ମୃତ୍ୟୁ ପୂର୍ବରୁ ଭାଇରାଲ ହେଲା କରୋନା ରୋଗୀଙ୍କ ଶେଷ ଭିଡିଓ

ହାଇଦ୍ରାବାଦ,୨୯।୬: ମୁଁ ନିଃଶ୍ୱାସ ନେଇପାରୁନି…ଭେଣ୍ଟିଲେଟର ବି ହଟାଇ ନିଆଯାଇଛି…ବାୟ ଡାଡି ବାୟ…। ହାଇଦ୍ରାବାଦରୁ ବିଚଳିତ କରିଦେବା ଭଳି ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ବାପାଙ୍କଠାରୁ ଶେଷ ବିଦାୟ ନେଇ ମୃତ୍ୟୁ ପୂର୍ବରୁ କିଛି ଏଭଳି କହିଛନ୍ତି କରୋନା ସଂକ୍ରମିତ ରୋଗୀ। ଏହି ଭିଡିଓ ହେଉଛି ହାଇଦ୍ରାବାଦର ଜଣେ ୩୪ବର୍ଷୀୟ ବ୍ୟକ୍ତିଙ୍କର। ଉକ୍ତ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇଥିବା ବେଳେ ମୃତ୍ୟୁ ପୂର୍ବରୁ ତାଙ୍କର ଶେଷ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ଦେଖିଲେ ଯେକୌଣସି ବ୍ୟକ୍ତିଙ୍କ ଆଖିରୁ ଲୁହ ଆସିଯିବ। ସୂଚନାଯୋଗ୍ୟ, ଉକ୍ତ ବ୍ୟକ୍ତି କରୋନାରେ ପୀଡ଼ିତ ଥିବା ବେଳେ ତାଙ୍କୁ ବୁଧବାର ଏକ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହା ପୂର୍ବରୁ ୧୦ଟି ପ୍ରାଇଭେଟ ହସ୍ପିଟାଲ ତାଙ୍କୁ ଭର୍ତ୍ତି କରିବା ପାଇଁ ମନା କରିଦେଇଥିଲେ। ତେବେ ସରକାରୀ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ମୃତ୍ୟୁର ୧ଘଣ୍ଟା ପୂର୍ବରୁ ସେ ଏକ ଭିଡିଓ କରିଥିଲେ। ଯେଉଁଥିରେ ସେ ନିଜ ବାପାଙ୍କୁ କହିଥିଲେ ସେ ନିଃଶ୍ୱାସ ନେଇପାରୁ ନାହାନ୍ତି। ଏହି ସମସ୍ୟା ବିଷୟରେ ଡାକ୍ତରଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ ୩ଘଣ୍ଟା ହେଲାଣି ତାଙ୍କୁ ଅକ୍ସିଜେନ ଦିଆଯାଇନାହିଁ। ଆଉ ନିଃଶ୍ୱାସ ନେଇପାରୁନି, ଯେମିତି ଲାଗୁଛି ଆଉ ମୁଁ ବଞ୍ଚିବିନି। ସମସ୍ତଙ୍କୁ ମୋର ଶେଷ ବିଦାୟ ବୋଲି ଉକ୍ତ ଭିଡିଓରେ ସେ କହିଛନ୍ତି। ଏଥିସହ ଏହି ଭିଡିଓ ଶେୟାର କରି କରୋନା ହସ୍ପିଟାଲରେ ରୋଗୀ ସମ୍ମୁଖୀନ ହେଉଥିବା ସମସ୍ୟା ପ୍ରତି ଧ୍ୟାନ ଦେବାକୁ ସେ ନିବେଦନ କରିଛନ୍ତି। ଅନ୍ତିମ ସଂସ୍କାର ପରେ ପୁଅର ଏହି ଭିଡିଓକୁ ଦେଖି ବାପା ନିଜକୁ ସମ୍ଭାଳି ପାରୁ ନାହାନ୍ତି। ତେବେ ଏହି ଭିଡିଓ ସର୍ବସମ୍ମୁଖକୁ ଆସିବା ପରେ ହସ୍ପିଟାଲର ପାରିବାପଣିଆ ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି। ଅପରପକ୍ଷେ ମୃତକଙ୍କ କରୋନା ରିପୋର୍ଟ ଅନ୍ତିମ ସଂସ୍କାର ପରେ ଆସିବାରୁ ଏବେ ଚିନ୍ତାର କାରଣ ପାଲଟିଯାଇଛି। କାରଣ ତାଙ୍କ ସଂସ୍ପର୍ଶରେ ପରିବାରର କେତେକ ଲୋକ ଆସିଥିବା ବେଳେ ସେମାନଙ୍କ ଏଯାଏଁ କରୋନା ଯାଞ୍ଚ କରାଯାଇନାହିଁ।

Share