ଆଜିଠୁ ବରଗଡ଼ ଧନୁଯାତ୍ରା

ବରଗଡ଼ ଅଫିସ୍‌,୨୭।୧୨: ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ମଙ୍ଗଳବାରଠାରୁ ଆରମ୍ଭ ହେବ। ଏହା ୧୧ଦିନ ବ୍ୟାପୀ ଚାଲିବ। ବରଗଡ଼ ସହର ମଥୁରାନଗରୀ, ସହର ଉପକଣ୍ଠ ଅମ୍ବାପାଲି ଗୋପପୁର ଏବଂ ଜିରା ନଦୀ ଯମୁନା ପାଲଟିବ। କୋଭିଡ୍‌ କଟକଣା ଯୋଗୁ ବିଗତ ୨ବର୍ଷ ଧରି ଧନୁଯାତ୍ରା ହୋଇ ପାରି ନ ଥିଲା। କଟକଣା ହଟିବା ପରେ ଏଥର ମହୋତ୍ସବ ପୁଣି ଆରମ୍ଭ ହେବ। ଫଳରେ ଦର୍ଶକଙ୍କଠାରୁ ଆରମ୍ଭ କରି କଳାକାର ତଥା ଉଭୟ ମଥୁରା ଓ ଗୋପପୁରବାସୀଙ୍କ ମଧ୍ୟରେ ଉତ୍ସାହ ଉଦ୍ଦୀପନା ପରିଲକ୍ଷିତ ହୋଇଛି। ଧନୁଯାତ୍ରା ପାଇଁ ଗୋଟିଏ ହାତୀ ମାହୁନ୍ତ ସହିତ ଏଠାରେ ପହଞ୍ଚତ୍ଥିବା ବେଳେ ୪ଘୋଡ଼ା ଏବଂ ୫ଓଟ ଆସିଛନ୍ତି। ପରମ୍ପରା ଅନୁଯାୟୀ, ସ୍ଥାନୀୟ ବିଧାୟକ ଦେବେଶ ଆଚାର୍ଯ୍ୟ ଏବଂ ବରଗଡ଼ ଏମ୍‌ପି ସୁରେଶ ପୂଜାରୀ ସନ୍ଧ୍ୟା ୭ଟାରେ ମହୋତ୍ସବକୁ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଥମ ୭ଦିନ ହାଟପଦା ମଞ୍ଚ ରାଜଦରବାର ଏବଂ ଶେଷ ୪ଦିନ ରଙ୍ଗମହଲ ପାଲଟିବ ବୋଲି ଧନୁଯାତ୍ରା ମହୋତ୍ସବ ସମିତିର ଆବାହକ ସୁରେଶ୍ୱର ଶତପଥି ସୂଚନା ଦେଇଛନ୍ତି।