ବେଲଗୁଣ୍ଠା,୧୪।୩(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବେଲଗୁଣ୍ଠା ଥାନା ଅଧିକାରୀ ରେବତୀ ଶବରଙ୍କ ନେତୃତ୍ୱରେ ପୋଲିସ ଟିମ୍ ବରଗାଁ ଗ୍ରାମର ବଡ଼ସାହିରେ ଶନିବାର ଚଢ଼ାଉ କରିଥିଲା। ଚଢାଉ ବେଳେ ପୋଲିସ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ସହ ୨ଜଣ ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇଥିଲା। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଶଙ୍କର ଜେନା(୩୮) ଏବଂ ସାଗର ଜେନା(୨୮)।
ଅଭିଯୁକ୍ତମାନେ କୌଣସି ବଡ଼ ଧରଣର ବେଆଇନ କାର୍ଯ୍ୟ ପାଇଁ ବିସ୍ଫୋରକ ମହଜୁଦ ରଖିଥିବା ପୋଲିସ ସନ୍ଦେହ କରୁଛି। ଜବତ ସାମଗ୍ରୀ ମଧ୍ୟରେ ୮ ପ୍ୟାକେଟ୍ ଆମୋନିୟମ ନାଇଟ୍ରେଟ ରହିଛି, ଯେଉଁଥିରୁ ପ୍ରତ୍ୟେକର ଓଜନ ପ୍ରାୟ ୫୦ କେଜିରୁ ଅଧିକ। ଏଥି ସହିତ ୫୯୯ଟି ଆଇଡିଆଲ ପାୱାର-୯୦ ଜେଲାଟିନ ଷ୍ଟିକ, ୧୫ କଏଲ ବ୍ଲାଷ୍ଟିଂ ତାର ଏବଂ ୧୧ କଏଲ ଡିଏଫଏ ତାର ଜବତ କରାଯାଇଛି।
ଏନେଇ ବେଲଗୁଣ୍ଠା ପୋଲିସ ଏକ ମାମଲା(ନଂ.୯୬/୨୬) ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ଦ୍ୱୟଙ୍କୁ ଭଞ୍ଜନଗର ଏସ୍ଡିଜେଏମ୍ କୋର୍ଟ ଚାଲାଣ କରାଯାଇଛି। ଏତେ ପରିମାଣର ବିସ୍ଫୋରକ କେଉଁଠୁ ଆସିଲା ଏବଂ ଏହା ପଛରେ କୌଣସି ବଡ଼ ର଼୍ୟାକେଟ ସମ୍ପୃକ୍ତ ଅଛି କି ନାହିଁ, ସେ ନେଇ ପୋଲିସ ଅଧିକ ଛାନଭିନ ଜାରି ରଖିଛି ବୋଲି ଥାନା ଅଧିକାରୀ ଶବର ପ୍ରକାଶ କରିଛନ୍ତି।

