ଭୁବନେଶ୍ୱର,୫ା୫: ଦୀଘାରେ ଜଗନ୍ନାଥ ଧାମ ବିବାଦକୁ ନେଇ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ପ୍ରକୋଷ୍ଠରେ ଅନୁଷ୍ଠିତ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ବୈଠକ ଶେଷ ପରେ ଖବରଦାତା ସମ୍ମିଳନୀରେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଦୀଘା ଜଗନ୍ନାଥ ମନ୍ଦିର ମୂର୍ତ୍ତି ନିର୍ମାଣକୁ ନେଇ ଦ୍ବନ୍ଦ୍ବ ଦୂର କରିଛନ୍ତି। ବଳକା ଦାରୁରେ ମୂର୍ତ୍ତି ନିର୍ମାଣ ମିଛ ବୋଲି ମନ୍ତ୍ରୀ କହିଛନ୍ତି। ମହାରଣା ସେବକଙ୍କ ସହ ଆଲୋଚନା ପରେ ଏହା ସ୍ପଷ୍ଟ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି।
ମାତ୍ର ଅଢ଼େଇ ଫୁଟ ଉଚ୍ଚ ଦାରୁରେ ମୂର୍ତ୍ତି ନିର୍ମାଣ ଅସମ୍ଭବ। ରାମକୃଷ୍ଣ ଦାସମହାପାତ୍ର ଏହା କହୁ କହୁ କହି ଦେଇଥିବା ଜଣାଇଛନ୍ତି। ଭୁବନେଶ୍ବରର ସୁଦର୍ଶନ ମହରଣା ନିମ୍ବ କାଠରେ ମୂର୍ତ୍ତି ତିଆରି କରିଛନ୍ତି। ଏହି ମୂର୍ତ୍ତି ନେଇ ରାମକୃଷ୍ଣ ଦୀଘାରେ ଦେଇଛନ୍ତି ବୋଲି ଆଇନମନ୍ତ୍ରୀ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷେ ଦୀଘା ଜଗନ୍ନାଥ ଧାମକୁ ନେଇ ମୁହଁ ଖୋଲିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମମତା ଓଡ଼ିଶା ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ପୁରୀ ମନ୍ଦିର ଓ ଜଗନ୍ନାଥଙ୍କୁ ସମ୍ମାନ କରୁ। ସାରା ଦେଶରେ କାଳୀ ମନ୍ଦିର ଓ ଗୁରୁଦ୍ୱାର ରହିଛି। ମାତ୍ର ଦୀଘା ମନ୍ଦିରକୁ ନେଇ ଏତେ ରାଗ କାହିଁକି ବୋଲି ଓଡ଼ିଶା ସରକାରଙ୍କୁ ମମତା ପ୍ରଶ୍ନ କରିଛନ୍ତି।


