ଯୁବକଙ୍କୁ ମାରି ରାସ୍ତାରେ ଫିଙ୍ଗିଦେଲେ: ୨ ଅଭିଯୁକ୍ତ ଅଟକ

କୋରାପୁଟ,୨୫ା୧୨(ସ୍ବ.ପ୍ର.): କୋରାପୁଟ ସହରର ବନଭାରତୀ କଲୋନୀରେ ଶନିବାର ଭୋର୍‌ରୁ ଏକ ହତ୍ୟାକାଣ୍ଡ ଘଟିଛି। ଏହି ହତ୍ୟାକାଣ୍ଡକୁ କେନ୍ଦ୍ରକରି ମୃତକଙ୍କ ସମ୍ପର୍କୀୟମାନେ ଉତ୍ତ୍ୟକ୍ତ ହୋଇ ପରଜାସାହିରେ ଥିବା ଅଭିଯୁକ୍ତଙ୍କ ଏକ ସେଲୁନକୁ ଭଙ୍ଗାରୁଜା କରିଥିଲେ। ଏହି ଘଟଣାକୁ ନେଇ ଶାନ୍ତିଶୃଙ୍ଖଳା ନେଇ କୋରାପୁଟ ଟାଉନ ଥାନାଧିକାରୀ ଧୀରେନ ପଟ୍ଟନାୟକଙ୍କ ନେତୃତ୍ୱରେ ସହରରେ ୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।

ସୂଚନାନୁଯାୟୀ, କୋରାପୁଟ ସହରର ପରଜାସାହିର ସନ୍ନ୍ୟାସୀ ପୂଜାରୀ (୩୫) ନାମକ ଏକ ଯୁବକ କୌଣସି କାମ ପାଇଁ ସ୍ଥାନୀୟ ବନଭାରତୀ କଲୋନୀରେ ରହୁଥିବା ନିଜ ଶାଳୀ ଘରକୁ ଯାଇଥିଲେ। ଘରେ ଶାଳୀ ନ ଥିବାରୁ ଶନିବାର ଭୋର୍‌ ସମୟରେ ନିଜ ଘରକୁ ଫେରୁଥିଲୋ ତେବେ ଫେରିବା ବାଟରେ ନାଗାରାଜୁ ନାମକ ଜଣେ ସେଲୁନ ବ୍ୟବସାୟୀ ଓ ତାଙ୍କ ସ୍ତ୍ରୀ ରତ୍ନାଙ୍କ ସହ ଝଗଡ଼ା ହୋଇଥିଲା। ନାଗାରାଜୁ ଓ ତାଙ୍କ ସ୍ତ୍ରୀ ଦୁହେଁ ସନ୍ନ୍ୟାସୀଙ୍କ ମୁହଁ ଓ ମୁଣ୍ଡକୁ ମୁଥମାରି ରକ୍ତାକ୍ତ ଅବସ୍ଥାରେ ରାସ୍ତା କଡ଼ରେ ପିଙ୍ଗିଦେଇ ଚାଲିଯାଇଥିଲେ।

ଆଜିସକାଳେ ଖବର ପାଇ କୋରାପୁଟ ଟାଉନ ପୋଲିସ ଥାନାଧିକାରୀ ଧୀରେନ ପଟ୍ଟନାୟକଙ୍କ ସହ ଏକ ପୋଲିସ ଦଳ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ପଠାଇବା ସହ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଅତିରିକ୍ତ ଜିଲା ଆରକ୍ଷୀ ଅଧୀକ୍ଷକ ଉତ୍କଳ କେଶରୀ ଦାସ ନେତୃତ୍ୱରେ ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ଯାଇ ତଦନ୍ତ ଜାରି ରଖିଛି। ଟାଉନ ପୋଲିସ ଏହି ଘଟଣାରେ ଥାନାରେ ୩୨୪/୨୧ ଏକ ମାମଲା ରୁଜୁ କରି ଅଭିଯୁକ୍ତ ନାଗାରାଜୁଙ୍କ ସମେତ ଦୁଇ ଜଣଙ୍କୁ ଥାନାରେ ଅଟକ ରଖି ଜେରା କରୁଥିବା ଥାନାଧିକାରୀ ସୂଚନା ଦେଇଛନ୍ତି।