ଆଦିବାସୀଙ୍କ ପ୍ରିୟ କୁରୁକୁଟି ଆଚାର

କେନ୍ଦୁଝର, ୧୫ା୧୧ ଦୀପକ ମିଶ୍ର: ଆଦିବାସୀଙ୍କ ପ୍ରିୟ କୁରୁକୁଟି ଆଚାର। କେନ୍ଦୁଝର ଜିଲାର ଆଦିବାସୀମାନେ ବିଶେଷ କରି ଏହି ଆଚାର ଖାଇଥାନ୍ତି। ଜଙ୍ଗଲ ଅଞ୍ଚଳରେ ଥିବା ଶାଳ, ପଣସ ଗଛରେ ନାଲି ପିମ୍ପୁଡି ଜାତୀୟ ପୋକ ବ୍ୟାପକ ଦେଖାଯାଇଥାଏ। ଏହାକୁ କାଇ ମଧ୍ୟ କୁହାଯାଇଥାଏ। ଆଦିବାସୀମାନେ ଏହାକୁ ସଂଗ୍ରହ କରି ବିଭିନ୍ନ ମସଲା ସହ ମିଶାଇ ଆଚାର କରି ବର୍ଷ ବର୍ଷ ରଖନ୍ତି ଏବଂ ବିଭିନ୍ନ ଖାଦ୍ୟ ସାଙ୍ଗରେ ଖାଉଥିବାର କେନ୍ଦୁଝର ବଜାରକୁ କାଞ୍ଜିପାଣି ଅଞ୍ଚଳର ରବି ନାଏକ ନାମକ ଜଣେ କୁରୁକୁଟି ବିକାଳି ପ୍ରକାଶ କରିଛନ୍ତି। ଏହି ପୋକକୁ କାଶ, ଜ୍ୱର, ତଣ୍ଟି ବ୍ୟଥା ଆଦିରେ ଔଷଧ ଭାବେ ବ୍ୟବହାର କରାଯାଇଥାଏ ବୋଲି ଆଦିବାସୀମାନେ କହିଛନ୍ତି। କରୋନା ମହାମାରୀ ସମୟରେ ଏହା ଅଧିକ ଲାଭପ୍ରଦ ହୋଇଥିଲା ବୋଲି ସେ ପ୍ରକାଶ କରିଛନ୍ତି। ଏହାର ସ୍ବାଦ ଖଟା ରହିଥିବା ବେଳେ ପଖାଳ ଭାତ ସାଙ୍ଗେ ଏହା ଖାଇବା ବହୁତ ସ୍ବାଦିଷ୍ଟ ହୋଇଥାଏ ା ଶାଳପତ୍ରରେ ଭାଗ କରି ବିଭିନ୍ନ ସ୍ଥାନରେ ଏହା ୧୦ ଟଙ୍କା ଭାଗରେ ସେମାନେ ବିକିଥାନ୍ତି। ଏହା ଆୟୁର୍ବେଦିକ ଔଷଧ ତିଆରିରେ ମଧ୍ୟ ସାହାଯ୍ୟ କରିଥାଏ ବୋଲି କୁଆଁର ଅଞ୍ଚଳର ସନାତନ ମୁଣ୍ଡା ପ୍ରକାଶ କରିଛନ୍ତି। ଜିଲାର ବାଂଶପାଳ, ତେଲକୋଇ, ହରିଚନ୍ଦନପୁର, କେନ୍ଦୁଝର ସଦର ଆଦି ବ୍ଲକ ଅଞ୍ଚଳରେ ଏହା ଅଧିକ ପରିମାଣରେ ବିକ୍ରି ହୋଇଥାଏ।