Categories: ଖେଳ

ଆଇପିଏଲ୍‌ରେ ସ୍ବତନ୍ତ୍ର ରେକର୍ଡ କଲେ ରାହୁଲ

କୋଲକାତା,୨୬।୫: ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଅଧିନାୟକ ଲୋକେଶ ରାହୁଲ ଆଇପିଏଲ୍‌ ଇତିହାସରେ ପ୍ରଥମ ଖେଳାଳି ଭାବେ ୪ ସିଜନରେ ୬୦୦ରୁ ଅଧିକ ରନ୍‌ କରିଛନ୍ତି। ଇଡେନ ଗାର୍ଡେନ୍ସରେ ବୁଧବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଖେଳାଯାଇଥିବା ଏଲିମିନେଟର ମ୍ୟାଚ୍‌ରେ ରାହୁଲ ଏହି ସଫଳତା ହାସଲ କରିଛନ୍ତି।

ଏହି ମ୍ୟାଚ୍‌ରେ ରାହୁଲ ୫୮ ବଲରେ ୭୯ ରନ୍‌ର ଇନିଂସ ଖେଳିଥିଲେ। ଡାହାଣହାତୀ ବ୍ୟାଟର ଚଳିତ ଆଇପିଏଲରେ ୧୫ ମ୍ୟାଚ୍‌ରେ ୬୬୧ ରନ୍‌ କରିଛନ୍ତି। ଏଥି ପୂର୍ବରୁ ୨୦୨୧ ସିଜନରେ ସେ ୧୩ ମ୍ୟାଚ୍‌ରେ ୬୨୬ ରନ୍‌ କରିଥିଲେ। ୨୦୨୦ରେ ୧୪ ମ୍ୟାଚ୍‌ରେ ୬୭୦ ଏବଂ ୨୦୧୮ରେ ୬୫୯ ରନ୍‌ କରିଥିଲେ।

ଓ୍ବେଷ୍ଟଇଣ୍ଡିଜ କିମ୍ବଦନ୍ତୀ କ୍ରିସ ଗେଲ୍‌ ଏବଂ ଅଷ୍ଟ୍ରେଲିଆନ ଓପନର ଡେଭିଡ୍‌ ଓ୍ବାର୍ନର ଆଇପିଏଲର ୩ ସଂସ୍କରଣରେ ୬ଶହରୁ ଅଧିକ ରନ୍‌ କରିଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ପକ୍ଷରୁ ପ୍ରତିନିଧିତ୍ୱ କରି ଗେଲ୍‌ ଲଗାତର ୨୦୧୧, ୨୦୧୨ ଓ ୨୦୧୩ରେ ୬୦୦ରୁ ଊର୍ଦ୍ଧ୍ୱ ରନ୍‌ କରିଥିଲେ। ଅନ୍ୟପକ୍ଷରେ ବାମହାତୀ ବିସ୍ଫୋରକ ବ୍ୟାଟର ସନରାଇଜର୍ସ ହାଇଦ୍ରାବାଦ୍‌ ପାଇଁ ୨୦୧୬ରୁ ୨୦୧୯ ପର୍ଯ୍ୟନ୍ତ ଲଗାତର ସେହି ମାଇଲଷ୍ଟୋନ ଅତିକ୍ରମ କରିଥିଲେ। ଉଲ୍ଲେଖଯୋଗ୍ୟ, ରଜତ ପାଟିଦାର(୧୧୨*)ଙ୍କ ଧୂଆଁଦାର ଶତକ ବଳରେ ଆରସିବି ୧୪ ରନ୍‌ରେ ରାହୁଲଙ୍କ ନେତୃତ୍ୱାଧୀନ ଲକ୍ଷ୍ନୌକୁ ହରାଇ ଦ୍ୱିତୀୟ କ୍ୱାଲିଫାୟରରେ ପ୍ରବେଶ କରିଛି। ଆସନ୍ତା ଶୁକ୍ରବାର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସକୁ ଫାଫ ଡୁ’ପ୍ଲେସିଙ୍କ ନେତୃତ୍ୱାଧୀନ ବାଙ୍ଗାଲୋର ଭେଟିବ।

Share