ଜଳେଶ୍ୱର, ୨୫।୨(ନବୀନ ସାହୁ): ଟ୍ରେନ୍ରୁ ଖସିପଡ଼ି ଜଣେ କିନ୍ନରଙ୍କ ଅକାଳ ବିୟୋଗ ଘଟିଛି। ମୃତକ ଜଣକ ହେଉଛନ୍ତି ଜଳେଶ୍ୱର ଥାନା ଅଧୀନ ରାଜପୁର ବସ୍ତିର ସଲମା କିନ୍ନର(୩୫)। ଗତ ସୋମବାର ଦିନ ପ୍ରାୟ ୨ଟା ବେଳେ ସଲମା ୧୨୮୭୬ ନଂ. ଅପ୍ ନୀଳାଞ୍ଚଳ ଏକ୍ସପ୍ରେସରେ ଯାତ୍ରା କରୁଥିଲେ। ତେବେ ଜଳେଶ୍ୱର ଓ ରାଜଘାଟ ଷ୍ଟେଶନ ମଧ୍ୟବର୍ତ୍ତୀ ବାଘାବାଳୀ ଗେଟ୍ ନିକଟରେ କୌଣସି କାରଣବଶତଃ ସେ ଟ୍ରେନ୍ରୁ ଖସି ପଡ଼ିଥିଲେ। ଫଳରେ ସେ ଗୁରୁତର ଭାବେ ଆହତ ହୋଇଥିଲେ। ଖବରପାଇ ଜଳେଶ୍ୱର ଷ୍ଟେଶନମାଷ୍ଟର ଚନ୍ଦନ ସିଂଙ୍କ ପ୍ରତ୍ୟକ୍ଷ ସହାୟତାରେ ରେଳ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ତାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଜଳେଶ୍ୱର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରେଳ ପୋଲିସ ଏହି ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଶବ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।

