ପତ୍ରପୋଡା ରୋଗ: ଶତାଧିକ ଏକର ଧାନ ଫସଲ ନଷ୍ଟ ଆଶଙ୍କା

ବାଲିଆ,୯ା୧୧: ବିରିଡି ବ୍ଲକର ବଡଖଣ୍ଡାଏତା ପଞ୍ଚାୟତର ବାଇଟାଙ୍ଗୀ, ରାଇମୁହଁ, ବଡଖରଦା, ଗଉଡକିଆରି, ବଉରି ଜୋରି, ଚୌଧୁରିବାଟୀ ପ୍ରଭୃତି ପାଟ ଜମିରେ ପତ୍ରପୋଡା ରୋଗ ଦେଖାଦେଇଛି। ଫଳରେ ଶତାଧିକ ଏକର ଧାନ ଗଛ ସବୁ ନାଲି ପଡି ଗଲାଣି। ଏଥିଯୋଗୁ ଧାନ ଫସଲ ନଷ୍ଟ ହୋଇଯିବା ଚାଷୀମାନେ କହୁଛନ୍ତି। କିଟନାଶକ ପକାଇଲେ ମଧ୍ୟ ତାହାର କୌଣସି ସୁଫଳ ମିଳୁନାହିଁ। ଏଭଳି ଅଭିଯୋଗ ଚାଷୀ ସନାତନ ଖୁଣ୍ଟିଆ, ପ୍ରଦୀପ୍ତ ସାହୁ, ବେଣୁଧର ଖୁଣ୍ଟିଆ, ରବୀନ୍ଦ୍ର ମଥାନ, ନାରାୟଣ ପରିଡା, ସୁକାନ୍ତ ମଥାନ, ପ୍ରଶାନ୍ତ ସାହୁ, ପରମାନନ୍ଦ ବେହେରା, ଅଭୟ କୁମାର ସାହୁ ପ୍ରମୁଖ ଆଣିଛନ୍ତି। ଏଥିପ୍ରତି ସରକାରୀ ସ୍ତରରେ କୌଣସି ସାହାଯ୍ୟ ମିଳୁ ନ ଥିବାରୁ ବା ପତ୍ର ପୋଡା ରୋଗ ପାଇଁ କୃଷି ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହୋଇଛି। ଚାଷୀମାନେ ଚଳିତବର୍ଷ ସାରଳା, ଆରଜେଲ୍‌, ପ୍ରଧାନ ପ୍ରଭୃତି ଧାନ ବିହନ ଆଣି ଚାଷ କରିଥିଲେ। ଏହି ଧାନ ୧୪୫ ଦିନରେ ଥୋଡ ବାହାରିବା କଥା। ହେଲେ ୧୫୫ ଦିନରୁ ଊର୍ଦ୍ଧ୍ୱ ସମୟ ବିତି ଯାଇଥିଲେ ମଧ୍ୟ ଧାନ ଗଛରେ ଥୋଡ ବାହାରୁନାହିଁ। ଯାହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି। ଏକର ପିଛା ୨୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରି ଚାଷୀମାନେ ଧାନ ଚାଷ କରିଥିଲେ। ଏଥିଯୋଗୁ ଅମଳ କମିଯିବ ବୋଲି ଚାଷୀମାନେ ଆଶଙ୍କା ପ୍ରକାଶ କରିଛନ୍ତି। ତେବେ କୃଷି ବିଭାଗ ପକ୍ଷରୁ କ୍ଷେତ୍ର ପରିଦର୍ଶନ କରି ପତ୍ର ପୋଡା ଓ ଅନ୍ୟ ରୋଗ ଯୋଗୁ ନଷ୍ଟ ହୋଇଥିବା ଧାନ ଫସଲ ପାଇଁ ସରକାରୀ ସହାୟତା ଯୋଗାଇ ଦେବାକୁ ଚାଷୀମାନେ ଦାବି କରିଛନ୍ତି। ଏ ସମ୍ପର୍କରେ କୃଷି ବିଭାଗର କ୍ଷେତ୍ର ପରିଦର୍ଶକ ରୁଦ୍ରନାରାୟଣ ମହାନ୍ତିଙ୍କୁ ପଚାରିବାରେ ଏହି ରୋଗ ସବୁଆଡେ ବ୍ୟାପିଛି। ଏହାର ପ୍ରତିକାର ପାଇଁ ଯେଉଁ କିଟନାଶକ ଆବଶ୍ୟକ ତାହା ଚାଷୀମାନଙ୍କୁ କୁହାଯିବା ସହ ଟୋକନ ଦେଇଥିଲୁ। ସେମାନେ କିଟନାଶକ ଆଣି ଧାନ ଗଛରେ ସିଞ୍ଚନ କରିଥିଲେ। ହେଲେ ଔଷଧ କାମ କଲାନାହିଁ। ଯଦି ସରକାରୀ ସ୍ଥରରେ କୌଣସି ସୁବିଧା ଆସେ ବିଭାଗ ପକ୍ଷରୁ ଚାଷୀମାନଙ୍କୁ ଜଣାଇବୁ ବୋଲି ସେ କହିଥିଲେ।