ବରଗଡ଼,୨୯।୮(ପ୍ରେମାନନ୍ଦ ଖମାରୀ) – ପଶ୍ଚିମ ଓଡ଼ିଶାର ମୁଖ୍ୟ କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ଅବସରରେ ୩ଦିନ ସରକାରୀ ଛୁଟି ଘୋଷଣା କରିବାକୁ ବିଭିନ୍ନ କୋଶଲ ସଂଗଠନ ଦାବି କରି ଆସୁଥିଲେ। ତେବେ ଗୁରୁବାର ନୂଆଖାଇ ଥିବାବେଳେ ନୂଆଁଖାଇ ପରଦିନ ଅର୍ଥାତ୍ ଶୁକ୍ରବାରକୁ ସରକାର ଛୁଟି ଘୋଷଣା କରିଥିଲେ। ତେବେ ଶୁକ୍ରବାର ବରଗଡ଼ ଜିଲାର ବିଭିନ୍ନ ବ୍ୟାଙ୍କ ଖୋଲାଥିବା ଜାଣି କୋଶଲ ସଂଗ୍ରାମୀମାନେ ତାତି ଉଠିଥିଲେ। ବିଭିନ୍ନ ବ୍ୟାଙ୍କକୁ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହା ସହିତ ବ୍ୟାଙ୍କ କର୍ମଚାରୀ ମାନଙ୍କୁ ବାହାରକୁ ଆସି ବ୍ୟାଙ୍କ ଗୁଡିକୁ ବନ୍ଦ କରି ଦେଇଥିଲେ। ଫଳରେ ବ୍ୟାଙ୍କ କର୍ମଚାରୀ ବାହାରକୁ ଚାଲି ଆସିଥିଲେ ଏବଂ ଏହା ପରେ ବ୍ୟାଙ୍କ କାରବାର ଠପ୍ ପଡି ଯାଇଥିଲା। ଅଜିତ ପତି, ଯତୀନ ନାୟକ, ଶ୍ରୀକାନ୍ତ ପ୍ରଧାନ, କୁବେର ମହାକୁଡ, ରମଣୀ ଦନ୍ତା, ଅଭିଷେକ ନାୟକ, ଆଲୋକ ପ୍ରଧାନ ପ୍ରମୁଖ ଏହାର ନେତୃତ୍ୱ ନେଇଥିଲେ।


