ପ୍ରଶ୍ନପତ୍ର ଲିକ୍‌ ପଛରେ ବଡ଼ ନେଟ୍‌ଓ୍ବର୍କ: ସାଂଘାତିକ ଖୁଲାସା, ୩ ରାଜ୍ୟରୁ…

ନୂଆଦିଲ୍ଲୀ,୧୩ା୫:ଏନ୍‌ଇଇଟି-ୟୁଜି ପ୍ରଶ୍ନପତ୍ର ଲିକ୍‌ ମାମଲାରେ ଏକ ବଡ଼ ଅଗ୍ରଗତି ହୋଇଛି। ତଦନ୍ତକାରୀ ଅଧିକାରୀମାନେ ନାସିକ୍‌ରୁ ଡେରାଡୁନ୍‌ ଏବଂ ରାଜଗିର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅନେକଙ୍କୁ ଗିରଫ କରିଛନ୍ତି। ପ୍ରଶ୍ନପତ୍ର ଲିକ୍‌ ପଛରେ ଏକ ସୁସଂଗଠିତ ନେଟ୍‌ଓ୍ବର୍କ କାମ କରୁଥିବା ଏବଂ ଏହାର ଚେର ମହାରାଷ୍ଟ୍ର, କେରଳ, ହରିୟାଣା, ବିହାର, ରାଜସ୍ଥାନ ଓ ଉତ୍ତରାଖଣ୍ଡକୁ ବ୍ୟାପିଥିବା ତଦନ୍ତକାରୀ ସଂସ୍ଥାମାନେ ଜାଣିବାକୁ ପାଇଛନ୍ତି। ଉକ୍ତ ନେଟ୍‌ଓ୍ବର୍କରେ ପ୍ରଶ୍ନପତ୍ର ସମାଧାନକାରୀ, ନକଲି ପରୀକ୍ଷାର୍ଥୀ, କୋଚିଂ ସେଣ୍ଟର କାଉନ୍‌ସିଲର ଏବଂ ଏପରିକି ଏମ୍‌ବିବିଏସ୍‌ ଛାତ୍ରୀଛାତ୍ର ରହିଥିବା ତଦନ୍ତରୁ ଜଣାପଡ଼ିଛି।
ମହାରାଷ୍ଟ୍ରର ନାସିକ୍‌ରୁ ଜଣେ ଡାକ୍ତରୀ ଛାତ୍ରଙ୍କୁ ଗିରଫ କରାଯାଇଛି। ଶୁଭମ୍‌ ଖୈରନାର ନାମକ ଏହି ଛାତ୍ର ଭୋପାଳର ହୋଇଥିବାବେଳେ ତାଙ୍କ ନିକଟରୁ ପରୀକ୍ଷାର କିଛିଦିନ ପୂର୍ବରୁ ସମ୍ଭାବ୍ୟ ପ୍ରଶ୍ନପତ୍ରର କେତେକ ନକଲ ମିଳିଥିଲା। ସେ ସେଗୁଡ଼ିକର ସଫ୍ଟ କପି ହରିୟାଣାର ଜଣେ ବ୍ୟକ୍ତିଙ୍କ ପାଖକୁ ପଠାଇଥିଲେ। ରାଜସ୍ଥାନ ପୋଲିସର ଅନୁରୋଧକ୍ରମେ ନାସିକ ପୋଲିସର କ୍ରାଇମ୍‌ ବ୍ରାଞ୍ଚ୍‌ ଶୁଭମ୍‌ଙ୍କୁ ଗିରଫ କରିଥିବାବେଳେ ରାଜସ୍ଥାନ ପୋଲିସ ଟିମ୍‌ ତାଙ୍କୁ ଜେରା କରିବା ପାଇଁ ହାଜତକୁ ନେବ। ନାସିକ୍‌ର ଏକ ପ୍ରେସ୍‌ରେ ସମ୍ଭାବ୍ୟ ପ୍ରଶ୍ନପତ୍ର ଛପାଯିବା ସହ ହରିୟାଣା ଓ ରାଜସ୍ଥାନରେ ବ୍ୟବହାର କରାଯାଇଥିବା ନେଇ ରାଜସ୍ଥାନର ସ୍ପେଶାଲ ଅପରେଶନ୍ସ ଗ୍ରୁପ୍‌ (ଏସ୍‌ଓଜି) ପୂର୍ବରୁ କହିଥିଲା। ପରୀକ୍ଷା ଦିନ ବିହାରର ରାଜଗିରରେ ପୋଲିସ ଗାଡ଼ି ଯାଞ୍ଚ କଲାବେଳେ ୨ଟି କାର୍‌କୁ ଧରିଥିଲା। ଗୋଟିଏ କାର୍‌କୁ ଜଣେ ଏମ୍‌ବିବିଏସ୍‌ ଛାତ୍ର ଚଳାଉଥିବାବେଳେ ସେଥିରେ ବିପୁଳ ପରିମାଣର ନଗଦ ଟଙ୍କା ରହିଥିଲା। ସେମାନଙ୍କ ଫୋନ୍‌ ଚେକ୍‌ କରିବାରୁ ଏକାଧିକ ଆଡମିଟ୍‌ କାର୍ଡ ମିଳିଥିଲା। କାର୍‌ରେ ଥିବା ୩ ଜଣଙ୍କୁ ଗିରଫ କରାଯାଇଥିଲା।
ରାଜସ୍ଥାନ ପୋଲିସ ଏସ୍‌ଓଜି ଗତ ୭ ତାରିଖରେ ଡେରାଡୁନ୍‌ରୁ ପ୍ରଶ୍ନପତ୍ର ଲିକ୍‌ ମାମଲାର ମାଷ୍ଟରମାଇଣ୍ଡ ରାକେଶ କୁମାରଙ୍କ ସମେତ ୫ ଜଣଙ୍କୁ ଗିରଫ କରିଥିଲା। ଏହା ପରଦିନ ୪ ଜଣ ଏନ୍‌ଇଇଟି ଆଶାୟୀ ଗିରଫ ହୋଇଥିଲେ। ରାକେଶ କେରଳର ଜଣେ ପରୀକ୍ଷାର୍ଥୀଙ୍କଠାରୁ ୪୧୦ ପ୍ରଶ୍ନ ଥିବା ଏକ କୋଶ୍ଚିନ୍‌ ବ୍ୟାଙ୍କ ପାଇଥିଲେ ବୋଲି ଅଭିଯୋଗ ହୋଇଛି। ସେଥିରୁ ୧୫୦ଟି ପ୍ରଶ୍ନ ଗତ ୩ ତାରିଖରେ ହୋଇଥିବା ଏନ୍‌ଇଇଟି ପରୀକ୍ଷାର ପ୍ରଶ୍ନ ସହ ମେଳ ଖାଉଛି। ସେ ଏହି ପ୍ରଶ୍ନଗୁଡ଼ିକୁ ପରୀକ୍ଷାର୍ଥୀମାନଙ୍କୁ ପ୍ରଥମେ ୫ ଲକ୍ଷ ଏବଂ ପରେ ୩୦ ହଜାର ଟଙ୍କା ଲେଖାରେ ବିକ୍ରି କରିଥିଲେ। ସିକରସ୍ଥିତ କୋଚିଂ ସେଣ୍ଟରର କାଉନସିଲର ୫ ଲକ୍ଷ ଟଙ୍କାରେ ସମ୍ଭାବ୍ୟ ପ୍ରଶ୍ନପତ୍ର କିଣି ଏହାକୁ ହ୍ବାଟ୍ସଆପ୍‌ ଜରିଆରେ ଏନ୍‌ଇଇଟି ଆଶାୟୀମାନଙ୍କୁ ବିକ୍ରି କରିଥିବା ଅଭିଯୋଗରେ ତାଙ୍କୁ ଅଟକ ରଖାଯାଇଛି। ଏସ୍‌ଓଜି ଏପର୍ଯ୍ୟନ୍ତ ଡେରାଡୁନ୍‌, ସିକର ଏବଂ ଝୁନ୍‌ଝୁନୁର ୧୩ ଜଣ ସନ୍ଦିଗ୍ଧଙ୍କୁ ଜେରା କଲାଣି।

 

Dharitri – Odisha’s No.1 Odia Daily

 

Share