Categories: ଖେଳ

ଆଜି ପ୍ରଥମ ଦିନିକିଆ: ଦଳକୁ ଫେରିଲେ କୋହଲି, ରୋହିତ

ଗୁଆହାଟୀ,୧୦ା୧(ପି.ଟି.): ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍‌ ପୂର୍ବରୁ ଭାରତୀୟ ଦଳକୁ ଲାଗିଛି ବଡ଼ ଝଟକା। ମଙ୍ଗଳବାର ବର୍ଷାପଡ଼ା କ୍ରିକେଟ ଷ୍ଟାଡିୟମରେ ଉଭୟ ଦଳ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳିବେ। ଏହି ମ୍ୟାଚ୍‌ ପାଇଁ ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲି ଭାରତୀୟ ଦଳକୁ ଫେରିଥିବା ବେଳେ ପୁଣି ଥରେ ପଡ଼ିଆରୁ ଦୂରେଇ ରହିବେ ପେସ୍‌ ବୋଲର ଯଶ୍‌ପ୍ରୀତ ବୁମ୍‌ରା। ପୂର୍ବରୁ ବୁମ୍‌ରାଙ୍କୁ ଦିନିକିଆ ଦଳ ପାଇଁ ଫିଟ୍‌ ଘୋଷଣା କରାଯାଇଥିବା ବେଳେ ସେ ସମ୍ପୂର୍ଣ୍ଣ ଫିଟ୍‌ ନ ଥିବା କାରଣରୁ ବାଦ୍‌ ପଡ଼ିଛନ୍ତି। ଏହାସହିତ ସେ ଜାନୁୟାରୀ ୧୮ରୁ ଖେଳାଯିବାକୁ ଥିବା ନ୍ୟୁଜିଲାଣ୍ଡ ସିରିଜ ପାଇଁ ଉପଲବ୍ଧ ହେବେ କି ନା ତାହା ସ୍ପଷ୍ଟ ହୋଇନାହିଁ। ଦିନିକିଆ ବିଶ୍ୱକପ୍‌ ଭାରତୀୟ ଦଳର ପ୍ରାଥମିକତା ରହିଥିବା ବେଳେ ରୋହିତ ଓ କୋହଲିଙ୍କ ବ୍ୟତୀତ ଶ୍ରେୟାସ ଆୟର ଓ ଲୋକେଶ ରାହୁଲଙ୍କ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିବ। ଦିନିକିଆ ବିଶ୍ୱକପ୍‌କୁ ୯ରୁ ୧୦ ମାସ ବାକି ରହିଥିବା ବେଳେ ଏହି ସମୟରେ ଭାରତ ଏସିଆ କପ୍‌କୁ ବାଦ୍‌ ଦେଇ ୧୫ଟି ଦିନିକିଆ ମ୍ୟାଚ୍‌ ଖେଳିବ। ଏହି ମ୍ୟାଚ୍‌ଗୁଡ଼ିକ ମାଧ୍ୟମରେ ନିଜର ଶ୍ରେଷ୍ଠ ଏକାଦଶ ଚୟନ କରିବା ସହିତ ଖେଳାଳିଙ୍କ ଉପରେ କାର୍ଯ୍ୟଭାରକୁ ମଧ୍ୟ ଧ୍ୟାନରେ ରଖିବ ବିସିସିଆଇ। ରୋହିତ ଶର୍ମା ଓପ୍‌ନର ଭାବେ ଫେରିଥିବା ବେଳେ ଶୁବମନ ଗିଲ୍‌ ଏବଂ ଇଶାନ କିଶନଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିବ। ନିକଟରେ ବାଂଲାଦେଶ ସିରିଜରେ ଦ୍ୱିଶତକ ହାସଲ କରିଥିବା ଇଶାନ କିଶନଙ୍କୁ ସୁଯୋଗ ମିଳିବାର ସମ୍ଭାବନା ଅଧିକ। ୩ ନମ୍ବରରେ କୋହଲି ଖେଳିବା ନିଶ୍ଚିତ ଥିବା ବେଳେ ୪ର୍ଥ ଓ ୫ମ ସ୍ଥାନକୁ ନେଇ ଭାରତୀୟ ମ୍ୟାନେଜ୍‌ମେଣ୍ଟର ଚିନ୍ତା ବଢ଼ିଛି। ବିଗତ ୧୫ ଇନିଂସ୍‌ରେ ୫୫ ଆଭରେଜ୍‌ ସହିତ ୭୨୪ ରନ୍‌ କରିଥିବା ଶ୍ରେୟସ୍‌ ଆୟାର ଏବଂ ନିଜ କ୍ୟାରିୟରର ଶ୍ରେଷ୍ଠ ଫର୍ମରେ ଥିବା ସୂର୍ଯ୍ୟକୁମାର ଯାଦବଙ୍କୁ ସୁଯୋଗ ମିଳିଲେ ରାହୁଲ ଦଳରୁ ବାଦ୍‌ ପଡ଼ିପାରନ୍ତି। ଭାରତୀୟ ଦଳର ଉପଅଧିନାୟକ ହାର୍ଦ୍ଦିକ୍‌ ପାଣ୍ଡ୍ୟା ୬ ନମ୍ବର ସ୍ଥାନରେ ଖେଳିବେ। ସେହିପରି ଟି୨୦ ସିରିଜ୍‌ର ପ୍ଲେୟର ଅଫ୍‌ ଦ ସିରିଜ୍‌ ରହିଥିବା ଅକ୍ଷର ପଟେଲଙ୍କୁ ମଧ୍ୟ ଆଉ ଏକ ସୁଯୋଗ ମିଳିବ। ଦ୍ୱିତୀୟ ସ୍ପିନର ଭାବେ କୁଲ୍‌ଦୀପ ଯାଦବ ଏବଂ ୟୁଜ୍‌ବେନ୍ଦ୍ର ଚହଲଙ୍କ ମଧ୍ୟରୁ ଜଣେ ଖେଳିପାରନ୍ତି। ଅଭିଜ୍ଞ ପେସ୍‌ ବୋଲର ମହମ୍ମଦ ଶାମି ଦଳକୁ ଫେରିଥିବା ବେଳେ ସେ ପେସ୍‌ ବୋଲିଂର ନେତୃତ୍ୱ ନେବେ। ଅନ୍ୟ ଦୁଇ ସ୍ଥାନରେ ମହମ୍ମଦ ସିରାଜ, ଅର୍ଶଦୀପ ସିଂ ଓ ଉମ୍ରାନ୍‌ ମଲିକଙ୍କୁ ସୁଯୋଗ ମିଳିବ। ଅପରପକ୍ଷରେ ଶ୍ରୀଲଙ୍କା ଦଳ ଅଧିନାୟକ ଦାସୁନ ସନକାଙ୍କ ଉପରେ ଅଧିକ ନିର୍ଭର କରିବ। ଏହା ବ୍ୟତୀତ ଟପ୍‌ ଅର୍ଡର ବ୍ୟାଟର ପାଥୁମ ନିଶଙ୍କା ଓ ଚରିଥ ଅସଲଙ୍କାଙ୍କଠାରୁ ଏକ ଭଲ ଇନିଂସ୍‌ ଆଶା କରିବ। ଭାରତୀୟ ପିଚ୍‌କୁ ଦୃଷ୍ଟିରେ ରଖି ଦ୍ୱିତୀୟ ସ୍ପିନର ଭାବେ ଜେଫେରୀ ଭାଣ୍ଡରସେଙ୍କୁ ଦଳ ଖେଳାଇପାରେ।

Share