ପାରଳାଖେମୁଣ୍ଡି,୧୯।୬ (ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ତାଟିପାଟି ଗ୍ରାମରେ ଶୁକ୍ରବାର ଶୋକର ଛାୟା ଖେଳିଯାଇଛି। ଗ୍ରାମର ବୀର ସନ୍ତାନ ତଥା ଭାରତୀୟ ସେନାର ୧୬ ରାଷ୍ଟ୍ରୀୟ ରାଇଫଲ୍ସରେ ନାଏକ ଭାବେ କାର୍ଯ୍ୟରତ ଦେବେନ୍ଦ୍ର ରାଓଙ୍କ ପାର୍ଥିବ ଶରୀର ଜନ୍ମମାଟିରେ ପହଞ୍ଚିବା ପରେ ସମଗ୍ର ଅଞ୍ଚଳ ଭାବବିହ୍ୱଳ ହୋଇଉଠିଥିଲା।
ଜମ୍ମୁର ସୁରାନକୋଟସ୍ଥିତ ସେନା ଶିବିରରେ କାର୍ଯ୍ୟରତ ଥିବାବେଳେ ଗୁରୁବାର ରାତିରେ ଡ୍ୟୁଟି ସମୟରେ ତାଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ପରେ ସେନା କର୍ତ୍ତୃପକ୍ଷ ଆଇନଗତ ପ୍ରକ୍ରିୟା ଓ ବ୍ୟବଚ୍ଛେଦ ସମ୍ପନ୍ନ କରି ପାର୍ଥିବ ଶରୀରକୁ ତାଙ୍କ ଜନ୍ମଗ୍ରାମକୁ ଆଣିଥିଲେ।
ସକାଳୁ ଗୋଷାଣି ଛକରୁ ତାଟିପାଟି ଗ୍ରାମ ପର୍ଯ୍ୟନ୍ତ ଏକ ବିଶାଳ ଶୋକ ଶୋଭାଯାତ୍ରା ବାହାରିଥିଲା। ହଜାର ହଜାର ଲୋକ, ପୂର୍ବତନ ସେନା କର୍ମଚାରୀ ଏବଂ ବିଭିନ୍ନ ବର୍ଗର ବ୍ୟକ୍ତି ଶେଷ ଦର୍ଶନ ପାଇଁ ଉପସ୍ଥିତ ରହି ବୀର ଜବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ଗ୍ରାମରେ ପହଞ୍ଚିବା ପରେ ପାର୍ଥିବ ଶରୀରକୁ ଅନ୍ତିମ ଦର୍ଶନ ପାଇଁ ରଖାଯାଇଥିଲା। ପରେ ସେନା ପକ୍ଷରୁ ତୋପ ସଲାମି ପ୍ରଦାନ କରାଯାଇ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତ୍ୟେଷ୍ଟିକ୍ରିୟା ସମ୍ପନ୍ନ ହୋଇଥିଲା। ସହୀଦ ଜବାନଙ୍କ ବଡ଼ ଭାଇ ମୁଖାଗ୍ନି ଦେଇଥିଲେ। ଦେବେନ୍ଦ୍ର ରାଓ ପରିବାରର ଏକମାତ୍ର ରୋଜଗାରକ୍ଷମ ସଦସ୍ୟ ଥିଲେ। ତାଙ୍କ ପରିବାରରେ ପତ୍ନୀ ଏବଂ ଦୁଇଜଣ କୁନି କନ୍ୟା ରହିଛନ୍ତି। ତାଙ୍କର ଅକାଳ ବିୟୋଗ ପରିବାରକୁ ଗଭୀର ଶୋକରେ ବୁଡ଼ାଇ ଦେଇଥିବା ବେଳେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।