Posted inଫୁରସତ

Kumbh Mela: ଭାଇରାଲ ବାବା

ଆଇଆଇଟି ବାବା: ଏବେ ଇଣ୍ଟରନେଟ୍‌ରେ ଅଧିକ ସର୍ଚ୍ଚ ହେଉଥିବା ବାବା ହେଛନ୍ତି ଅଭୟ ସିଂ ଓରଫ ଆଇଆଇଟି ବାବା। ଲମ୍ବା କେଶ ସାଙ୍ଗକୁ ନିଶ ଦାଢ଼ି। ହାତ ଓ ଗଳାରେ ରୁଦ୍ରାକ୍ଷମାଳା। ଶାନ୍ତ ଚେହେରାକୁ ପ୍ରତି କଥାରେ ହସ ସମସ୍ତଙ୍କ ମନ ଜିଣି ନେଇଛି। ତେବେ ସବୁଠୁ ବେଶି ଯାହାଲୋକଙ୍କୁ ଚକିତ କରିଛି ତାହା ହେଉଛି ତାଙ୍କ ଶିକ୍ଷାଗତ ଯୋଗ୍ୟତା। ଏହାବାଦ୍‌ ନିଜ ମା’ବାପାଙ୍କୁ ନେଇ ଦେଇଥିବା ମନ୍ତବ୍ୟ ପାଇଁ ବି ସେ ବେଶ୍‌ ଚର୍ଚ୍ଚାରେ। ହରିୟାଣା, ଝଜ୍ଜର ଜିଲାର ଛୋଟିଆ ଗାଁ ସାସରୌଲିରେ ତାଙ୍କ ଘର। ବାପାମା’ଙ୍କର ସେ ଏକମାତ୍ର ପୁତ୍ର। ତାଙ୍କର ଜଣେ ଭଉଣୀ ଅଛନ୍ତି ଯେକି ବିବାହ କରି ପରିବାର ସହ କାନାଡ଼ାରେ ରୁହନ୍ତି। ଅଭୟ ଜଣେ ମେଧାବୀ ଛାତ୍ର ଥିଲେ। ଆଇଆଇଟି ମୁମ୍ବାଇରୁ ସେ ଏରୋସ୍ପେସ ଇଞ୍ଜିନିୟରିଂ ପଢୁଥିବା ସମୟରେ ଦର୍ଶନଶାସ୍ତ୍ର ପ୍ରତି ରୁଚି ବଢିଲା। ତା’ସହ ପାହାଡ଼ିଆ ସ୍ଥାନ ବୁଲିବା ଓ ଫଟୋଗ୍ରାଫିରେ ଥିଲା ସଉକ। ତେଣୁ ସେ ଡିଜାଇନିଂରେ ମାଷ୍ଟର ଡିଗ୍ରି କରିବା ସହ ଫଟୋଗ୍ରାଫୀ କଲେ ଓ ବିଭିନ୍ନ ସ୍ଥାନ ବୁଲିଲେ। ପରେ କାନାଡାରେ ଏଭିଏଶନ୍‌ ଇଣ୍ଡଷ୍ଟ୍ରିରେ କାମ କରି ଭଲ ଦରମା ପାଇଲେ। ତେବେ କୋଭିଡ୍‌ ସମୟରେ ତାଙ୍କ ମନ ବେଶି ଆଧ୍ୟାତ୍ମିକ ଦିଗକୁ ଯାଇଥିଲା। ସେଥିପାଇଁ ୨୦୨୧ରେ ଭାରତ ଫେରି ଆସି ଉଜ୍ଜୈନ ଓ ହରିଦ୍ୱାର ଗଲେ। ଶେଷରେ ଘର ଛାଡି ମହାଦେବଙ୍କ ଶରଣ ପଶିଲେ। ପ୍ରତିଷ୍ଠିତ ସଂସ୍ଥାନରୁ  ଡିଗ୍ରି ହାସଲ କରି ବଡ଼ କମ୍ପାନୀରେ ଭଲ ଦରମାରେ ଚାକିରି କରି ବି ସନ୍ନ୍ୟାସୀ ହୋଇ ବୈରାଗ୍ୟ ଜୀବନକୁ କାହିଁକି ଆପଣେଇଲେ ସମସ୍ତଙ୍କ ମନରେ ଥିଲା କୌତୂହଳ। ସେ କୁହନ୍ତି, ”ଜୀବନର ପ୍ରକୃତ ଅର୍ଥ ପାଇବା ପାଇଁ ହିଁ ମୁଁ ଏରୋସ୍ପେସ୍‌ ସାଇନ୍ସ ବାଦ୍‌ ଦର୍ଶନଶାସ୍ତ୍ର ବି ପଢିଥିଲି। ସୁକରତାଲ, ପ୍ଲାଟୋ ଆଦିଙ୍କ ପୁସ୍ତକ ପଢିଲି। ଆଉ ଧୀରେ ଧୀରେ ଆଧ୍ୟାତ୍ମିକ ମାର୍ଗକୁ ଚାଲିଆସିଲି। ଏବେ ମୋର ପୂରା ଜୀବନ ମହାଦେବଙ୍କୁ ସମର୍ପିତ। ଏହି ଆଧ୍ୟାତ୍ମିକ ମାର୍ଗରେ ହିଁ ମୋତେ ଆନନ୍ଦ ମିଳୁଛି।  ବିଜ୍ଞାନ ମାଧ୍ୟମରେ  ଆଧ୍ୟାତ୍ମିକକୁ ଗଭୀରଭାବେ ବୁଝିବାକୁ ଚେଷ୍ଟା କରୁଛି। ମୋ ଜୀବନର ସବୁଠୁ ଭଲ ସମୟ ହେଉଛି ଏହି ଆଧ୍ୟାତ୍ମିକ ଜୀବନ। ମୋ ମତରେ ଆମେ ଯେତେ ଅଧିକ ଜ୍ଞାନ ଲାଭ କରିବା ଆଧ୍ୟାତ୍ମିକ ମାର୍ଗକୁ ସେତେ ଅଧିକ ବୁଝିପାରିବା।’
ଏହି ଆଇଆଇଟି ବାବାଙ୍କର ମୋବାଇଲ ଫୋନ୍‌, ଆଇପ୍ୟାଡ ଭଳି ଆଧୁନିକ ଗ୍ୟାଜେଟ୍‌ ବି ଅଛି। ସେ ସୋସିଆଲ ମିଡିଆରେ ନିଜର ଭିଡିଓ ଶେୟାର କରନ୍ତି। ନିକଟରେ ସେ ମା’ବାପାଙ୍କୁ ନେଇ ଏକ ଭିଡିଓ ଶେୟାର କରିଥିଲେ। ଯାହାକି ବେଶ୍‌ ଭାଇରାଲ ହୋଇଥିଲା। ଏହି ପୋଷ୍ଟରେ ସେ ମା’ ବାପା ଭଗବାନ୍‌ ନୁହନ୍ତି, ଭଗବାନ ବି ମା’ ବାପାଙ୍କୁ ସୃଷ୍ଟି କରିଛନ୍ତି ବୋଲି କହିଥିଲେ। ଏଥିପାଇଁ କିଏ ତାଙ୍କୁ ନିନ୍ଦା ତ କିଏ ତାଙ୍କ ପିଲାଦିନର ସ୍ଥିତି ବୁଝିପାରି ସପୋର୍ଟ ବି କରିଥିଲେ। ଏହାପରେ ଆଶ୍ରମକୁ ନେଇ ସେ ନାନା ବିବାଦୀୟ କଥା କହିଥିବାରୁ ତାଙ୍କୁ ଜୁନା ଆଖଡ଼ାରୁ ବାହାର କରି ଦିଆଯାଇଛି।
ଚଞ୍ଚଲ ନାଥ ଅଘୋରୀ: ଅଘୋରୀ ବାବାଙ୍କ ବେଶଭୂଷା ଏମିତି ହୋଇଥାଏ ଯେ, ତାଙ୍କୁ ଦେଖିଲେ ମନରେ ଭୟ ସୃଷ୍ଟି ହୁଏ। ଯୋଗୀ ଚଞ୍ଚଲ ନାଥ ବି ଜଣେ ଅଘୋରୀ। କିନ୍ତୁ ତାଙ୍କୁ ସବୁଠୁ ସୁନ୍ଦର ଅଘୋରୀ ସାଧ୍ୱୀ ଭାବେ ବିବେଚନା କରାଯାଏ। ସୁନ୍ଦର ଚେହେରା, ସାତ ଫୁଟ୍‌ ଲମ୍ବରୁ ଉର୍ଦ୍ଧ୍ୱ ଜଟାର ବଡ଼ ଖୋଷା ସାଙ୍ଗକୁ ସାଧ୍ୱୀ ବେଶଭୂଷା। ସୋସିଆଲ ମିଡିଆରେ ତାଙ୍କର ସୌନ୍ଦର୍ଯ୍ୟ ଯେମିତି ଚର୍ଚ୍ଚାରେ ଥାଏ, ସେ କରୁଥିବା ଅଲୌକିକ ଶକ୍ତିକୁ ନେଇ ବି ସେମିତି ଚର୍ଚ୍ଚା ହୁଏ। ଏକ ଭିଡିଓରେ ସେ ଏକ ଲେମ୍ବୁକୁ ଶୂନ୍ୟରେ ଉଡାଉଥିବାବେଳେ ଆଉ ଏକ ଭିଡିଓରେ ନିଜ ହାତରେ ନିଆଁ ଜଳାଉଥିବା ଦେଖିବାକୁ ମିଳେ। ଚଞ୍ଚଲ ନାଥଙ୍କ ଘର ପଶ୍ଚିମବଙ୍ଗରେ ହୋଇଥିଲେ ହେଁ ଆଶ୍ରମ ହରିୟାଣାର କର୍ନାଲରେ । ବାପା ମା’ ବହୁତ ଆଧ୍ୟାତ୍ମିକ ଥିଲେ। ଚଞ୍ଚଲ ନାଥ ୬-୭ ବର୍ଷର ହୋଇଥିବାବେଳେ ପରିବାରର କୁଳଗୁରୁ ତାଙ୍କ ମା’ବାପାଙ୍କୁ ଚଞ୍ଚଲ ନାଥଙ୍କୁ ମାଗିଥିଲେ। ଆଉ ସେମାନେ ଚଞ୍ଚଲ ନାଥଙ୍କୁ ପ୍ରଦାନ କରିଥିଲେ। ସେବେଠାରୁ ତାଙ୍କର ସାଧ୍ୱୀ ଜୀବନ ଆରମ୍ଭ ହୋଇଥିଲା। ସେ ଜଣେ ୟୁଟ୍ୟୁବର ବି। ତାଙ୍କ ଭିଡିଓ ବେଶ୍‌ ଭାଇରାଲ ହୁଏ।
ଗୋଟେ ହାତ ଉପରକୁ କରି ରଖିଥିବା ବାବା: ନିଜର ଡାହାଣ ହାତକୁ ଦୀର୍ଘ ୧୪ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଉପରକୁ କରି ରଖିଥିବା ଜଣେ ବାବାଙ୍କୁ ବି ଏହି କୁମ୍ଭମେଳାରେ ଦେଖିବାକୁ ମିଳୁଛି। ବିଶ୍ୱର ଶାନ୍ତି ଓ କଲ୍ୟାଣ ସହ ଭାରତକୁ  ବିଶ୍ୱଗୁରୁ କରିବା ଉଦ୍ଦେଶ୍ୟରେ ସେ ଏଭଳି ସାଧନା କରୁଥିବା କହିଛନ୍ତି। ମଧ୍ୟପ୍ରଦେଶ, ଅଗର ଜିଲାର ଅମଲା ଆଶ୍ରମର ଏହି ବାବା ରାଧେ ପୁରୀ ଜୀ ମହାରାଜ ନାମରେ ପରିଚିତ। ସେ ଜୁନା ଆଖଡ଼ାର ସଦସ୍ୟ ଅଟନ୍ତି। ଦୀର୍ଘ ବର୍ଷ ଧରି ହାତ ଟେକି ରଖିଥିବାରୁ ତାଙ୍କ ହାତ ବହୁତ ପତଳା ହେବା ସହ ଆଉ ବଙ୍କା ହେଉ ନାହିଁ। ନଖଗୁଡିକ ପ୍ରାୟ ୧ ଫୁଟ ଲମ୍ବା ହେବା ସହ ମୋଡି ହୋଇ ଗଲାଣି।
ଗୋଲ୍ଡେନ ବାବା: ମହାକୁମ୍ଭ ମେଳାରେ ଶ୍ରଦ୍ଧାଳୁଙ୍କ ଧ୍ୟାନ ଆକର୍ଷଣ କରୁଥିବା ଆଉ ଜଣେ ବାବା ହେଉଛନ୍ତି ଗୋଲ୍ଡେନ ବାବା। ତାଙ୍କର ପ୍ରକୃତ ନାମ ଏସ୍‌କେ ନାରାୟଣ ଗିରି ଜୀ ମହାରାଜ। ସେ ମୂଳରୂପରେ କେରଳର ଅଟନ୍ତି। ହେଲେ ଏବେ ଦିଲ୍ଲୀରେ ରୁହନ୍ତି। ନିରଞ୍ଜନୀ ଆଖଡା ସହ ଜଡ଼ିତ  ଏହି ବାବାଙ୍କର ବିଶେଷତ୍ୱ ହେଉଛି ସେ ୪ କି.ଗ୍ରା.ର ସୁନା ପିନ୍ଧିଥାନ୍ତି, ଯାହାର ମୂଲ୍ୟ ପ୍ରାୟ ୬ କୋଟି ଟଙ୍କା। ସୁନାର ମୁଦି, କଙ୍କଣ, ଘଣ୍ଟା, ହାର ପିନ୍ଧିବା ସହିତ ହାତରେ ଧରନ୍ତି ସୁନାର ବାଡ଼ି। ବାଡ଼ିରେ ଦେବୀ ଦେବତାଙ୍କ ଲକେଟ୍‌ ଲାଗିଛି। ବାବାଙ୍କ ମତରେ ଏସବୁ ସୁନା ତାଙ୍କ ସାଧନା ସହିତ ଜଡ଼ିତ। ଆଉ ତାଙ୍କର ପ୍ରତି ଗହଣାରେ ଆଧ୍ୟାତ୍ମିକ ଶକ୍ତି ଅଛି। ଏହାବାଦ୍‌ ଗିରିଜୀ ମହାରାଜଙ୍କର ଜଣେ ଶିଷ୍ୟ ତାଙ୍କୁ ୨୫୧ କି.ଗ୍ରା.ର ସୁନା ସିଂହାସନ ଭେଟି ଦେଇଛନ୍ତି, ଯାହାର ମୂଲ୍ୟ ୨୦୦ କୋଟିରୁ ଊର୍ଦ୍ଧ୍ୱ ବୋଲି ଆକଳନ କରାଯାଉଛି। ଏହି ସିଂହାସନକୁ ଦେଖିବା ପାଇଁ ସେକ୍ଟର ୧୪ରେ ଥିବା ବାବାଙ୍କ ଶିବିରରେ ଗହଳି ଲାଗୁଛି।
ମସ୍କୁଲାର ବାବା: ସାତ ଫୁଟ୍‌ ଉଚ୍ଚତାର ଗୋରା ତକ ତକ ବଳିଷ୍ଠ ଶରୀର। ଦେହରେ ଗେରୁଆ ବସ୍ତ୍ର। ଗଳାରେ, ବାହୁରେ ରୁଦ୍ରାକ୍ଷ ମାଳ। ଏଭଳି ଜଣେ ବ୍ୟକ୍ତିତ୍ୱ ଏବେ କୁମ୍ଭମେଳାରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି। ତାଙ୍କ ବଳିଷ୍ଠ ଶରୀର ଦେଖି ଅନେକେ ତାଙ୍କୁ ଆଧୁନିକ ଯୁଗର ପର୍ଶୁରାମଙ୍କ ଅବତାର ବୋଲି ବି କହୁଛନ୍ତି। ସେ ଜୁନା ଆଖାଡ଼ାର ସଦସ୍ୟ ଅଟନ୍ତି। ତାଙ୍କ ନାମ ଆତ୍ମା ପ୍ରେମ ଗିରି। ଘର ତାଙ୍କର ରୁଷିଆରେ। ହେଲେ ୩୦ ବର୍ଷ ପୂର୍ବେ ସନାତନ ଧର୍ମ ଗ୍ରହଣ କରି ନିଜ ଜୀବନକୁ ହିନ୍ଦୁଧର୍ମର ପ୍ରଚାର ପ୍ରସାରରେ ଉତ୍ସର୍ଗ କରିଛନ୍ତି। ଦିନେ ସେ ଜଣେ ଶିକ୍ଷକ ଥିଲେ। ହେଲେ ପରେ ନିଜର ଚାକିରି ଓ ସବୁକିଛି ତ୍ୟାଗ କରି ଆଧ୍ୟାତ୍ମିକ ପଥକୁ ଚାଲି ଆସିଥିଲେ। ଏମିତିରେ ସେ ନେପାଳରେ ରୁହନ୍ତି ଓ ହିନ୍ଦୁଧର୍ମର ପ୍ରଚାର କରନ୍ତି।
କାଣ୍ଟଓ୍ବୋଲେ ବାବା:  ମହାକୁମ୍ଭ ମେଳାରେ ଆଉ ଜଣେ ବାବାଙ୍କୁ କଣ୍ଟା ଉପରେ ଶୋଇ ରହିଥିବା ଦେଖିବାକୁ ମିଳେ। ଯେ କି କାଣ୍ଟଓ୍ବୋଲେ ବାବା ନାମରେ ପରିଚିତ। ତେବେ ତାଙ୍କ ପ୍ରକୃତ ନାମ ହେଉଛି ରମେଶ କୁମାର ମାଞ୍ଝୀ। ସେ କଣ୍ଟା ଉପରେ ଶୋଇବା ସହ ତାଙ୍କ ଉପରେ କଣ୍ଟା ଲଦା ଯାଇଥାଏ। ଏଭଳି ଦୃଶ୍ୟ ଦେଖି ଭକ୍ତମାନେ ଚକିତ ହୋଇଥାନ୍ତି। ବାବା କୁହନ୍ତି, ‘ମୋ ଗୁରୁ ମତେ ଜ୍ଞାନ ଓ ଶକ୍ତି ଦେଇଛନ୍ତି। ତା’ସହ ଈଶ୍ୱରଙ୍କ କୃପା ଯେ, ମୁଁ ଏହି କାମ କରିପାରୁଛି। ଦୀର୍ଘ ୪୦-୫୦ ବର୍ଷ ଧରି ମୁଁ ପ୍ରତିବର୍ଷ ଏଭଳି କଣ୍ଟାରେ ଶୋଉଛି। ଏଭଳି କରିବାଦ୍ୱାରା ମୋର କିଛି ଅସୁବିଧା ହୋଇ ନ ଥାଏ ବରଂ ଶରୀରକୁ ଉପକାର ମିଳେ। ମତେ ଯାହା ବି ଦକ୍ଷିଣା ମିଳେ ତା’ର ଅଧା ଭାଗ ମୁଁ ଦାନ କରିଥାଏ। ଆଉ ବାକି ଟଙ୍କାକୁ ମୋ ନିଜ ପାଇଁ ଖର୍ଚ୍ଚ କରିଥାଏ। ତେବେ ଏହି କୁମ୍ଭମେଳାରେ ଜଣେ ରିପୋର୍ଟର ତାଙ୍କୁ ଏହି କଣ୍ଟା ସତ କି? ବୋଲି ପଚାରିବାରୁ ବାବା ତାଙ୍କୁ ଚାପୁଡ଼ା ମାରି ଚର୍ଚ୍ଚାକୁ ଆସିଥିଲେ। ଏହାବାଦ୍‌ ଜଣେ ଝିଅ ତାଙ୍କୁ ଟଙ୍କା ମାଗିବା ସହ ମିଳିଥିବା ଟଙ୍କା ତାଙ୍କର କ’ଣ ଦରକାର ବୋଲି ପଚାରିଥିଲେ। ଆଉ ଏତେ ହଇରାଣ କରିଥିଲେ ଯେ ବାବା କାନ୍ଦି ପକାଇଥିଲେ।
ଚାଏଓ୍ବାଲେ ବାବା: ମହାକୁମ୍ଭରେ ଦେଖିବାକୁ ମିଳନ୍ତି ଆଉ ଜଣେ ବାବା ଯେ କି, ଉତ୍ତରପ୍ରଦେଶର ପ୍ରତାପଗଡ଼ର ଅଟନ୍ତି। ନାଁ ତାଙ୍କର ଦିନେଶ ସ୍ବରୂପ ବ୍ରହ୍ମଚାରୀ। ସେ ଜଣେ ଚା ବିକ୍ରେତାରୁ ତପସ୍ବୀରେ ପରିଣତ ହୋଇଛନ୍ତି। ବାବାଙ୍କର ଯେଉଁ କଥା ତାଙ୍କୁ ଅଦ୍ୱିତୀୟ କରାଏ ସେ ହେଉଛି ତାଙ୍କର ମୌନବ୍ରତ ଓ ଦିନକୁ ୧୦ କପ ଚା’ ପିଇ ଜୀବିତ ରହିବାର ଅଭ୍ୟାସ। ଭକ୍ତଙ୍କୁ ବି ସେ ପ୍ରସାଦ ଭାବେ ଚା’ ପ୍ରଦାନ କରନ୍ତି। ଏହାବାଦ୍‌ ତାଙ୍କର ଆଉ ଏକ ବୈଶିଷ୍ଟ୍ୟ ହେଉଛି ବାବା ବିଗତ ୪୦ ବର୍ଷ ଧରି ସିଭିଲ ସର୍ଭିସ ଆଶାୟୀ ଛାତ୍ରୀଛାତ୍ରଙ୍କୁ ମାଗଣା କୋଚିଂ ଦେଉଛନ୍ତି। ମୌନ ରହିବା ସତ୍ତ୍ୱେ ତାଙ୍କ ଶିକ୍ଷା ଦେବା ଶୈଳୀ ଛାତ୍ରଙ୍କୁ ଆକର୍ଷିତ କରିଥାଏ। ସେ ଲିଖିତ ଭାବେ ଓ ଇସାରାରେ ପଢାଇଥାନ୍ତି। ତେବେ ସେ କେବଳ ପିଲାଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ କରି ନ ଥାଆନ୍ତି ବରଂ ଆଧ୍ୟାତ୍ମିକ କ୍ଷେତ୍ରରେ ବି ଆଗକୁ ବଢିବାକୁ ପ୍ରେରଣା ଦିଅନ୍ତି। ପ୍ରଶାସନିକ ସେବାରେ ଆଶାୟୀ ଛାତ୍ରୀଛାତ୍ରଙ୍କୁ ସେ ହ୍ବାଟ୍ସଆପ୍‌ରେ ନୋଟ୍‌ ପ୍ରଦାନ କରିବା ସହ ଲିଖିତ ନୋଟ୍‌ସ ପ୍ରଦାନ କରନ୍ତି। ତା’ସହ ଅଧ୍ୟୟନ ସାମଗ୍ରୀ ନିଃଶୁଳ୍କରେ ପ୍ରଦାନ କରନ୍ତି। ତାଙ୍କ ମାର୍ଗଦର୍ଶନରେ ଅନେକ ଛାତ୍ରୀଛାତ୍ର ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିଛନ୍ତି। କୁମ୍ଭମେଳାରେ ବି ଏହି ବାବା ଅନେକ ଛାତ୍ରୀଛାତ୍ରଙ୍କୁ ମାର୍ଗଦର୍ଶନ କରୁଥିବାରୁ ସେ ବେଶ୍‌ ଲୋକପ୍ରିୟ ହୋଇପାରିଛନ୍ତି।
ଅନାଜଓ୍ବାଲେ ବାବା: ଉତ୍ତର ପ୍ରଦେଶ, ସୋନଭଦ୍ର ଜିଲାର ଅମରଜିତ ବେଶ୍‌ ପରିଚିତ ଅନାଜଓ୍ବାଲେ ବାବା ଭାବେ। ସେ ଜଣେ ହଠ୍‌ ଯୋଗୀ। ବିଗତ ପାଞ୍ଚବର୍ଷ ହେବ ସେ ନିଜ ମୁଣ୍ଡରେ ବିଭିନ୍ନ ପ୍ରକାରର ଶସ୍ୟ ଯେମିତିକି ଗହମ, ମାଣ୍ଡିଆ, ବିରି, ମୁଗ, ମଟର ଆଦି ଚାଷ କରିଆସୁଛନ୍ତି। ମୁଣ୍ଡରେ ଏକ ପଗଡ଼ି ଭଳି ବାନ୍ଧି ତା’ରି ଭିତରେ ମାଟି ରଖି ଚାଷ କରନ୍ତି। ମଝିରେ ମଝିରେ ସେଥିରେ ପାଣି ଦିଅନ୍ତି। ଭକ୍ତମାନେ ତାଙ୍କ ମୁଣ୍ଡରେ ଚାଉଳ ହେଇଥିବା ଦେଖି ଆଶ୍ଚର୍ଯ୍ୟ ହୁଅନ୍ତି। ବାବା କହନ୍ତି,”ମୁଣ୍ଡରେ ହୋଇଥିବା ଫସଲ ନଷ୍ଟ ହୋଇଯିବା ଭୟରେ ମୁଁ ୫ ବର୍ଷ ହେବ ଭୂମି ଉପରେ ଗଡ଼ି କି ଶୋଇ ନାହଁି। ବରଂ ବସି ବସି ଶୋଉଛି। ଆଉ ଏଭଳି କରିବାର ଉଦ୍ଦେଶ୍ୟ ହେଉଛି ଲୋକଙ୍କ ଭିତରେ ପରିବେଶ ସଚେତନତା ସୃଷ୍ଟି କରିବା। “
ମହାକୁମ୍ଭର କୁନି ବାବା: ଥରେ ସନ୍ତୋଷ ପୁରୀ ମହାରାଜ ନିଜ ଶିବିରରେ ଧୁନି ନିକଟରେ ବସିଥିଲେ। ଏତିକିବେଳେ ଏକ ଦମ୍ପତି ନିଜର ୩ ମାସର ସୁନ୍ଦର ଗୁଲୁଗୁଲିଆ ପୁଅକୁ ଧରି ଆସିଲେ। ଆଉ ମହାରାଜଙ୍କ ଚରଣରେ ସମର୍ପିଦେଲେ। ସନ୍ତୋଷ ପୁରୀ ମହାରାଜ ଶିଶୁର ମଥାରେ ତିଳକ ଲଗାଇଲେ। ମା’ବାପାଙ୍କୁ ଯିବାକୁ କହିଲେ। ମହାରାଜ ଶିଶୁଟିର ନଁା ଶ୍ରବଣ ପୁରୀ ରଖିଲେ। ଏବେ ଶ୍ରବଣ ପୁରୀ ୩ ବର୍ଷର ହୋଇଗଲାଣି। ନିଜର ପ୍ରଥମ ମହାକୁମ୍ଭରେ ସାମିଲ ହେବା ପାଇଁ ଗୁରୁଭାଇ ଅଷ୍ଟକୌଶଲ ମହନ୍ତ ସନ୍ତ ପୁରୀ ମହାରାଜଙ୍କ ସହ ଆସିଛନ୍ତି। ଅଷ୍ଟକୌଶଲ ମହନ୍ତ ସନ୍ତ ପୁରୀ ତାଙ୍କର ଯତ୍ନ ନେଉଛନ୍ତି। ଅଷ୍ଟକୌଶଲ ବାବା କହନ୍ତି ,‘ଅନେକ ମାତା ପିତା ସନ୍ତାନ ପ୍ରାପ୍ତି ପାଇଁ ମାନସିକ କରନ୍ତି। ମାନସିକ ପୂରଣ ହେଲେ ନିଜ ସାଧ୍ୟ ମତେ କିଛି ପ୍ରଦାନ କରନ୍ତି। କେତେଜଣ ମାତାପିତା ନିଜର ୨-୩ ଜଣ ସନ୍ତାନ ଭିତରୁ ଗୋଟେ ସନ୍ତାନକୁ ଆମ ପାଖରେ ଅର୍ପଣ କରିଦିଅନ୍ତି। ସେହିଭଳି ଶ୍ରବଣ ପୁରୀଙ୍କ ମା’ ବାପା ବି ମାନସିକ ପୂରଣ ପରେ ନିଜ ପୁଅକୁ ଆମ ଗୁରୁଭାଇଙ୍କ ନିକଟରେ ସମର୍ପଣ କରିଦେଇଥିଲେ। କୁନି ସନ୍ଥଙ୍କର ଖେଳକୁଦ ସହ ଏବେ ଶିକ୍ଷା ଆରମ୍ଭ ହୋଇଗଲାଣି। ଧାର୍ମିକ ଶିକ୍ଷା ବି ନେଉଛନ୍ତି।  ଏହି କୁନି ସନ୍ଥଙ୍କୁ ଚକୋଲେଟ ନୁହେଁ ବରଂ ଫଳ ଖାଇବା ପସନ୍ଦ। ମଝିରେ ମଝିରେ ତାଙ୍କ ମା’ ବାପା ଆସି ଦେଖାକରନ୍ତି। ପୁଅର ଏଭଳି ଯତ୍ନ ଓ ଦେଖାରଖା ଦେଖି ବହୁତ ଖୁସି ହୁଅନ୍ତି। ଏହି କୁନି ବାବାଙ୍କୁ ଦେଖିବା ଲାଗି ମଧ୍ୟ ଭକ୍ତଙ୍କର ବେଶ୍‌ ସମାଗମ ହେଉଛି।
ଖଡ଼େଶ୍ୱରୀ ବାବା: ଦୀର୍ଘ ୧୪ ବର୍ଷ ଧରି ବାବା ଦିଗାମ୍ବର ହରିବଂଶ ଗିରି ଓରଫ ଖଡ଼େଶ୍ୱରୀ ବାବା ଗୋଟିଏ ଗୋଡ଼ରେ ଠିଆ ହୋଇ ସାଧନା କରି ଆସୁଛନ୍ତି। ଦିନ ହେଉ କି ରାତି କେବେ ବି ସେ ବସନ୍ତି ନାହିଁ। ଖାଇବା, ଶୋଇବା ସବୁକିଛି ସେ ଠିଆ ହୋଇ କରନ୍ତି। ସନ୍ତୁଳନ ରକ୍ଷା କରିବା ଲାଗି ତାଙ୍କ ସାମନାରେ ଥିବା ଏକ ଦୋଳି ଉପରେ ଦୁଇ ହାତ ରଖି ଭରା ଦିଅନ୍ତି। ବେଳେବେଳେ ଗୋଟେ ଗୋଡକୁ ବି ସେହି ଦୋଳି ଉପରେ ଟେକି ରଖନ୍ତି। ଏଭଳି କଠୋର ତପସ୍ୟା ଯୋଗୁ ତାଙ୍କର ଗୋଟେ ଗୋଡ ଫୁଲି ଯାଇଛି। ତା’ସହ ତାହା ପ୍ରାୟ ଅକାମୀ ହୋଇଗଲାଣି। ତଥାପି ସେ ଏହି ତପସ୍ୟା ଜାରି ରଖିଛନ୍ତି।
ରାବିଡ଼ି ବାବା: ଦେବଗିରିଜୀ ମହାରାଜ  କୁମ୍ଭମେଳାରେ ରାବିଡ଼ି ବାବା ଭାବେ ପରିଚିତ। କାରଣ ସେ ମହାକୁମ୍ଭରେ ରାବିଡ଼ି ପ୍ରସାଦ ବାଣ୍ଟନ୍ତି । ଦେବଗିରି ଜୀ ମହାରାଜ କୁହନ୍ତି, ”ମୁଁ ପ୍ରତିଦିନ ପ୍ରାୟ ୧୩୦ ଲିଟର କ୍ଷୀରରେ ରାବିଡ଼ି ପ୍ରସ୍ତୁତ କରି ଭକ୍ତଙ୍କ ମଧ୍ୟରେ ବାଣ୍ଟିଥାଏ। ମୁଁ ମହାକାଳୀଙ୍କ ଉପାସକ। ଦେବୀଙ୍କ କୃପାରୁ ହିଁ ଏହି ସେବା କରିବାକୁ ପ୍ରେରଣା ମିଳିଥିଲା। କ୍ଷୀରରେ ମୁଁ କମ୍‌ ଚିନି ପକାଇ ରାବିଡ଼ି ପ୍ରସ୍ତୁତ କରିଥାଏ। ଯେମିତିକି ବହୁମୂତ୍ର ରୋଗୀ ବି ଏହାକୁ ଖାଇପାରିବେ।“ ଦେବଗିରି ଜୀ ମହାରାଜ ଭକ୍ତଙ୍କୁ ବସାଇକି ରାବିଡ଼ି ଖାଇବାକୁ ଦେଇଥାନ୍ତି। ସେ ଗୁଜରାଟରୁ ଆସିଛନ୍ତି। ତାଙ୍କ ବୋର୍ଡରେ ଲେଖାଯାଇଛି- ରାବିଡ଼ି ନେ ମଚାଦି  ଧୁମ୍‌, ଶ୍ରୀ ମହନ୍ତ ରାବିଡ଼ି ବାଲେ।
ରୁଦ୍ରାକ୍ଷ ବାବା: ଏହି ମହାକୁମ୍ଭରେ ମହନ୍ତ ବଶିଷ୍ଠ ଗିରି ମହାରାଜ ବେଶ୍‌ ଚର୍ଚ୍ଚାରେ। କାରଣ ଜଟାରୁ ଆରମ୍ଭ କରି କାନ୍ଧ ପର୍ଯ୍ୟନ୍ତ ସେ ୧.୨୫ ଲକ୍ଷ ରୁଦ୍ରାକ୍ଷ ଧାରଣ କରିଛନ୍ତି। ସେଥିପାଇଁ ସେ ରୁଦ୍ରାକ୍ଷ ବାବା ଭାବେ ପରିଚିତ। ସେ ଜୁନା ଆଖଡ଼ାର ସଦସ୍ୟ ଅଟନ୍ତି। ରୁଦ୍ରାକ୍ଷ ବାବା କହନ୍ତି, ”ଏହି ରୁଦ୍ରାକ୍ଷର ଶୃଙ୍ଗାର ମୁଁ ୨୦୧୦ ମସିହାରୁ କରିଆସୁଛି। ପଞ୍ଚମୁଖୀ ରୁଦ୍ରାକ୍ଷ ଶରୀରର ପଞ୍ଚତତ୍ତ୍ୱକୁ ଦର୍ଶାଇଥାଏ। ଏହା ମହାଦେବଙ୍କର ଶୃଙ୍ଗାର। ରୁଦ୍ରାକ୍ଷକୁ ମହାଦେବଙ୍କ ଅଶ୍ରୁ ବୋଲି ବି କୁହାଯାଏ। ତେଣୁ ରୁଦ୍ରାକ୍ଷର ମହତ୍ତ୍ୱ ବହୁତ ରହିଛି। ଏହାକୁ ଧାରଣ କଲେ ଅପାର ଶାନ୍ତି ମିଳେ।“
୩୨ ବର୍ଷ ହେବ ସ୍ନାନ କରିନାହାନ୍ତି ଛୋଟୁ ବାବା: ୫୭ ବର୍ଷୀୟ ଗଙ୍ଗାପୁରୀ ମହାରାଜ ବି କୁମ୍ଭମେଳାର ଅନ୍ୟତମ ଆକର୍ଷଣ। ମାତ୍ର ୩ ଫୁଟ ୮ ଇଞ୍ଚର ଶରୀର ପାଇଁ ସେ ଛୋଟୁ ବାବା ଭାବେ ପରିଚିତ। ଗଙ୍ଗାପୁରୀ ମହାରାଜ ଆସାମର କାମାକ୍ଷ ପୀଠର ଅଟନ୍ତି। ଗଙ୍ଗାପୁରୀ ମହାରାଜ ଆଉ ଏକ କାରଣ ପାଇଁ ବି ଚର୍ଚ୍ଚାରେ ଅଛନ୍ତି। ତାହା ହେଉଛି ସେ ଦୀର୍ଘ ୩୨ ବର୍ଷ ହେବ ସ୍ନାନ କରି ନାହାନ୍ତି। ଏକ ପ୍ରତିଜ୍ଞା ପାଇଁ ସେ ସ୍ନାନ କରୁନାହାନ୍ତି। ତଥାପି ସେ ତାଙ୍କ ଗୁରୁଙ୍କ ଆଶୀର୍ବାଦ ଯୋଗୁ ନିଜକୁ ସୁସ୍ଥ ରଖିପାରିଛନ୍ତି। ଯେବେ ପ୍ରତିଜ୍ଞା ପୂରଣ ହେବ ସେ ସ୍ନାନ କରିବେ। ଏହି କୁମ୍ଭମେଳାରେ ବି ସେ ସ୍ନାନ କରିବେ ନାହିଁ, ହେଲେ ନିଜ ଜଟାକୁ ନିଶ୍ଚିତଭାବେ ସ୍ନାନ କରାଇବେ ବୋଲି କହିଛନ୍ତି। ଛୋଟୁ ବାବା କୁହନ୍ତି, ”ଛୋଟ ଶରୀର ମୋ ଜୀବନ ଉପରେ କିଛି ନକାରାତ୍ମକ ପ୍ରଭାବ ପକାଇପାରି ନାହିଁ। ମାତ୍ର ୯ ବର୍ଷ ବୟସରେ ମା’ବାପାଙ୍କ ଦେହାନ୍ତ ହେବା ପରେ ମୁଁ ସନ୍ନ୍ୟାସୀ ହୋଇଯାଇଥିଲି। ଆଉ ପ୍ରତିଜ୍ଞା ନେଇଥିଲି ସ୍ନାନ ନ କରିବାକୁ।“
କବୁତର ବାବା: ଏହି ମହାକୁମ୍ଭ ମେଳାରେ ଆଉ ଜଣେ ବାବା ବି ଅଛନ୍ତି, ଯାହାଙ୍କ ମୁଣ୍ଡ ଉପରେ ସବୁ ସମୟରେ ଏକ ପାରା ବସି ରହିଥିବା ଦେଖିବାକୁ ମିଳେ । ଯେଉଁ ପାରା କି ବାବାଙ୍କ ସହ ତିନୋଟି କୁମ୍ଭ ମେଳାର ସାଥୀ ହୋଇଆସିଛି। ଯେବେ ବାବା ତପସ୍ୟା କରନ୍ତି ପାରାଟି ତାଙ୍କ ମୁଣ୍ଡରେ ବସି ତପସ୍ୟା କରେ। ଶୋଇବା, ଚେଇଁବା, ଖାଇବା, ପିଇବା, ସବୁ ସମୟରେ ପାରାଟି ତାଙ୍କ ସାଥିରେ ଥାଏ। ତଥାପି ବାବାଙ୍କର କିଛି ଅସୁବିଧା ବା ସମସ୍ୟା ହୋଇ ନ ଥାଏ ବୋଲି ବାବା କହନ୍ତି। ଏହି କାରଣରୁ ସେ କବୁତର ବାବା ଭାବେ ପରିଚିତ। ହେଲେ ତାଙ୍କ ପ୍ରକୃତ ନାମ ହେଉଛି ରାଜପୁରୀ ଜୀ ମହାରାଜ। ସେ ତାଙ୍କ ପାରାର ନାଁ  ହରିପୁରୀ ରଖିଛନ୍ତି। ପାରାଟି ବାବାଙ୍କ ସହ ଦୀର୍ଘ ୯ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଅଛି। ସେ ନନ୍ଦୀ ସେବା, ଗୋ ସେବାକୁ ବି ବହୁତ ମହତ୍ତ୍ୱ ଦିଅନ୍ତି।  ବାବାଙ୍କ ମତରେ ଯେଉଁମାନେ ପ୍ରାଣୀଙ୍କ ସେବା କରନ୍ତି ତାଙ୍କୁ ଅଦ୍ଭୁତ ଆଧ୍ୟାତ୍ମିକ ଉପକାର ମିଳିଥାଏ।
ପିଟିବା ପାଇଁ ଚର୍ଚ୍ଚାରେ ଚିମ୍‌ଟା ବାଲେ ବାବା: ମହାକାଳ ଗିରି ବାବା ଯେକି ଚିମ୍‌ଟା ଓ୍ବାଲେ ବାବା ଭାବେ ପରିଚିତ, ଏହି କୁମ୍ଭମେଳାରେ ସେ ତାଙ୍କର କ୍ରୋଧ ଓ ୟୁଟ୍ୟୁବର୍‌ଙ୍କୁ ପିଟିବା ନେଇ ବହୁତ ଚର୍ଚ୍ଚାରେ ଅଛନ୍ତି। ଅନେକ ୟୁଟ୍ୟୁବର୍‌ ତାଙ୍କ ପାଖକୁ ଆସି ଆଶୀର୍ବାଦ ଭିକ୍ଷା କରିବା ସହ ସବସ୍କ୍ରାଇବର୍‌ ବଢାଇବା ଲାଗି ଅବାନ୍ତର ପ୍ରଶ୍ନ ପଚାରୁଥିବାରୁ ବାବା ସେମାନଙ୍କୁ ପିଟିଥିବା ସେ କୁହନ୍ତି। ତେବେ ମହାକାଳ ଗିରି ବାବା ଦୀର୍ଘ ୯ ବର୍ଷ ହେବ ସାଧନାରେ ଅଛନ୍ତି। ଯାହାଫଳରେ ତାଙ୍କର ଗୋଟିଏ ହାତ ବଙ୍କା ହୋଇଗଲାଣି, ନଖ ବି ବଢି ଯାଇଛି। ବାବା କୁହନ୍ତି, ଏହା ତାଙ୍କ ତ୍ୟାଗର ଏକ ଅଂଶ, ଯାହାକୁ ସେ ଛାଡ଼ିପାରିବେ ନାହିଁ।
ଚାବିଓ୍ବାଲେ ବାବା: ମହାକୁମ୍ଭରେ ଆଉ ଜଣେ ବାବା ବି ବହୁତ ଚର୍ଚ୍ଚିତ। ସେ ହେଉଛନ୍ତି ହରିଶ୍ଚନ୍ଦ୍ର ବିଶ୍ୱକର୍ମା କବୀରା ବାବା, ଯେକି ଚାବିଓ୍ବାଲେ ବାବା ଭାବେ ବେଶ୍‌ ପରିଚିତ। କାରଣ ବାବା ସବୁବେଳେ ନିଜ ସାଥିରେ ୨୦ କେ.ଜି.ର ଚାବି ଧରି ଯାତ୍ରା କରନ୍ତି। ଯାହାକୁ ସେ ରାମନାମର ଚାବି କହନ୍ତି। ଅର୍ଥାତ୍‌ ଆଧ୍ୟାତ୍ମିକ ଜ୍ଞାନ ଜାଗ୍ରତ କରିବାର ଏହା ହେଉଛି ପ୍ରତୀକ। ଉତ୍ତର ପ୍ରଦେଶ ରାଏବରେଲିରେ ରହୁଥିବା ଏହି ବାବା ୧୬ ବର୍ଷ ବୟସରେ ସମାଜରେ ରହିଥିବା ଘୃଣା, ହିଂସା, ଦ୍ୱେଷ ସହ ଲଢିବା ଲାଗି ଗୃହତ୍ୟାଗ କରିଥିବା କୁହନ୍ତି।
କେବଳ ଏଇ ବାବାମାନେ ନୁହନ୍ତି ଆହୁରି ଅନେକ ବାବା ଏହି ମହାକୁମ୍ଭମେଳାର ଆକର୍ଷଣ ପାଲଟିଛନ୍ତି। ପବିତ୍ର ବୁଡ଼ ପକାଇବା ସହ ସାଧୁସନ୍ଥଙ୍କ ଆଶୀର୍ବାଦ ଲାଭ କରିବା, ଆଧ୍ୟାତ୍ମିକ ଭାବରେ ବୁଡି ନାନା ଚମତ୍କାର ଦେଖିବା ଲାଗି ମହାକୁମ୍ଭ ମେଳାରେ ଲାଗିଛି ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼।

Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

ଅମ୍ଳଯୁକ୍ତ ମାଟିକୁ କିପରି କରିବେ ଉର୍ବର, କେମିତି ବଢ଼ିବ ଉତ୍ପାଦନ

ଭଞ୍ଜନଗର,୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ବିଶ୍ବ ମୂର୍ତ୍ତିକା ଦିବସ ପାଳିତ ହୋଇଯାଇଛି। ରାଜ୍ୟରେ ୬୫ ପ୍ରତିଶତ ଚାଷ ଜମି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri