ଯୁବକଙ୍କୁ ହତ୍ୟା କରି ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ

ହରଭଙ୍ଗା,୩୦ା୧୦(ଡି.ଏନ୍‌.ଏ.): ବୌଦ୍ଧ ଜିଲା ପୁରୁଣାକଟକ ଥାନା ସିଙ୍ଗାଣିବିଡ଼ା ନିକଟରେ ଗୁରୁବାର ରାତିରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ରାସ୍ତାକଡ଼ରେ ଫିଙ୍ଗି ଦେଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ମୃତ ଯୁବକ ଜଣକ ହରଭଙ୍ଗା ବ୍ଲକ ତିଲେଶ୍ବର ପଞ୍ଚାୟତ ବାଦିକଟା ଗ୍ରାମର ଅର୍ଜୁନ ପାତ୍ର (୩୫) ବୋଲି ଜଣାପଡ଼ିଛି । କେହି ଦୁର୍ବୃତ୍ତ ଅର୍ଜୁନଙ୍କୁ ହତ୍ୟା କରି ରାସ୍ତା କଡ଼ରେ ଆଣି ଫିଙ୍ଗି ଦେଇଥିବା ବେଳେ ଶୁକ୍ରବାର ସକାଳୁ ସ୍ଥାନୀୟ ଲୋକେ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ପରେ ପୋଲିସକୁ ଖବର ଦେବାରୁ ପୁରୁଣାକଟକ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି। ଅର୍ଜୁନ ଏକ କ୍ରସର କମ୍ପାନୀରେ ଓ୍ବେଲଡିଂ ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ତାଙ୍କର ସମ୍ପର୍କୀୟ ଲୋକମାନେ କହିଛନ୍ତି। ପ୍ରେମ ସମ୍ପର୍କକୁ ନେଇ ଏପରି କାଣ୍ଡ ଘଟିଥିବା ସାଧାରଣରେ ଆଲୋଚନା ହେଉଛି। ଅନ୍ୟପକ୍ଷରେ ପୋଲିସ ଘଟଣାର ଛାନଭିନ୍‌ କରୁଥିବା ବେଳେ ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି କୁହାଯାଉଛି।