କିଶୋର ମାଝି ହତ୍ୟାକାଣ୍ଡର ଅଭିଯୁକ୍ତ ଫେରାର, ସହଯୋଗୀ ଗିରଫ

ତୁମୁଡ଼ିବନ୍ଧ,୧୦ା୩(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ବେଲଘର ଥାନା ଅନ୍ତର୍ଗତ ଲଙ୍କାଗଡ଼ ପଞ୍ଚୟତର ସୁଲେରେଜୁ ଗ୍ରାମରେ ଘଟିଛି ଏକ ହତ୍ୟାକାଣ୍ଡ। ଅର୍ତ୍ତା ବାଲି ଗ୍ରାମର କିଶୋର ମାଝି ଗତ ଶୁକ୍ରବାର ନିଜ ମାମୁଘର ଗାଁ ସୁଲେରେଜୁ ଆସିଥିଲେ ବାହାଘର ଭୋଜି ପାଇଁ। ଭୋଜି ଖାଇ ସେହିଦିନ ଘରକୁ ଫେରି ନ ଥିଲେ। ରାତି ୯ଟାରେ ସନ୍ଦିପଦର ଗ୍ରାମର ଟେଙ୍ଗେ ମାଝି ଓ ବୁଡିଙ୍ଗଲୁ ଗ୍ରାମର ସେବେନା ମାଝି ପୂର୍ବରୁ ଯୋଜନା ପ୍ରକାରେ କିଶୋର ମାଝି (୪୦)ଙ୍କୁ ଅନ୍ଧାର ରାତିର ସୁଯୋଗ ନେଇ ଗାଁ ଦାଣ୍ଡରେ ନିର୍ମମ ଭାବରେ ହତ୍ୟା କରି ପାଖ ବିଲରେ ଫିଙ୍ଗି ଦେଇ ସୁଲେରେଜୁରେ ଥିଲେ। ଶନିବାର ସକାଳୁ ମାମୁଘର ଲୋକ କିଶୋରଙ୍କୁ ଦେଖି ନ ଥିଲେ। ଆଖପାଖ ଖୋଜାଖୋଜି କରି ନ ପାଇବାରୁ ପରିବାର ଲୋକଙ୍କୁ ଖବର ଦେଇଥିଲେ। ସମସ୍ତେ ଖୋଜାଖୋଜି କରିବାରୁ ଏକ ବିଲରେ ମୃତଦେହ ପଡ଼ିଥିବା ଦେଖି ବେଲଘର ପୋଲିସକୁ ଜଣାଇଥିଲେ। ପୋଲିସ ରବିବାର ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ତୁମୁଡିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି। ପୋଲିସ ଜଣଙ୍କୁ ଗିରଫ କରିଥିବା ବେଳେ ଆଉ ଜଣେ ଫେରାର ଅଛନ୍ତି।