ପ୍ର- ଶିକ୍ଷା ଶିଳ୍ପର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଭାବେ ଦେଶରେ ଶିକ୍ଷା କ୍ଷେତ୍ର କେଉଁ ସବୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି ବୋଲି ଆପଣ ଭାବନ୍ତି?
ଉ- ଛାତ୍ରୀଛାତ୍ର ଏବଂ ସେମାନଙ୍କ ଜୀବନଯାତ୍ରା ସହ ଗଭୀର ଭାବରେ ଜଡ଼ିତ ଥିବାରୁ ମୁଁ ଭାବୁଛି, ଏବେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି ସନ୍ତୁଳନ ରକ୍ଷା କରିବା। ଆମେ ଶିକ୍ଷାର ମୂଳ ଉଦ୍ଦେଶ୍ୟକୁ ଭୁଲିଯିବା ଉଚିତ ନୁହେଁ। ଶିକ୍ଷାର ମୂଳ ଉଦ୍ଦେଶ୍ୟ କେବଳ ଭଲ ନମ୍ୱର ଓ ବଡ଼ ସଫଳତା ଆଣିବା ନୁହେଁ, ବରଂ ଭଲ ମଣିଷ ତିଆରି କରିବା।
ପ୍ର-ଡିଜିଟାଲ ବିପ୍ଳବ ଆସିଯାଇଥିବାବେଳେ ଶିକ୍ଷା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ପ୍ରଭାବ କିପରି ରହିବ?
ଉ- କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଏକ ଶକ୍ତିଶାଳୀ ଉପକରଣ। ଅନ୍ୟ ଉପକରଣ ଭଳି ଏଆଇର ବ୍ୟବହାର ଉପରେ ଏହାର ପ୍ରଭାବ ନିର୍ଭରକରେ। ମୁଁ ଏଆଇକୁ ଏକ ସହାୟକ ଭାବେ ଦେଖୁଛି। ଏହା ପିଲାମାନଙ୍କ ଦୁର୍ୱଳତା ଚିହ୍ନଟ କରିପାରେ ଏବଂ ଶିକ୍ଷକ ଓ ଛାତ୍ରୀଛାତ୍ରଙ୍କୁ ଏପରି ସହାୟତା ଦେଇପାରେ, ଯାହା ପୂର୍ୱରୁ କଳ୍ପନା କରାଯାଇ ନ ଥିଲା। ମାତ୍ର ଜଣେ ମା’ ଭାବରେ ମୁଁ ଗୋଟିଏ କଥା ଖୁବ୍ ଦୃଢ଼ଭାବରେ ଅନୁଭବ କରୁଛି, କେବେ ବି ମାନବୀୟ ସମ୍ପର୍କର ସ୍ଥାନ ନେଇପାରିବ ନାହିଁ। ପିଲାମାନେ କେବଳ ଜ୍ଞାନ ବା ତଥ୍ୟ ଆବଶ୍ୟକ ରଖନ୍ତି ନାହିଁ, ସେମାନଙ୍କୁ ପ୍ରୋତ୍ସାହନ, ସମବେଦନା ଏବଂ ମାର୍ଗଦର୍ଶନ ମଧ୍ୟ ଦରକାର। ତେଣୁ ଆମେ ଶିକ୍ଷାରେ ଏଆଇକୁ ସ୍ୱାଗତ କରୁଛୁ। ହେଲେ ଆମେ ନିଶ୍ଚିତ ହେବା ଉଚିତ ଯେ, ଏହା ଶିକ୍ଷକଙ୍କ ପାଇଁ ପରିପୂରକ ହେଉ, କିନ୍ତୁ ଶିକ୍ଷକଙ୍କ ଉପସ୍ଥିତିର ମହତ୍ତ୍ୱକୁ ବଦଳାଇ ନ ଦେଉ। ଶିକ୍ଷାର ହୃଦୟ ସବୁବେଳେ ମାନବୀୟ ହୋଇ ରହିବା ଉଚିତ।
ପ୍ର. ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ଚିନ୍ତନ, ସୃଜନଶୀଳତା ଏବଂ ବ୍ୟବହାରିକ ଜ୍ଞାନ ଅପେକ୍ଷା ଘୋଷା ପାଠ ଏବଂ ପରୀକ୍ଷା ଫଳାଫଳ ଉପରେ ଅଧିକ ଗୁରୁତ୍ୱ ଦିଆଯାଏ ବୋଲି ଅନେକେ ସମାଲୋଚନା କରନ୍ତି। ଛାତ୍ରୀଛାତ୍ରଙ୍କୁ କିପରି ପ୍ରସ୍ତୁତ କରାଯିବା ଉଚିତ?
ଉ- ଏହା ଏପରି ଏକ ବିଷୟ ଯାହାକୁ ମୁଁ ଗଭୀର ଭାବେ ଅନୁଭବକରେ। ଶିକ୍ଷା କେବେ ବି ବୋଝ ଭଳି ଲାଗିବା ଉଚିତ ନୁହେଁ, ଏହା ଆବିଷ୍କାର ଭଳି ଅନୁଭବ ହେବା ଉଚିତ। ଶ୍ରେଣୀଗୃହରେ ପିଲାମାନେ ନିର୍ଭୟରେ ଚିନ୍ତାଧାରା ପ୍ରକାଶ କରିବା, ପ୍ରଶ୍ନ ପଚାରିବା ଏବଂ ଅଭିଜ୍ଞତା ମାଧ୍ୟମରେ ଶିଖିବା ଉଚିତ। ବ୍ୟବହାରିକ ଶିକ୍ଷା, ପ୍ରକଳ୍ପ ଆଧାରିତ କାର୍ଯ୍ୟକଳାପ, କଳା, କ୍ରୀଡ଼ା ଏବଂ ବାସ୍ତବ ଜୀବନର ସମସ୍ୟା ସମାଧାନ ସହ ପରିଚିତ ହେବା ଅତ୍ୟନ୍ତ ଜରୁରୀ। ଶିକ୍ଷକମାନଙ୍କୁ ମଧ୍ୟ ଅଧିକ ଶିଶୁ କୈନ୍ଦ୍ରିକ ପଦ୍ଧତି ଗ୍ରହଣ କରିବା ପାଇଁ ସଶକ୍ତ ଏବଂ ପ୍ରଶିକ୍ଷିତ କରାଯିବା ଆବଶ୍ୟକ। ଅଭିଭାବକ ଏବଂ ଶିକ୍ଷକ ଭାବରେ ଆମକୁ ମଧ୍ୟ ନିଜର ମାନସିକତା ବଦଳାଇବାକୁ ହେବ ଯେ, ମାର୍କ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ତାହା ହିଁ ସବୁକିଛି ନୁହେଁ। ଆତ୍ମବିଶ୍ୱାସ, କୌତୂହଳ ଏବଂ ଚରିତ୍ର ଗଠନ ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ।
ପ୍ର-ଏ ପର୍ଯ୍ୟନ୍ତ ଆପଣଙ୍କ ଯାତ୍ରା କିପରି ରହିଛି? ଇଣ୍ଡିଆନ୍ ପବ୍ଲିକ୍ ସ୍କୁଲ ଛାତ୍ରମାନଙ୍କ ପାଇଁ କାହିଁକି ଏକ ପସନ୍ଦର ସ୍ଥାନ?
ଉ- ଇଣ୍ଡିଆନ୍ ପବ୍ଲିକ୍ ସ୍କୁଲ ନିର୍ମାଣ ମୋ ପାଇଁ କେବଳ ଏକ ବୃତ୍ତିଗତ ଯାତ୍ରା ନୁହେଁ, ଏହା ଏକ ଶିଶୁର ଲାଳନପାଳନ କରିବା ଭଳି ଯାତ୍ରା। ପ୍ରତ୍ୟେକ ଚ୍ୟାଲେଞ୍ଜ ମୋତେ କିଛି ନା କିିଛି ଶିଖାଇଛି ଏବଂ ପ୍ରତ୍ୟେକ ସଫଳତା ଆମର ଛାତ୍ରୀଛାତ୍ର, ଶିକ୍ଷକ ଏବଂ ଅଭିଭାବକମାନଙ୍କ ସାମୂହିକ ପ୍ରୟାସ ଦ୍ୱାରା ସମ୍ଭବ ହୋଇଛି। ମୁଁ ବିଶ୍ୱାସକରେ ଯେ ଆମେ ସୃଷ୍ଟିକରିଥିବା ପରିବେଶ ‘ଆଇପିଏସ୍’କୁ ସ୍ୱତନ୍ତ୍ର କରାଏ। ଆମେ କେବଳ ଶିକ୍ଷା ଉପରେ ଧ୍ୟାନଦେଉନାହୁଁ, ବରଂ ପ୍ରତ୍ୟେକ ପିଲାଙ୍କ ସାମଗ୍ରିକ ବିକାଶ ଉପରେ ଧ୍ୟାନ ଦେଉଛୁ। ଏକ ଆବାସିକ ବିଦ୍ୟାଳୟ ଭାବରେ ଆମେ ଏକ ଘର ଭଳି ପରିବେଶ ମଧ୍ୟ ପ୍ରଦାନ କରୁ, ଯେଉଁଠାରେ ପିଲାମାନେ ସର୍ୱଦା ଯତ୍ନବାନ୍ ଓ ସ୍ୱାଧୀନତା ଅନୁଭବ କରନ୍ତି।
ପ୍ର. ଆପଣଙ୍କ ଦୂରଦୃଷ୍ଟି ଏବଂ ନିଷ୍ଠା ଏହି ଅନୁଷ୍ଠାନକୁ ନୂତନ ଉଚ୍ଚତାରେ ପହଞ୍ଚାଇଛି। ଏହି କ୍ଷେତ୍ରରେ କ୍ୟାରିୟର ଆରମ୍ଭ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ଆପଣ କି ପରାମର୍ଶ ଦେବେ?
ଉ- ଶିକ୍ଷା କେବଳ ଏକ ବୃତ୍ତି ନୁହେଁ, ଏହା ଏକ ଦାୟିତ୍ୱ ଏବଂ ଏକ ଆହ୍ୱାନ। ଏହି କ୍ଷେତ୍ରରେ ଆସୁଥିବା ଯେକୌଣସି ବ୍ୟକ୍ତିଙ୍କୁ ମୋର ପରାମର୍ଶ, ହୃଦୟର ସହ ନେତୃତ୍ୱ ନିଅନ୍ତୁ। ଯଦି ଜଣେ ପ୍ରକୃତରେ ପିଲାମାନଙ୍କ ଯତ୍ନ ନେଉଛନ୍ତି, ତେବେ ସେ ସର୍ୱଦା ଠିକ୍ ବାଟ ପାଇବେ। ଧୈର୍ଯ୍ୟବାନ୍ ହୁଅନ୍ତୁ, କାରଣ ଶିକ୍ଷାର ଫଳାଫଳ ତୁରନ୍ତ ମିଳେନାହିଁ। ପରିବର୍ତ୍ତନ ପାଇଁ ପ୍ରସ୍ତୁତ ରୁହନ୍ତୁ, କାରଣ ଦୁନିଆ ବଦଳୁଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ନିଜର ମୂଲ୍ୟବୋଧ ସହ ଯୋଡ଼ିହୋଇ ରୁହନ୍ତୁ, କାରଣ ଏହା ହିଁ ଭବିଷ୍ୟତ ପିଢ଼ିକୁ ଗଢ଼ିଥାଏ। କେବଳ ଏକ ଅନୁଷ୍ଠାନ ଗଢ଼ିବାକୁ ଲକ୍ଷ୍ୟ ରଖନ୍ତୁ ନାହିଁ, ଏପରି ଏକ ସ୍ଥାନ ଗଢ଼ିବାକୁ ଲକ୍ଷ୍ୟରଖନ୍ତୁ, ଯେଉଁଠାରେ ପିଲାମାନେ ପ୍ରେରଣା, ସମ୍ମାନ ଏବଂ ଶ୍ରଦ୍ଧା ପାଇପାରିବେ।

