଶୋକ ଚଣ୍ଡାଶୋକରୁ ଧର୍ମାଶୋକ ହୋଇଥିଲେ। ନାଳନ୍ଦା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାର ୬୦୦ ବର୍ଷ ପୂର୍ବରୁ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ ପୁଷ୍ପଗିରି ବିଶ୍ୱବିଦ୍ୟାଳୟ ବିଶ୍ୱର ବିଦ୍ୱାନ୍ଙ୍କୁ ଆକର୍ଷିତ କରୁଥିଲା। ମହାଭାରତ ଯୁଦ୍ଧରେ ଭାଗ ନେବା ପାଇଁ କିମ୍ବା ଭ୍ରାତୃହନ୍ତା ପାପରୁ ପାଣ୍ଡବଙ୍କୁ ମୁକ୍ତି ପାଇଁ ବୈତରଣୀ ନଦୀରେ ସ୍ନାନ ଓ ବିରଜା ଦର୍ଶନ, ଏହା ଆମ ସମୃଦ୍ଧି ଓ ଅସ୍ମିତାର ପ୍ରତୀକ ଥିଲା। ସେହିପରି ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବଙ୍କୁ କୁଷ୍ଠ ରୋଗରୁ ଆରୋଗ୍ୟ ପାଇଁ ଚନ୍ଦ୍ରଭାଗାରେ ୧୨ ବର୍ଷର ସୂର୍ଯ୍ୟ ଉପାସନା ଓ ପରବର୍ତ୍ତୀ ବିଶ୍ୱର ସର୍ବଶ୍ରେଷ୍ଠ ସୂର୍ଯ୍ୟ ମନ୍ଦିର (କୋଣାର୍କ ମନ୍ଦିର) ନିର୍ମାଣ ଆମ ସମୃଦ୍ଧି ଓ ଦୂରଦୃଷ୍ଟି ସମ୍ପନ୍ନତାକୁ ପ୍ରମାଣ ଦିଏ। ହିନ୍ଦୁଧର୍ମର ୪ ମୋକ୍ଷ ଧାମରୁ ଏକ ଧାମ ପ୍ରତିଷ୍ଠା କରିବା ଓ ମହାପ୍ରଭୁଙ୍କ ପାଇଁ ତତ୍କାଳୀନ ବିଶ୍ୱର ସର୍ବବୃହତ୍ ମନ୍ଦିର ନିର୍ମାଣ ଆମ ସାହସ ଓ ସମୃଦ୍ଧିର ପରିଚୟ ନୁହେଁ ତ କ’ଣ ହୋଇପାରେ! ବୌଦ୍ଧଧର୍ମର ବିସ୍ତାର, ଶାକ୍ତ ଓ ବୈଷ୍ଣବ ମଧ୍ୟରେ ଝଗଡ଼ା ବନ୍ଦ କରି ଉଭୟ ବିଷ୍ଣୁ ଓ ଶିବଙ୍କୁ ଏକାଠି କରି ଲିଙ୍ଗରାଜ ମନ୍ଦିରରେ ହରିହର ସ୍ଥାପନ ଏହା ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ ନୁହେଁ ତ କ’ଣ ହୋଇପାରେ?
ତତ୍କାଳୀନ ଉତ୍କଳର କଳା, ଭାସ୍କର୍ଯ୍ୟ, ବସ୍ତ୍ର, ହସ୍ତଶିଳ୍ପ, ଖାଦ୍ୟ ଆଦି ସମଗ୍ର ବିଶ୍ୱକୁ ପ୍ରଭାବିତ କରିବା ଛୋଟ କଥା ନୁହେଁ। ଭଗବାନ୍ ପର୍ଶୁରାମ ଗଞ୍ଜାମର ମହେନ୍ଦ୍ର ପର୍ବତରେ ତପସ୍ୟା କରିଥିଲେ। ଉତ୍କଳର ଦାର୍ଶନିକ, ଧର୍ମଗୁରୁ, କବି, ଲେଖକଙ୍କ ବିଶ୍ୱ ବିଖ୍ୟାତ ସୃଷ୍ଟି ବା ରଚନା ପାଇଁ ଆମେ ସର୍ବଦା ଗର୍ବିତ। ଲକ୍ଷ୍ମୀ ପୁରାଣରେ ନାରୀ ସଶକ୍ତୀକରଣ କଥା ହେଉ କିମ୍ବା ଅସ୍ପୃଶ୍ୟତା ନିବାରଣ କଥା ହେଉ କିମ୍ବା ସ୍ବଚ୍ଛ ଘର ଦ୍ୱାର କଥା, ଏସବୁ ଭାରତୀୟଙ୍କ ପାଇଁ ପଥ ପ୍ରଦର୍ଶକ ଭାବେ ଆଜି ବି କାର୍ଯ୍ୟ କରେ। ସନ୍ଥ କବି ଭୀମଭୋଇଙ୍କ ଜଗତ ଚିନ୍ତା ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ’ ସମଗ୍ର ବିଶ୍ୱରେ ବିରଳ। ପରାଧୀନ ଭାରତରେ ଉତ୍କଳ ଗୌରବ ମଧୁବାବୁଙ୍କ କୁଟୀର ଶିଳ୍ପ, ସମବାୟ ଆନ୍ଦୋଳନ, ସ୍ବାୟତ୍ତ ଶାସନ ନୀତି, ଅଦାଲତରେ ମହିଳା ଓକିଲଙ୍କୁ ଅଧିକାର ପ୍ରଦାନ ଆଦି କ୍ଷେତ୍ରରେ ଓଡ଼ିଶାର ପଦକ୍ଷେପରୁ ସମଗ୍ର ଭାରତ ଲାଭାନ୍ବିତ ହୋଇଛି। ଦୁଃଖର କଥା, ଆମ ପୂର୍ବ ପୁରୁଷ ଉଭୟ ଭାରତୀୟ ଓ ବିଶ୍ୱ ସଭ୍ୟତାକୁ ଅନେକ କିଛି ଉପାଦାନ ଦେଇଥିବା ବେଳେ ଆମେ ବିଗତ ୯୦ ବର୍ଷରେ (୧୯୩୬ରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପରଠାରୁ) ବିଶ୍ୱ ସଭ୍ୟତାକୁ, ବିପର୍ଯ୍ୟୟ ପରିଚାଳନାକୁ ଛାଡ଼ି ଅନ୍ୟ କିଛି ଉପାଦାନ ଦେଇ ପାରିନାହାନ୍ତି। ଆଶ୍ଚର୍ଯ୍ୟର କଥା , ବିଶ୍ୱ ସଭ୍ୟତା ଉନ୍ନତିରେ ଆମ ଭାଗୀଦାରି କମୁଥିବା ବେଳେ କିମ୍ଭୂତକିମାକାର ଅଥବା ଲଜ୍ଜାଜନକ ଖବର ସୃଷ୍ଟି କରି ବିଶ୍ୱବାସୀଙ୍କ ଧ୍ୟାନ ଆକର୍ଷଣ କରିବାରେ ପ୍ରଥମ ନମ୍ବରରେ ଅଛୁ।
କିଛି ବର୍ଷ ପୂର୍ବେ କଳାହାଣ୍ଡି ଜିଲାର ଗରିବ ଶ୍ରମିକ ଦାନ ମାଝୀ ନିଜ ସ୍ତ୍ରୀର ମୃତ୍ୟୁ ପରେ ପଇସା ଅଭାବରୁ ମୃତଦେହକୁ କାନ୍ଧେଇ ୧୦ କିଲୋମିଟର ଗଁା ପର୍ଯ୍ୟନ୍ତ ଚାଲି ଚାଲି ଯିବା ଘଟଣା ବିଶ୍ୱରେ ବିରଳ। ଏ ଖବର ବିଶ୍ୱରେ ପ୍ରତି କୋଣରେ ପହଞ୍ଚତ୍ଲା ଓ ଓଡ଼ିଆ, ଓଡ଼ିଶାର ଶାସନ ଏବଂ ଓଡ଼ିଆଙ୍କ ସାହାଯ୍ୟ ମନୋବୃତ୍ତି ଉପରେ ପ୍ରଶ୍ନଚିହ୍ନ ଲାଗିିଥିଲା। ଏ ନିନ୍ଦାରୁ ଓଡ଼ିଶାବାସୀ ଶିକ୍ଷା ପାଇଲେ ନାହିଁ। ୨୦୨୫ରେ କୋରାପୁଟ ଜିଲାର ନାରାୟଣ ପାଟଣା ବ୍ଲକରେ ଆଦିବାସୀ ପ୍ରେମୀଯୁଗଳ ଭଲ ପାଇ ବିବାହ କରିଥିବାରୁ ତାଙ୍କୁ ଏକ ହଳଲଙ୍ଗଳରେ ବଳଦ ଭଳି ଯୋଚି ହଳ କରାଯାଇଥିଲା, ଯାହାକି ମଧ୍ୟଯୁଗୀୟ ବର୍ବରତକୁ ବଳିଯାଇଥିଲା ଓ ସମଗ୍ର ବିଶ୍ୱ ଆମକୁ ଘୃଣାରେ ଦେଖିବାକୁ ଲାଗିଲା।
ଦୁଃଖର କଥା , ଆମର ବହୁ ଭଲ ଖବର ଥିବାବେଳେ ସେସବୁ ବିଶ୍ୱକୁ ନ ଯାଇ ନିନ୍ଦିତ ଖବର ଯିବା ଦ୍ୱାରା ସମସ୍ତେ ଲଜ୍ଜିତ ହେଉଛେ। ସମସ୍ତେ ଭାବିଥିଲେ ଏଭଳି ଖବରର ଆଉ ପୁନରାବୃତ୍ତି ହେବ ନାହିଁ। ମାତ୍ର ଜିତୁ ମୁଣ୍ଡା ବ୍ୟାଙ୍କ ଟଙ୍କା ପାଇବା ପାଇଁ ପ୍ରମାଣ ସ୍ବରୂପ ଭଉଣୀ ଶବ ସାକ୍ଷୀକୁ ବିଶ୍ୱ ନାପସନ୍ଦ କରିଛି ଓ ଆମକୁ ପୁନଶ୍ଚ ଲଜ୍ଜିତ ହେବାକୁ ପଡ଼ିଲା। ପ୍ରଶ୍ନ ଉଠେ, ବାରମ୍ବାର ଯଦି ବିଶ୍ୱ ଗଣମାଧ୍ୟମରେ ଓଡ଼ିଶାର ଏହିଭଳି ମାନବତାହୀନ ଘଟଣା ପ୍ରଚାର ପ୍ରସାର ହେବ, ଓଡ଼ିଶାକୁ କିଏ ଆସିବ ପୁଞ୍ଜି ବିନିଯୋଗ ପାଇଁ? ଆଉ ଓଡ଼ିଶାର ବିକାଶ କିପରି ହେବ? ଆମର ଶିକ୍ଷିତ ବେକାର ଯୁବକ ଯୁବତୀ କିପରି କର୍ମ ସଂସ୍ଥାନ ପାଇବେ? ଆସନ୍ତୁ ଏସବୁ ଘଟଣାକୁ ବିଶ୍ଳେଷଣ କରିବା ଓ ଏଭଳି ଆଉ ନ ଘଟିବା ପାଇଁ ପଦକ୍ଷେପ ନେବା। ସଭ୍ୟ ସମାଜର ଏ ପ୍ରକାର ମାନସିକତା ପାଇଁ ଆମ ସାମାଜିକ ବ୍ୟବସ୍ଥା ମଧ୍ୟ ସମ୍ପୂର୍ଣ୍ଣ ଦାୟୀ? ଆମେ ସ୍ବାର୍ଥପର ମଣିଷ ଗଢ଼ିବାରେ ଲାଗିଛୁ; ଯେଉଁଠି ଦୟା, କ୍ଷମା, ସାହାଯ୍ୟର ପ୍ରଶ୍ନ ନାହିଁ?
ଏ ସବୁ ଘଟଣା ଓଡ଼ିଶାର ଛବିକୁ ବିଶ୍ୱ ଦରବାରରେ ଘୃଣିତ କରିଛି। ଆଗାମୀ ଦିନରେ ଯେପରି ଏଭଳି ଘଟଣାର ପୁନରାବୃତ୍ତି ନ ହୁଏ, ସେଥିପାଇଁ ବ୍ୟାପକ ଜନ ସଚେତନତା ସୃଷ୍ଟି କରାଯାଉ। ସରକାରୀ ଓ ବେସରକାରୀ କର୍ମଚାରୀଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଉ କି ସମ୍ବେଦନଶୀଳତାହୀନ କାର୍ଯ୍ୟକୁ କଦାପି ସହ୍ୟ କରାଯିବ ନାହିଁ। ସମୟର ଆବଶ୍ୟକତା ଓ ନିର୍ଦ୍ଦିଷ୍ଟ କେସ୍ ପାଇଁ ନିୟମର ବିକଳ୍ପ କେମିତି ବାହାର କରାଯିବ, ସେ ସମ୍ବନ୍ଧରେ ବିଭାଗୀୟ ନିର୍ଦ୍ଦେଶ ପ୍ରକାଶ ପାଇବା ଆବଶ୍ୟକ, ଯେମିତି ଏପରି ସ୍ଥିତିରୁ ଜନତାଙ୍କୁ ରକ୍ଷା କରାଯାଇପାରିବ।
ଡ. ପ୍ରମୋଦ କୁମାର ପଣ୍ଡା
ମୋ: ୮୯୧୭୪୨୬୪୪୦