ଖୁସିଖବର: ମାତ୍ର ୧୩-୧୪ ଟଙ୍କାରେ ମିଳୁଛି ଚିନି! ଜାଣନ୍ତୁ କିଏ ପାଇପାରିବେ ଏହି ସୁବିଧା

ନୂଆଦିଲ୍ଲୀ,୨୪।୮: ଚିନିର ଦର ଲଗାତାର ବଢ଼ିବାରୁ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ବଢ଼ିଛି। ଦୈନନ୍ଦିନ ରୋଷେଇରେ ଚିନିର ବ୍ୟବହାର ହେଉଥିବା ବେଳେ ପର୍ବପର୍ବାଣୀ ସମୟରେ ଏହାର ଚାହିଦା ଆହୁରି ବଢ଼ିଯାଏ। ଏଭଳି ସମୟରେ ଚିନିର ଦର ବଢ଼ିବା ଲୋକଙ୍କ ଚିନ୍ତା ବଢ଼ାଇଛି। ତେବେ ଏବେ ବି କିଛି ଯୋଗ୍ୟ ଲୋକଙ୍କୁ ବଜାର ଦରଠାରୁ ବହୁତ କମ ମୂଲ୍ୟରେ ଚିନି ମିଳିପାରେ।

ରାଶନ କାର୍ଡ ଥିବା ଯୋଗ୍ୟ ପରିବାରମାନେ ସରକାରୀ ରାଶନ ଦୋକାନରୁ ବଜାର ଦରଠାରୁ କମ ମୂଲ୍ୟରେ ଚିନି ପାଇପାରନ୍ତି। ତେବେ ପ୍ରତ୍ୟେକ ରାଶନ କାର୍ଡଧାରୀ ଏହି ସୁବିଧା ପାଇବେ ନାହିଁ। ଚିନି ପାଇବାର ଯୋଗ୍ୟତା ରାଶନ କାର୍ଡର ଶ୍ରେଣୀ ଓ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ନିୟମ ଉପରେ ନିର୍ଭର କରେ।

ବଜାରରେ ଚିନିର ଦର କିଲୋ ପିଛା ପ୍ରାୟ ୬୫ ଟଙ୍କା ଥିବାବେଳେ, କିଛି ଯୋଗ୍ୟ ରାଶନ କାର୍ଡଧାରୀଙ୍କୁ ସରକାରୀ ବ୍ୟବସ୍ଥାରେ ଏହା ପ୍ରାୟ ୧୩ ଟଙ୍କା ୫୦ ପଇସାରେ ମିଳିପାରେ। କେତେକ ରାଜ୍ୟରେ ଅନ୍ତ୍ୟୋଦୟ ଅନ୍ନ ଯୋଜନା (AAY) ପରିବାର ପାଇଁ ଚିନିର ନିର୍ଦ୍ଦିଷ୍ଟ କୋଟା ରହିଥାଏ। ସରକାର ଧାର୍ଯ୍ୟ କରିଥିବା ରିହାତି ଦରରେ ଯୋଗ୍ୟ ପରିବାରଙ୍କୁ ଚିନି ଦିଆଯାଇପାରେ। ତେବେ ଏହାର ଦର ରାଜ୍ୟ ଅନୁସାରେ ଭିନ୍ନ ହୋଇପାରେ।

କେନ୍ଦ୍ର ଓ ରାଜ୍ୟ ସରକାର ସାର୍ବଜନୀନ ବଣ୍ଟନ ବ୍ୟବସ୍ଥା (PDS) ମାଧ୍ୟମରେ କିଛି ଯୋଗ୍ୟ ପରିବାରଙ୍କୁ ରିହାତି ଦରରେ ଚିନି ଯୋଗାଇଥାନ୍ତି। ଏହାର ଲାଭ ବିଶେଷ ଭାବେ ଅନ୍ତ୍ୟୋଦୟ ଅନ୍ନ ଯୋଜନା (AAY)ର ହିତାଧିକାରୀମାନେ ପାଇପାରନ୍ତି।
ଯଦି ଆପଣଙ୍କ ରାଶନ କାର୍ଡ AAY ଶ୍ରେଣୀରେ ଆସୁଛି, ତେବେ ନିକଟସ୍ଥ ସରକାରୀ ରାସନ ଦୋକାନରୁ ସରକାର ଧାର୍ଯ୍ୟ କରିଥିବା ଦରରେ ଚିନି କିଣିବାର ସୁଯୋଗ ମିଳିପାରେ। ପ୍ରାୟୋରିଟି ହାଉସହୋଲ୍ଡ (PHH) କିମ୍ବା BPL ରାଶନ କାର୍ଡଧାରୀଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତିମାସ ଚିନି ମିଳିବା ନିଶ୍ଚିତ ନୁହେଁ। ଏହି ସୁବିଧା ରାଜ୍ୟ ସରକାରଙ୍କ ନିୟମ ଉପରେ ନିର୍ଭର କରେ। କେତେକ ରାଜ୍ୟରେ ପର୍ବପର୍ବାଣୀ ସମୟରେ ରାଶନ କାର୍ଡଧାରୀଙ୍କୁ ରିହାତି ଦରରେ ଚିନି କିମ୍ବା ବିଶେଷ ଖାଦ୍ୟ ପ୍ୟାକେଜ ମଧ୍ୟ ଦିଆଯାଇଥାଏ। ତେଣୁ ରାଜ୍ୟ ଅନୁସାରେ ଲାଭ ଭିନ୍ନ ହୋଇପାରେ। ତେବେ ଏହି ସୁବିଧା ପାଇବା ପାଇଁ ରାସନ କାର୍ଡଧାରୀଙ୍କ ଯୋଗ୍ୟତା ଥିବା ଆବଶ୍ୟକ।

Odisha’s No.1 Odia Daily

Share