ୱାଶିଂଟନ, ୧୫ା୧୦ (ରଏଟର୍ସ): ବଡ଼ ଆକାରର କୁକୁରମାନେ ଛୋଟ ପ୍ରଜାତିର କୁକୁରଙ୍କ ତୁଳନାରେ କମ୍ ଦିନ ବଞ୍ଚିଥାନ୍ତି। ‘ଗ୍ରେଟ୍ ଡେନ୍’ ଭଳି ବଡ଼ କୁକୁରମାନେ ‘ଚିହୁଆହୁଆ’ ଭଳି ସାନ କୁକୁରଙ୍କ ଅପେକ୍ଷା କମ୍ ବୟସରେ ମୃତ୍ୟୁବରଣ କରିଥାନ୍ତି। ଗବେଷକମାନଙ୍କ ଦ୍ୱାରା କରାଯାଇଥିବା ଏକ ନୂତନ ଗବେଷଣାରୁ ଜଣାପଡ଼ିଛି ଯେ, ଏହାର ମୂଳ କାରଣ ସେମାନଙ୍କ ଡିଏନ୍ଏରେ ବୟସାନୁକ୍ରମେ ହେଉଥିବା ଆଣବିକ (ମଲିକ୍ୟୁଲାର) ପରିବର୍ତ୍ତନରେ ଲୁଚି ରହିଛି।ଜର୍ନାଲ ‘ସାଇନ୍ସ’ରେ ପ୍ରକାଶିତ ଏହି ଗବେଷଣା ଅନୁଯାୟୀ, ବଡ଼ କୁକୁରମାନଙ୍କ କୋଷିକା ଏବଂ ଡିଏନ୍ଏ ସାନ କୁକୁରଙ୍କ ତୁଳନାରେ ଅଧିକ ଦ୍ରୁତଗତିରେ ବୃଦ୍ଧାବସ୍ଥା ଆଡ଼କୁ ଗତି କରିଥାଏ।
ଆରିଜୋନା ଷ୍ଟେଟ୍ ୟୁନିଭର୍ସିଟିର ପ୍ରଫେସର ନୋଆ ସ୍ନାଇଡର୍-ମ୍ୟାକ୍ଲରଙ୍କ ନେତୃତ୍ୱରେ ବୈଜ୍ଞାନିକମାନେ ୮୯୪ଟି କୁକୁରଙ୍କ ୧,୬୪୦ଟି ରକ୍ତ ନମୁନାର ‘ଡିଏନ୍ଏ ମିଥାଇଲେସନ’ ପରୀକ୍ଷା କରିଥିଲେ। ଡିଏନ୍ଏ ମିଥାଇଲେସନ ହେଉଛି କୋଷିକା ମଧ୍ୟରେ କେଉଁ ଜିନ୍ ସକ୍ରିୟ କିମ୍ବା ନିଷ୍କ୍ରିୟ ରହିବ, ତାହା ନିୟନ୍ତ୍ରଣ କରୁଥିବା ଏକ ପ୍ରକ୍ରିୟା। ଏହି ଗବେଷଣାରୁ କେତେକ ବିଷୟ ସାମ୍ନାକୁ ଆସିଛି, ଯେପରି କି ବଡ଼ କୁକୁର ଏବଂ ମାଈ କୁକୁରଙ୍କ ତୁଳନାରେ ଅନେକାଂଶରେ ଅଣ୍ଡିରା କୁକୁରଙ୍କ ରକ୍ତରେ ଆଣବିକ ବୃଦ୍ଧାବସ୍ଥାର ପ୍ରକ୍ରିୟା ଦ୍ରୁତଗତିରେ ଚାଲିଥାଏ। କୁକୁରଙ୍କ ଜିନୋମ୍ରେ ‘ଲାଇନ-୧’ ନାମକ ଜମ୍ପିଂ ଜିନ୍ସ ରହିଥାଏ, ଯାହାକୁ ଡିଏନ୍ଏ ମିଥାଇଲେସନ ନିଷ୍କ୍ରିୟ ବା ଶାନ୍ତ କରି ରଖିଥାଏ। ବଡ଼ କୁକୁରଙ୍କ କ୍ଷେତ୍ରରେ ବୟସ ବଢ଼ିବା ସହ ଏହି ପ୍ରତିରୋଧକ ବ୍ୟବସ୍ଥା କ୍ରମଶଃ ଦୁର୍ବଳ ହୋଇଯାଏ, ଯାହା ଫଳରେ କ୍ୟାନ୍ସର ଏବଂ ଅନ୍ୟାନ୍ୟ ଜଟିଳ ରୋଗର ସମ୍ଭାବନା ବୃଦ୍ଧି ପାଏ। ମାଈ ଓ ଅଣ୍ଡିରା କୁକୁରଙ୍କ କ୍ଷେତ୍ରରେ ‘X’ କ୍ରୋମୋଜୋମ୍ରେ ଜିନ୍ ସଂରଚନାର ଭିନ୍ନତା ଦେଖାଯାଇଛି, ଯାହା ଶରୀରର ଆକାରଠାରୁ ସମ୍ପୂର୍ଣ୍ଣ ସ୍ବତନ୍ତ୍ର।
ବିଶେଷଜ୍ଞଙ୍କ ମତରେ, ବଡ଼ କୁକୁରଙ୍କ କମ୍ ଆୟୁଷ ପ୍ରାକୃତିକ ବିବର୍ତ୍ତନ ବଦଳରେ ମଣିଷ ଦ୍ୱାରା କରାଯାଇଥିବା କୃତ୍ରିମ ପ୍ରଜନନର ପରିଣାମ। ଶିକାର, ପହରା ଦେବା ଓ ସୁରକ୍ଷା ପାଇଁ ମଣିଷ ବଡ଼ ଓ ଦ୍ରୁତ ବୃଦ୍ଧି ପାଉଥିବା କୁକୁର ପ୍ରଜାତି ସୃଷ୍ଟି କଲା, ଯାହାର ନକାରାତ୍ମକ ପ୍ରଭାବ ସେମାନଙ୍କ ଆୟୁଷ ଉପରେ ପଡ଼ିଛି। ଏହି ଗବେଷଣା ଦ୍ୱାରା ଆଗାମୀ ଦିନରେ ବଡ଼ ପ୍ରଜାତିର କୁକୁରଙ୍କଠାରେ ଆଣବିକ ବୃଦ୍ଧାବସ୍ଥାକୁ ଧୀର କରିବା ପାଇଁ ନୂତନ ଚିକିତ୍ସା ପଦ୍ଧତି ବାହାର କରାଯାଇପାରିବ, ଯାହା ସେମାନଙ୍କୁ ଦୀର୍ଘ ଓ ସୁସ୍ଥ ଜୀବନ ଦେବାରେ ସହାୟକ ହେବ।