ଆଇପିଏଲ୍‌ରେ ୫୦୦ ଚୌକା ମାରିଲେ ଏହି ଭାରତୀୟ ବ୍ୟାଟ୍ସମ୍ୟାନ

ଆବୁଧାବି, ୨୨।୧୦: ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣରେ ବୁଧବାର ଖେଳାଯାଇଥିବା ଏକ ମ୍ୟାଚ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୮ ଉଇକେଟ୍‌ରେ କୋଲକାତା ନାଇଟ୍‌ ରାଇଡର୍ସକୁ ପରାସ୍ତ କରିଛି। ମ୍ୟାଚ୍‌ରେ ବାଙ୍ଗାଲୋର ଅଧିନାୟକ କୋହଲି ୧୮ ରନ କରି ଅପରାଜିତ ରହିବା ସହ ଦଳକୁ ଜିତାଇଥିଲେ। ଏହି ଇନିଂସ ମଧ୍ୟରେ କୋହଲି ୨ଟି ଚୌକା ମାରିବା ସହ ଏକ ସ୍ବତନ୍ତ୍ର କ୍ଲବରେ ସାମିଲ ହୋଇଛନ୍ତି। ଏହି ୨ଟି ଚୌକା ସହ ବିରାଟ ଆଇପିଏଲ୍‌ରେ ୫୦୦ ଚୌକା ମାରିଛନ୍ତି। ଆଇପିଏଲ୍‌ ଇତିହାସରେ ୫୦୦ କିମ୍ବା ଏହାଠାରୁ ଊର୍ଦ୍ଧ୍ୱ ଚୌକା ମାରିବାରେ କୋହଲି ୨ୟ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ବିଶ୍ୱର ଏହି ବ୍ୟୟବହୁଳ ଟି୨୦ ଲିଗ୍‌ରେ ସର୍ବାଧିକ ଚୌକା ମାରିବାର ରେକର୍ଡ ଶିଖର ଧାଓ୍ବନଙ୍କ ନାମରେ ରହିଛି। ଧାଓ୍ବନ ବର୍ତ୍ତମାନ ସୁଦ୍ଧା ୧୬୯ ମ୍ୟାଚ୍‌ ଖେଳି ୫୭୫ ଚୌକା ମାରି ତାଲିକାର ସର୍ବାଗ୍ରେ ରହିଛନ୍ତି। ଏହି ତାଲିକାର ୩ୟ ଓ ୪ର୍ଥ ସ୍ଥାନରେ ଯଥାକ୍ରମେ ସୁରେଶ ରାଇନା (୪୯୩) ଓ ଗୌତମ ଗମ୍ଭୀର (୪୯୧) ରହିଛନ୍ତି।

Share