ନୂଆଦିଲ୍ଲୀ, ୮।୭: ଆମେରିକା ପକ୍ଷରୁ ଇରାନ ଉପରେ ହୋଇଥିବା ନୂଆ ସାମରିକ ଆକ୍ରମଣ ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ (Crude Oil) ଦରରେ ବଡ଼ ଧରଣର ବୃଦ୍ଧି ଦେଖିବାକୁ ମିଳିଛି। ହର୍ମୁଜ ଜଳଡମରୁମଧ୍ୟ (Strait of Hormuz)ରେ ଜାହାଜଗୁଡ଼ିକ ଉପରେ ହୋଇଥିବା ଆକ୍ରମଣର ଜବାବରେ ଆମେରିକା, ଇରାନର କେତେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଉପରେ ବୋମା ବିସ୍ଫୋରଣ କରିଛି। ଏହା ସହିତ ଇରାନର ତେଲ ରପ୍ତାନି ଉପରେ ପୂର୍ବରୁ ଦିଆଯାଇଥିବା ରିହାତିକୁ ପ୍ରତ୍ୟାହାର କରି ଆମେରିକା ପୁଣି ଥରେ କଡ଼ା କଟକଣା ଲାଗୁ କରିଛି। ଏହି ସାମ୍ପ୍ରତିକ ଘଟଣାକ୍ରମ ଯୋଗୁ ଭାରତରେ ପେଟ୍ରୋଲ ଏବଂ ଡିଜେଲ ଦର କମିବା ଆଶାକୁ ଶକ୍ତ ଧକ୍କା ଲାଗିଛି।
ଆମେରିକାର ଏହି ଆକ୍ରମଣ ପରେ ବିଶ୍ୱ ଶକ୍ତି ବଜାର (Energy Market)ରେ ବ୍ୟାପକ ପ୍ରଭାବ ପଡ଼ିଛି। ବ୍ୟବସାୟର ପ୍ରାରମ୍ଭିକ ପର୍ଯ୍ୟାୟରେ ବ୍ରେଣ୍ଟ କ୍ରୁଡ (Brent Crude) ଦର ପ୍ରାୟ ୪ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା। ତେବେ ପରବର୍ତ୍ତୀ ସମୟରେ ଏଥିରେ ସାମାନ୍ୟ ନରମ ଭାବ ଆସିବା ସହ ଏହା ୨.୮୧ ପ୍ରତିଶତ ବୃଦ୍ଧି ପାଇ ବ୍ୟାରେଲ ପିଛା ୭୪.୨୨ ଡଲାରରେ କାରବାର କରୁଛି। ସେହିପରି ଆମେରିକୀୟ ବେଞ୍ଚମାର୍କ ଡବ୍ଲ୍ୟୁଟିଆଇ (WTI) ମଧ୍ୟ ୨.୯୧ ପ୍ରତିଶତ ମହଙ୍ଗା ହୋଇ ବ୍ୟାରେଲ ପିଛା ୭.୪୯ ଡଲାରରେ ପହଞ୍ଚିଛି।
ଭାରତ ନିଜର ଆବଶ୍ୟକତା ଅନୁଯାୟୀ ପ୍ରାୟ ୮୦ ପ୍ରତିଶତରୁ ଅଧିକ ଅଶୋଧିତ ତେଲ ବିଦେଶରୁ ଆମଦାନୀ କରିଥାଏ। ଅନ୍ତର୍ଜାତୀୟ ବଜାରରେ ଦର ବଢ଼ିବା ଯୋଗୁ ଘରୋଇ ବଜାରରେ ପେଟ୍ରୋଲ-ଡିଜେଲ ଶସ୍ତା ହେବା ସମ୍ଭାବନା ଏବେ କ୍ଷୀଣ ହୋଇଯାଇଛି।