ନୂଆଦିଲ୍ଲୀ,୧୨।୪: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ନିଜର କୋଟି କୋଟି ଅଂଶଧାରକଙ୍କ ପାଇଁ ପିଏଫ (PF) ଟଙ୍କା ଉଠାଣ ପ୍ରକ୍ରିୟାକୁ ପୂର୍ବ ଅପେକ୍ଷା ଅଧିକ ସହଜ ଓ ସରଳ କରିଦେଇଛି। ଯଦି ଆପଣ ଜଣେ ଚାକିରିଆ ଏବଂ ଆପଣଙ୍କର ପିଏଫ କଟୁଛି, ତେବେ ଆପଣ ଆବଶ୍ୟକ ସମୟରେ ଘରେ ବସି ଅନଲାଇନରେ କିମ୍ବା ଅଫଲାଇନ ମାଧ୍ୟମରେ ଟଙ୍କା ଉଠାଇ ପାରିବେ।
ଅନଲାଇନ:
ଅନଲାଇନ କ୍ଲେମ୍ କରିବା ପାଇଁ ଆପଣଙ୍କର UAN ସକ୍ରିୟ ଥିବା ଜରୁରୀ ଏବଂ ଏହା ସହିତ ଆଧାର ଓ ବ୍ୟାଙ୍କ ଆକାଉଣ୍ଟ ଲିଙ୍କ ହୋଇଥିବା ଆବଶ୍ୟକ। ପ୍ରଥମେ UAN Member Portal କୁ ଯାଇ ନିଜର UAN ଏବଂ ପାସୱାର୍ଡ ଦେଇ ଲଗ୍-ଇନ କରନ୍ତୁ। ‘Manage KYC’ ସେକ୍ସନକୁ ଯାଇ ଆଧାର ଓ ବ୍ୟାଙ୍କ ବିବରଣୀ ସଠିକ ଅଛି କି ନାହିଁ ଯାଞ୍ଚ କରନ୍ତୁ। ‘Online Services’ ଟ୍ୟାବ୍କୁ ଯାଇ ‘Claim (Form-୩୧, ୧୯, ୧୦C & ୧୦D)’ ଉପରେ କ୍ଲିକ କରନ୍ତୁ। ନିଜର ବ୍ୟାଙ୍କ ଆକାଉଣ୍ଟ ନମ୍ବର ଦେଇ ‘Verify’ କରନ୍ତୁ। ଯଦି ଆପଣ ଚାକିରିରେ ଅଛନ୍ତି, ତେବେ ‘PF Advance (Form ୩୧)’ ବାଛନ୍ତୁ। ଯଦି ଚାକିରି ଛାଡ଼ି ସାରିଛନ୍ତି, ତେବେ ’PF Withdrawal (Form ୧୯)’ କିମ୍ବା ‘Pension Withdrawal (Form ୧୦C)’ ବାଛନ୍ତୁ। ଆଧାର ସହ ଲିଙ୍କ ଥିବା ମୋବାଇଲ ନମ୍ବରକୁ ଆସିଥିବା OTP ଦେଇ ସବମିଟ କରନ୍ତୁ। ତେବେ ଆବେଦନ କରିବାର ୭ ରୁ ୨୦ ଦିନ ମଧ୍ୟରେ ଟଙ୍କା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଯିବ।
ଅଫଲାଇନ:
ଯଦି ଆପଣ ଅଫଲାଇନରେ ଆବେଦନ କରିବାକୁ ଚାହୁଁଛନ୍ତି, ତେବେ ’କମ୍ପୋଜିଟ କ୍ଲେମ ଫର୍ମ’ ବ୍ୟବହାର କରିବାକୁ ପଡ଼ିବ। ଯଦି UAN ସହ ଆଧାର ଲିଙ୍କ ଅଛି, ତେବେ ନିଯୁକ୍ତିଦାତାଙ୍କ ବିନା ସ୍ବାକ୍ଷରରେ ସିଧାସଳଖ EPFO ଅଫିସରେ ଫର୍ମ ଜମା କରିପାରିବେ। ଯଦି ଆଧାର ଲିଙ୍କ ନାହିଁ, ତେବେ ଫର୍ମରେ ନିଯୁକ୍ତିଦାତା ବା କମ୍ପାନୀର ଅନୁମୋଦନ/ସ୍ବାକ୍ଷର ଆବଶ୍ୟକ।
ସେହିଭଳି ପେନସନ ଉଠାଣ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ନିୟମ ରହିଛି। ୬ ମାସରୁ କମ ଚାକିରି କ୍ଷେତ୍ରରେ ଆପଣ ପେନସନ ଟଙ୍କା ଉଠାଇ ପାରିବେ ନାହିଁ। ୬ ମାସରୁ ୯.୫ ବଷ ବର୍ଷ ଯାଏ କରିଥିଲେ ଆପଣ Form ୧୦C ଜରିଆରେ ପେନସନର ପୂରା ଟଙ୍କା ଉଠାଇ ପାରିବେ ୯.୫ ବର୍ଷରୁ ଅଧିକ ଚାକିରି କ୍ଷେତ୍ରରେ ଆପଣଙ୍କୁ ଏକକାଳୀନ ଟଙ୍କା ବଦଳରେ ଅବସର ପରେ ମାସିକ ପେନସନ ମିଳିବ।
ଅବସର ପରେ କିମ୍ବା ଦୁଇ ମାସରୁ ଅଧିକ ସମୟ ବେକାର ରହିଲେ ଆପଣ ପିଏଫର ସମ୍ପୂର୍ଣ୍ଣ ଟଙ୍କା ଉଠାଇ ପାରିବେ। ବର୍ତ୍ତମାନର ନିୟମ ଅନୁଯାୟୀ, ଚାକିରି ଛାଡ଼ିବାର ଏକ ମାସ ପରେ ୭୫% ଟଙ୍କା ଏବଂ ବାକି ୨୫% ଟଙ୍କା ଦୁଇ ମାସ ପରେ ଉଠାଯାଇପାରିବ।

