ଏନ୍‌ଏସି ବୈଠକ ଭଣ୍ଡୁର ଉଦ୍ୟମ, ଅଭିଯୋଗ ଆଣିଲେ ଅଧ୍ୟକ୍ଷ

କୋଦଳା,୨୮ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା କୋଦଳା ଏନ୍‌ଏସିର ସାଧାରଣ ବୈଠକରେ ପୁଣି ଥରେ ହୋ-ହଲ୍ଲା ଦେଖିବାକୁ ମିଳିଛି। ପୂର୍ବ ବୈଠକ ବାଦ୍‌ ବିବାଦକୁ ନେଇ ବନ୍ଦ ହୋଇଯାଇଥିବା ବେଳେ ଶନିବାର ପୁଣି ଥରେ ବୈଠକରେ ରାଜନୈତିକ ବିବାଦ ଦେଖିବାକୁ ମିଳିଛି। ଉକ୍ତ ଏନ୍‌ଏସିରେ ଭାଜପା ଅଧ୍ୟକ୍ଷ ସମେତ ୮ କାଉନସିଲର ନିର୍ବାଚିତ ହୋଇଥିବା ବେଳେ ବିଜେଡିର ୪ ଓ ଜଣେ ସ୍ବାଧୀନ ଭାବେ ନିର୍ବାଚିତ ହୋଇଥିଲେ। ତେବେ ନିର୍ବାଚନ ପରଠାରୁ ସ୍ଥାନୀୟ ବିଧାୟିକା ଲତିକା ପ୍ରଧାନଙ୍କ ଇସାରାରେ ପ୍ରଶାସନ କାର୍ଯ୍ୟ କରୁଥିବା ଏବଂ ନିର୍ବାଚିତ ପ୍ରତିନିଧିଙ୍କୁ ଏନ୍‌ଏସିର କର୍ମଚାରୀମାନେ ଲଗାତର ଅଣଦେଖା କରି ମନଇଛା କାର୍ଯ୍ୟ କରୁଥିବା ଅଭିଯୋଗ କରିଛନ୍ତି ଭାଜପା ଅଧ୍ୟକ୍ଷ ଓ କାଉନସିଲରମାନେ।
ପୂର୍ବ ନିର୍ଦ୍ଧାରିତ ଅନୁସାରେ ଶନିବାର ବୈଠକ ପାଇଁ ସ୍ଥିର ହୋଇଥିଲା। ଏଥିରେ ସ୍ଥାନୀୟ ବିଧାୟିକାଙ୍କୁ ଅତିଥି ଭାବେ ଡକା ଯାଇଥିବା ବେଳେ ଅଧ୍ୟକ୍ଷ, ଉପାଧ୍ୟକ୍ଷା, କାଉନସିଲରମାନଙ୍କୁ ନେଇ ବୈଠକ ହୋଇଥିଲା। ତେବେ ବୈଠକ ଆରମ୍ଭରୁ ହିଁ ଅଧ୍ୟକ୍ଷ ଓ ବିଜେଡି କାଉନସିଲରମାନଙ୍କ ମଧ୍ୟରେ ଅଯଥା ବିବାଦ ସୃଷ୍ଟି ହୋଇଥିଲା। ଏଥିରେ ବିଧାୟିକାଙ୍କ ହସ୍ତକ୍ଷେପ ଯୋଗୁ ବୈଠକରେ ପ୍ରବଳ ପାଟିତୁଣ୍ଡ ଦେଖିବାକୁ ମିଳିଥିଲା। ଏହାରି ଭିତରେ ଅଧ୍ୟକ୍ଷ ବୈଠକ ଜାରି ରଖିବା ସହ ରେଜୁଲେଶନ ପାସ୍‌ କରାଇଥିଲେ। ତେବେ ପ୍ରଶାସନିକ ଅଧିକାରୀ, ବିଧାୟିକା ଓ ବିଜେଡି କାଉନସିଲରମାନେ ଗୃହ ଛାଡ଼ି ଚାଲିଯାଇଥିଲେ। ଉକ୍ତ ଏନ୍‌ଏସିରେ ବାରମ୍ବାର ରାଜନୈତିକ ଷଡ଼ଯନ୍ତ୍ର ଯୋଗୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଆଗେଇ ପାରୁନି। ଜଣେ ସ୍ଥାୟୀ ନିର୍ବାହୀ ଅଧିକାରୀ ନ ଥିବାରୁ ପ୍ରଶାସନିକ ଅଧିକାରୀମାନେ ମନମୁଖୀ କାର୍ଯ୍ୟ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଭାଜପା କାଉନସିଲର। ସେପଟେ ଏନେଇ ବିଧାୟିକାଙ୍କ ପ୍ରତିକ୍ରିୟା ମିଳି ନ ଥିବା ବେଳେ ଆଗାମୀ ଦିନରେ ରାଜନୀତି କି ମୋଡ଼ ନେଉଛି ତାହା ଦେଖିବାକୁ ବାକିରହିଲା।