ରିଭ୍ୟୁ ପିଟିସନ ଦାଖଲ କରିବାକୁ ମନା କଲେ କୁଳଭୂଷଣ ଯାଦବ

ଇସ୍‌ଲାମାବାଦ,୮।୭: ଭାରତର ଗୁପ୍ତଚର ଅଭିଯୋଗରେ ପାକିସ୍ତାନରେ ବନ୍ଦୀ ଥିବା ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବ ରିଭ୍ୟୁ ପିଟିସନ ଦାଖଲ କରିବାକୁ ମନା କରିଦେଇଛନ୍ତି। ତେବେ କୁଳଭୂଷଣଙ୍କ ମାମଲାରେ ପାକିସ୍ତାନ ଭାରତକୁ ଦ୍ବିତୀୟ ଥର କନ୍ସୁଲାର୍‌ ଆକ୍ସେସ ଦେବାକୁ ପ୍ରସ୍ତାବ ଦେଇଛି। ଏଥିସହ ପାକିସ୍ତାନ କୁଳଭୂଷଣଙ୍କ ବାପାଙ୍କୁ ତାଙ୍କୁ ଭେଟିବା ପାଇଁ ଅନୁମତି ପ୍ରଦାନ କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, କୁଳଭୂଷଣଙ୍କ ଦଣ୍ଡ ଓ ରାୟର ପୁର୍ନବିଚାର ପାଇଁ ଜୁନ ୧୭ରେ ତାଙ୍କୁ ରିଭ୍ୟୁ ପିଟିସନ ଦାଖଲ କରିବାକୁ ପାକିସ୍ତାନ ପକ୍ଷରୁ କୁହାଯାଇଥିଲା। କିନ୍ତୁ କୁଳଭୂଷଣ ଏହାକୁ ନିଜ ଆଡ଼ୁ ପ୍ରତ୍ୟାଖ୍ୟାନ କରିଥିବା ପାକିସ୍ତାନ ଦାବି କରିଛି। ଏ ସମ୍ପର୍କିତ ପାକିସ୍ତାନ ଭାରତୀୟ ହାଇ କମିଶନରଙ୍କୁ ଏକ ଚିଠି ଲେଖିଛି। ସେଥିରେ ଉଲ୍ଲେଖ କରିଛି ଯେ, ଯାଦବ ନିଜ ଆଡୁ ରିଭ୍ୟୁ ପିଟିସନ ଦାଖଲ କରିବାକୁ ମନା କରିବାରୁ ଭାରତକୁ ଦ୍ୱିତୀୟ ଥର କନ୍ସୁଲାର୍‌ ଆକ୍ସେସ ସୁବିଧା ଦେବାକୁ ପାକିସ୍ତାନ ପ୍ରସ୍ତୁତ ଅଛି। ବୁଧବାର ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳ ପକ୍ଷରୁ ଆୟୋଜିତ ହୋଇଥିବା ଖବରଦାତା ସମ୍ମିଳନୀରେ ପାକିସ୍ତାନର ଅତିରିକ୍ତ ଆଟର୍ନି ଜେନେରାଲ ଅହମ୍ମଦ ଇର୍ଫାନ ଏନେଇ ସୂଚନା ଦେଇଛନ୍ତି।

Share