ପର୍ଥ,୧୬ା୧୦: ଆସନ୍ତା ୧୯ ତାରିଖରୁ ଅଷ୍ଟ୍ରେଲିଆ ବିପକ୍ଷରେ ହେବାକୁ ଥିବା ଦିନିକିଆ କ୍ରିକେଟ ସିରିଜ୍ ଲାଗି ଭାରତୀୟ ଦଳର ଦୁଇ ବ୍ୟାଚ୍ରେ ପର୍ଥରେ ପହଞ୍ଚିଛି। ସିନିୟର ବ୍ୟାଟର ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ସମେତ ଭାରତୀୟ ଦଳର ଅନ୍ୟ ଖେଳାଳିମାନେ ଗୁରୁବାର ଅଭ୍ୟାସ ଆରମ୍ଭ କରିଛନ୍ତି।
ଅନ୍ତିମ ଥର ଫେବୃଆରୀ-ମାର୍ଚ୍ଚରେ ଚାମ୍ପିୟନ୍ସ ଟ୍ରଫିରେ ଭାରତ ପାଇଁ ଖେଳିଥିବା କୋହଲି ଓ ରୋହିତଙ୍କ ଉପରେ ସଭିଙ୍କ ନଜର ରହିଥିଲା। ଉଭୟ ଟ୍ରେନିଂ ସେଶନରେ ଝାଳ ବୁହା ପ୍ରାକ୍ଟିସ କରିଥିଲେ। ପାଖାପାଖି ଅଧଘଣ୍ଟା ଧରି ନେଟ୍ସରେ ବ୍ୟାଟିଂ କରିଥିଲେ। ବ୍ୟାଟିଂ ପ୍ରାକ୍ଟିସ ପରେ ରୋହିତ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ସହ କଥା ହେଉଥିବା ନଜର ଆସିଥିଲେ।
ଉଭୟ କୋହଲି ଓ ରୋହିତ ଟେଷ୍ଟ ଓ ଟି୨୦ ଫର୍ମାଟରୁ ଅବସର ନେଇ ସାରିଛନ୍ତି। ଏଣୁ ଦୁହିଁଙ୍କ ଲାଗି ଏହା ଅନ୍ତିମ ଅଷ୍ଟ୍ରେଲିଆ ଟୁର। ସେମାନେ ୨୦୨୭ ବିଶ୍ୱକପ୍ରେ ଖେଳିବେ କି ନାହିଁ, ତାହା ସେମାନଙ୍କ ଫର୍ମ ଓ ଫିଟନେସ ଉପରେ ନିର୍ଭର କରେ। ଭାରତୀୟ ଦଳ ଶୁକ୍ରବାର ଓ ଶନିବାର ଅଭ୍ୟାସ କରିବେ।


