ଭଞ୍ଜନଗର,୨୪।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକର କୁଲାଡ ବାହୁଡ଼ା ଯାତ୍ରା ଐତିହାସିକ ଓ ପ୍ରସିଦ୍ଧ। ଭଞ୍ଜ ରାଜବଂଶଙ୍କ ପକ୍ଷରୁ ଶହ ଶହ ବର୍ଷ ଧରି ଏଠାରେ ରଥଯାତ୍ରା ପାଳିତ ହୋଇ ଆସୁଥିବାବେଳେ ଶୁକ୍ରବାର ବାହୁଡ଼ା ଯାତ୍ରା ମଧ୍ୟ ଆଡ଼ମ୍ବରପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଛି।
ବାହୁଡ଼ା ଯାତ୍ରା ସମୟରେ ଡିଏଫଓ ହିମାଂଶୁ ଶେଖର ମହାନ୍ତି, ଏସଡିପିଓ ଦୀପକ କୁମାର ମିଶ୍ର, ଏସିଏଫ ବିବେକ ଦାସ, ବିମଳ ପ୍ରଧାନ, ରେଞ୍ଜର ବିମ୍ବାଧର ସାହୁ ଏବଂ ଥାନା ଅଧିକାରୀ ଜୀବନାନନ୍ଦ ଜେନାଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ।
ନିର୍ଦ୍ଧାରିତ ରୀତିନୀତି ଅନୁଯାୟୀ ମାଉସୀମା ମନ୍ଦିରରୁ ଶ୍ରୀଜିଉମାନଙ୍କୁ ପାଛୋଟି ଅଣାଯାଇଥିଲା। ତିନି ଠାକୁର ରଥରେ ବିଜେ କରିବା ପରେ ଭଞ୍ଜ ରାଜବଂଶର ପ୍ରତିନିଧି ପ୍ରଶାନ୍ତ କୁମାର ଭଞ୍ଜଦେଓ ପାରମ୍ପରିକ ଛେରା ପହଁରା ନୀତି ସମ୍ପନ୍ନ କରିଥିଲେ। ଏହାପରେ ରଥଟଣା ଆରମ୍ଭ ହୋଇଥିଲା। ଖବର ଲେଖାହେବା ସୁଦ୍ଧା ରଥଟଣା ଚାଲିଥିଲା।
ଶନିବାର ଶ୍ରୀଜିଉମାନଙ୍କ ସୁନାବେଶ ଅନୁଷ୍ଠିତ ହେବ। ଏଥିସହ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ତିନୋଟି ସାଂସ୍କୃତିକ ଦଳ ଆସି ଭକ୍ତମାନଙ୍କ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ।