ଖଣି ଖନନ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ

ଝାରସୁଗୁଡ଼ା ଅଫିସ,୩୦ା୮: ନେଭେଲି ଲିଗଲାଇଟ୍‌ କର୍ପୋରେଶନ (ଏନ୍‌ଏଲ୍‌ସି)କୁ ଝାରସୁଗୁଡା ଜିଲା ମଲଦା ପଞ୍ଚାୟତରେ କୋଲ୍‌ବ୍ଲକ୍‌ ମଳିଥିବାବେଳେ ଏବେ କମ୍ପାନୀ ତରଫରୁ କୋଇଲା ଖଣି ଖନନ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାକୁ ପଞ୍ଚାୟତବାସୀ ବିରୋଧ କରିଆସୁଛନ୍ତି। ଏଥିରେ ଜିଲା ପ୍ରଶାସନ ହସ୍ତକ୍ଷେପ କରି କମ୍ପାନୀ ଓ ଲୋକଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି।
ଜିଲା ପ୍ରଶାସନ ଆହ୍ବାନକ୍ରମେ ଉପଜିଲାପାଳ ଦୟାମୟ ପାଢୀଙ୍କ ଅଧ୍ୟକ୍ଷତାରେ ମଲଦା ଗ୍ରାମରେ ସୋମବାର ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲା ପ୍ରଶାସନ ତରଫରୁ ଉପଜିଲାପାଳ ପାଢୀ, ବିଡିଓ ପୂର୍ଣ୍ଣଚନ୍ଦ୍ର ଭୋଇ, ତହସିଲଦାର ବସନ୍ତ କୁମାର ହାତୀ ଓ ଏନ୍‌ଏଲ୍‌ସି କମ୍ପାନୀ ତରଫରୁ କାର୍ଯ୍ୟକାରୀ ନିର୍ଦ୍ଦେଶକ ହେମନ୍ତ କୁମାର, ଜମି ଅଧିଗ୍ରହଣ ଅଧିକାରୀ ପି ମହେଶ ପ୍ରମୁଖ ଯୋଗଦେଇଥିଲେ। ଗ୍ରାମବାସୀଙ୍କ ତରଫରୁ ସ୍ଥାନୀୟ ସରପଞ୍ଚ ରିଙ୍କି ସିଂହ, ନରେନ୍ଦ୍ର ସିଂହ, ପ୍ରମୋଦ କୁମାର ସାହୁ, ପ୍ରଦୀପ କୁମାର ସିଂହ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରାରମ୍ଭରେ କମ୍ପାନୀ ଜମି ଅଧିଗ୍ରହଣ ନେଇ ଉପଜିଲାପାଳ ପାଢୀ ଉପସ୍ଥିତ ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ। ସେ କହିଥିଲେ କମ୍ପାନୀ କୋଲ୍‌ବିଅରିଂ(ସିବି) ଆକ୍ଟ ଜରିଆରେ ଜମି ଅଧିଗ୍ରହଣ କରିବା ପାଇଁ ଯାଉଛି। ଏହି ଆଇନ ଅନୁଯାୟୀ କମ୍ପାନୀ ଲୋକଙ୍କୁ ସୁବିଧା ସୁଯୋଗ ଯୋଗାଇଦେବ। ଏହାକୁ ଗ୍ରାମବାସୀ ଅଗ୍ରାହ୍ୟକରି ୧୮ଦଫା ସମ୍ବଳିତ ଦାବିପତ୍ର ଉପଜିଲାପାଳ ଓ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିଛନ୍ତି। ସେମାନେ ଦର୍ଶାଇଛନ୍ତି, ମଲଦା ଗ୍ରାମରେ ଅଧିକାଂଶ ଆଦିବାସୀ, ଦଳିତ ଶ୍ରେଣୀ ଲୋକେ ବାସବାସ କରୁଛନ୍ତି। ଏମାନଙ୍କ ମଧ୍ୟରେ ଭୂମିହୀନ, କ୍ଷୁଦ୍ରଚାଷୀ, ନାମମାତ୍ର ଚାଷୀ ରହିଛନ୍ତି। ଏଠାରେ କୋଇଲା ଖଣି ଖନନ ହେଲେ ଲୋକେ ଜୀବିକା ହରାଇବେ ା ଏଣୁ ଗ୍ରାମର ପ୍ରତ୍ୟେକ ବର୍ଗର ଲୋକଙ୍କୁ ଉପଯୁକ୍ତ କ୍ଷତିପୂରଣ, ସ୍ଥାୟୀ ନିଯୁକ୍ତି ଓ ଥଇଥାନ ଆଦି ପ୍ରଦାନ, ପ୍ରତ୍ୟେକ ପରିବାରକୁ ମାଗଣାରେ ପାନୀୟଜଳ ଓ ବିଦ୍ୟୁତ୍‌ ଯୋଗାଣ, ପ୍ରତି ଏକର ଜମିର କ୍ଷତିପୂରଣ ମୂଲ୍ୟ ୧କୋଟି ଟଙ୍କା ପ୍ରଦାନ, ଚାକିରି ଅନାଗ୍ରହ ଲୋକଙ୍କୁ ୫୦ଲକ୍ଷ ଟଙ୍କା ଅର୍ଥତ୍କ ସହାୟତା ଦିଆଯାଉ। ଜିଲା ପ୍ରଶାସନ ବୈଠକ ଡକାଇ ଗ୍ରାମବାସୀଙ୍କ ଦାବି ସମୂହକୁ ବିଚାରକରି କମ୍ପାନୀ, ଗ୍ରାମବାସୀ ଓ ଜିଲା ପ୍ରଶାସନ ମଧ୍ୟରେ ଚୁକ୍ତି ସ୍ବାକ୍ଷର କରିବାପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏସବୁ ଦାବି ପୂରଣ ନ ହେଲେ ଗ୍ରାମବାସୀ ଖଣି ଖନନ କରିବାକୁ ଦେବେନାହିଁ ବୋଲି ଚେତାବନୀ ଦେଇଛନ୍ତି।