ଶାବର ଶ୍ରୀକ୍ଷେତ୍ରରେ ଲାଠିଯାତ୍ରା: ପାରମ୍ପରିକ ବାଦ୍ୟର ତାଳେତାଳେ ନାଚିଲେ ଶତାଧିକ ଆଦିବାସୀ

କୋରାପୁଟ,୨୧ା୧୦(ଅମିତାଭ ବେହେରା): ବିଜୟାଦଶମୀ ଅବସରରେ ବୁଧବାର କୋରାପୁଟ ଜଗନ୍ନାଥ ମନ୍ଦିର ପରିସରରେ ପାରମ୍ପରିକ ଲାଠିଯାତ୍ରା ସମ୍ପନ୍ନ ହୋଇଛି। କୋରାପୁଟ ସହର ଆଖପାଖ ଗ୍ରାମରୁ ଗ୍ରାମଦେବୀଙ୍କ ପ୍ରତିନିଧି ସ୍ବରୂପ ଲାଠି ଧରି ଶହଶହ ଆଦିବାସୀ ପରିବାର ଏହି ଯାତ୍ରାରେ ସାମିଲ ହୋଇଥିଲେ।
ରାଜାରାଜୁଡ଼ା ଅମଳରୁ ଲାଠିକୁ କାନ୍ଧରେ ବୋହି ଜୟପୁର ଦଶହରାକୁ ନିଆଯାଉଥିବା ପରମ୍ପରା ରହିଛି। ଦୀର୍ଘ ବର୍ଷ ଧରି କୋରାପୁଟ ଆଖପାଖ ଗ୍ରାମବାସୀ ଶାବର ଶ୍ରୀକ୍ଷେତ୍ରର ନିଶାଣୀମୁଣ୍ଡା ପୀଠରେ ସାମୂହିକ ଲାଠିପୂଜା କରିଆସୁଛନ୍ତି ବୋଲି ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସମ୍ପାଦକ ଅଯୋଧ୍ୟା ସାମଲ କହିଛନ୍ତ। ଏହି ଅବସରରେ ଗୁରୁମାଇମାନେ ଆଦିବାସୀ ଭାଷାରେ ମନ୍ତ୍ରୋଚ୍ଚାରଣ କରିଥିଲେ। ପାରମ୍ପରିକ ବାଦ୍ୟର ତାଳେତାଳେ ଆଦିବାସୀମାନେ ନୃତ୍ୟ କରିଥିଲେ। ମା’ ବିମଳାଙ୍କ ନିକଟରେ ଧୂପ, ଦୀପ ଓ ନୈବେଦ୍ୟ ଅର୍ପଣ ପରେ ଲମ୍ବା ଲାଠି ଧରି ବାଜାବାଜଣା ସହ ସହର ପରିକ୍ରମା କରିଥିଲେ। ପରେ ସମସ୍ତେ ଗ୍ରାମଦେବୀ ନିଶାଣୀମୁଣ୍ଡାଙ୍କ ପୀଠରେ ଏକତ୍ରିତ ହୋଇ ପୂଜାର୍ଚ୍ଚନା କରି ନିଜ ନିଜ ଗ୍ରାମକୁ ଫେରିଥିଲେ। ଲାଠି ଆଣିଥିବା ଗ୍ରାମବାସୀ ଓ ଯାତ୍ରାରେ ସାମିଲ ଗୁରୁମାଇମାନଙ୍କୁ ଜଗନ୍ନାଥ ମନ୍ଦିର କମିଟି ପକ୍ଷରୁ ମନ୍ଦିର ପରିସରରେ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।

Dharitri – Odisha’s No.1 Odia Daily

Share