ମୁରବିବିହୀନ ଜିଆର୍‌ପି ଥାନାରେ କର୍ମଚାରୀ ମରୁଡ଼ି

ବ୍ରହ୍ମପୁର ଅଫିସ,୧୭।୫: ବ୍ରହ୍ମପୁରରେ ଥିବା ସରକାରୀ ରେଳବାଇ ପୋଲିସ (ଜିଆର୍‌ପି) ଥାନାରେ ଏବେ ଇନ୍ସପେକ୍ଟର ପଦବୀ ଖାଲି ପଡ଼ିଛି। ଗତ ୨୭ ତାରିଖରୁ ଇନ୍ସପେକ୍ଟର ଜ୍ୟୋତି ପ୍ରକାଶ ନାୟକଙ୍କ କଟକ ଜିଆର୍‌ପି ଥାନାକୁ ବଦଳି ହୋଇଛି। ବ୍ରହ୍ମପୁର ଜିଆର୍‌ପିରେ ଗତ ୨୦ ଦିନ ହେଲା ଏହି ପଦବୀ ଖାଲି ପଡ଼ିଛି। କୌଣସି ଇନ୍ସପେକ୍ଟରଙ୍କୁ ନିଯୁକ୍ତି ଦିଆଯାଇନାହିଁ। ସେହିପରି ଥାନାରେ ଏବେ କର୍ମଚାରୀ ଅଭାବ ମଧ୍ୟ ଦେଖାଦେଇଛି। ଫଳରେ ଥାନାର ଦେନିନ୍ଦିନ କାମ ସମ୍ପାଦନରେ ନାନା ଅସୁବିଧା ହେଉଛି। ବ୍ରହ୍ମପୁର ରେଳଷ୍ଟେଶନ ଦକ୍ଷିଣ ଓଡ଼ିଶାର ଏକ ପ୍ରମୁଖ ଷ୍ଟେଶନ। ତେଣୁ ଯାତ୍ରୀଙ୍କ ସୁରକ୍ଷା ପାଇଁ ଏହି ଥାନା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥାଏ। ହେଲେ ଆବଶ୍ୟକ ଭିତ୍ତିଭୂମି ଅଭାବ ଓ କର୍ମଚାରୀ ମରୁଡ଼ି ଥାନା କାର୍ଯ୍ୟରେ ବାଧା ସୃଷ୍ଟି କରିଛି। ରାଜ୍ୟରେ ସରକାର ବିଭିନ୍ନ ଥାନାରେ ମହିଳା ଓ ଶିଶୁ ଡେସ୍କ ଖୋଲିଛନ୍ତି। ହେଲେ ଏଠାରେ ଜଣେ ବି ମହିଳା ପୋଲିସ ଅଧିକାରୀ ନାହାନ୍ତି। ଫଳରେ ଟ୍ରେନରେ ଯାତ୍ରା ବେଳେ ନିର୍ଯାତନାର ଶିକାର ହେଉଥିବା ମହିଳା ଯାତ୍ରୀ ଥାନାରେ ମହିଳା ଅଧିକାରୀଙ୍କୁ ନ ପାଇ କାହାକୁ ଗୁହାରି କରିବେ ସେ ନେଇ ଦ୍ୱନ୍ଦ୍ୱରେ ପଡ଼ୁଛନ୍ତି। ତଥାପି ସୀମିତ କର୍ମଚାରୀଙ୍କୁ ନେଇ ଥାନା ଚାଲିଛି।
ବ୍ରହ୍ମପୁର ଜିଆର୍‌ପି ଥାନା ପାଇଁ ମୋଟ ୨୫ଟି ପଦବୀ ମଞ୍ଜୁର ହୋଇଥିବା ବେଳେ ସେଥିମଧ୍ୟରୁ ୧୩ ଜଣ ଅଛନ୍ତି। ୧୨ଟି ପଦବୀ ଖାଲି ରହିଛି। ଅନ୍ୟପକ୍ଷରେ କାର୍ଯ୍ୟରତ ୧୩ ଜଣଙ୍କ ମଧ୍ୟରୁ ଜଣେ ଦିବ୍ୟାଙ୍ଗ। ତେଣୁ ଆଗକୁ ନାନା ସମସ୍ୟା ହେବ ବୋଲି କୁହାଯାଉଛି। ଜିଆରପି ଥାନା ବିଶେଷକରି ଯାତ୍ରୀଙ୍କ ସୁରକ୍ଷାକୁ ଫୋକସ୍‌ କରିଥାଏ। ସେହିପରି ଟ୍ରେନଜନିତ ଦୁର୍ଘଟଣା, ଚୋରି, ହତ୍ୟା ଓ ଡକାୟତି ଭଳି ମାମଲା ମଧ୍ୟ ତଦନ୍ତ କରାଯାଇଥାଏ। ସେହିପରି ବିଭିନ୍ନ ସ୍ଥାନରେ ଟ୍ରେନରେ କଟି ମୃତ୍ୟୁ ଘଟଣାର ତଦନ୍ତ ମଧ୍ୟ କରାଯାଉଛି। ବ୍ରହ୍ମପୁର ଜିଆର୍‌ପି ଥାନାରେ ଇନ୍ସପେକ୍ଟର୍‌ ପଦବୀ ଖାଲି ପଡ଼ିଥିବା ବେଳେ ୨ ଜଣ ଏସ୍‌ଆଇ ଅଛନ୍ତି। ସେହିପରି ୫ଜଣ ଏଏସ୍‌ଆଇଙ୍କ ମଧ୍ୟରୁ ୨ଜଣ ରହିଥିବା ବେଳେ ଜଣେ କୌଣସି କାରଣରୁ ଛୁଟିରେ ରହିଛନ୍ତି। ୨ ହାବିଲଦାର ପଦବୀ ମଞ୍ଜୁର ହୋଇଥିବା ବେଳେ ଜଣେ ବି ହାବିଲଦାର ନାହାନ୍ତି। ସେହିପରି ୧୫ଜଣ କନଷ୍ଟେବଳଙ୍କ ମଧ୍ୟରୁ ୯ଜଣ ଅଛନ୍ତି। ସେପଟେ ଜିଆର୍‌ପି ଥାନା ଅଞ୍ଚଳରେ କିଛି ଦିନର ବ୍ୟବଧାନରେ ଅନେକ ଘଟଣା ଓ ଦୁର୍ଘଟଣା ଘଟୁଛି। ତେଣୁ ଏହି ମାମଲାର ତଦନ୍ତରେ ନାନା ଅସୁବିଧା ହେଉଛି। ଦିନକୁ ଦିନ କାର୍ଯ୍ୟଭାର ବଢ଼ୁଥିବା ଯୋଗୁ ଥାନାରେ ଆବଶ୍ୟକ କର୍ମଚାରୀ ଯୋଗାଇ ଦେଇ ସମସ୍ୟା ସମାଧାନ କରିବାକୁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ଏ ନେଇ ଜିଆରପି ଏସଡ଼ିପିଓ ଆଦିତ୍ୟ ସେଠୀଙ୍କୁ ପଚାରିିବାରେ ସେ କହିଛନ୍ତି, ଇନ୍ସପେକ୍ଟରଙ୍କ ବଦଳି ପରେ ସେହି ଥାନାରେ କାର୍ଯ୍ୟରତ ଜଣେ ଏସ୍‌ଆଇଙ୍କୁ ଏବେ ଦାୟିତ୍ୱ ଦିଆଯାଇଛି। ଇନ୍ସପେକ୍ଟର ସଂଖ୍ୟା କମ୍‌ ରହିଛି। ଖୁବଶୀଘ୍ର ବ୍ରହ୍ମପୁର ଜିଆର୍‌ପି ଥାନାରେ ଜଣେ ଇନ୍ସପେକ୍ଟରଙ୍କୁ ନିଯୁକ୍ତି ଦିଆଯିବ ବୋଲି ସେ କହିଛନ୍ତି।