ପାପଡ଼ାହାଣ୍ଡି, ୧୮।୭ (ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ମୈଦଲପୁର ଥାନା କୁମିଦୋରାରେ ଜମି ବାଡ଼ି ବିବାଦକୁ ନେଇ ସାନବାର୍ଲି ଗ୍ରାମର ତିନି ଭାଇ ଘାସିରାମ ହରିଜନ, ତୁଲାରାମ ହରିଜନ ଓ ଦୈତାରି ହରିଜନ ମିଶି ନୂଆଗୁଡା ଗ୍ରାମର ବିଜମଲ ହରିଜନ ଓ ତାଙ୍କ ସ୍ତ୍ରୀ ଟଭା ହରିଜନଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଛନ୍ତି। ଗୁରୁତର ଅବସ୍ଥାରେ ବିଜମଲ ଓ ତାଙ୍କ ସ୍ତ୍ରୀଙ୍କୁ ପ୍ରଥମେ ପାପଡ଼ାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ମୈଦଲପୁର ପୋଲିସ ଏତଲା ପାଇବା ପରେ ଘାସିରାମ, ତୁଲାରାମ ଓ ଦୈତାରିଙ୍କୁ ଅଟକ ରଖି ପଚରାଉଚରା କରୁଛି। ପୋଲିସ କେସ ନଂ ୬୪/୨୫ରେ ମାମଲା ରୁଜୁ କରି କରି ତଦନ୍ତ ଚଳାଇଛି। ଅଭିଯୋଗ ପ୍ରକାରେ କୁମିଦୋରାରେ ଥିବା ଜମିରେ ବିଜମଲ ଚାଷ କରିଥିଲେ। ସେହି ଜମିରେ ଅଭିଯୁକ୍ତମାନେ ଟ୍ରାକ୍ଟର ଲଗାଇ ଧାନ ଚାଷକୁ ନଷ୍ଟ କରିଥିଲେ। ବିଜମଲ ଓ ତାଙ୍କ ସ୍ତ୍ରୀ ଯାଇ ମନା କରିବାରୁ ସେମାନେ ଟାଙ୍ଗିଆରେ ଆକ୍ରମଣ କରି ଏକ ବୁଦା ତଳେ ପକାଇଥିଲେ। ପରିବାର ଲୋକ ଖବରପାଇ ଆମ୍ବୁଲାନ୍ସ ଯୋଗେ ପାପଡ଼ାହାଣ୍ଡି ମେଡିକାଲକୁ ନେଇଥିଲେ। ପରେ ସେମାନଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।


