ଭୁବନେଶ୍ୱର, ୧।୧୦: ଟାଇମ୍ସ ହାୟର ଏଜୁକେଶନ ବିଶ୍ୱ ବିଶ୍ୱବିଦ୍ୟାଳୟ ର଼୍ୟାଙ୍କିଙ୍ଗ୍-୨୦୨୭ରେ କିଟ୍ ବିଶ୍ୱବିଦ୍ୟାଳୟ ୪ର୍ଥ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ସ୍ଥାନ ପାଇଛି । ଉକ୍ତ ର଼୍ୟାଙ୍କିଙ୍ଗ୍ରେ କିଟ୍ ବିଶ୍ୱବିଦ୍ୟାଳୟ ସମଗ୍ର ବିଶ୍ୱରେ ଉଲ୍ଳେଖନୀୟ ଭାବେ ୫୦୧+ ର଼୍ୟାଙ୍କରେ ରହିଛି। ଏହି ର଼୍ୟାଙ୍କିଙ୍ଗରେ କିଟ୍ର ନିରନ୍ତର ଅଭିବୃଦ୍ଧି ସହ ଶିକ୍ଷାଦାନର ମାନ, ଗବେଷଣା, ଇଣ୍ଡଷ୍ଟ୍ରି ଏନ୍ଗେଜମେଣ୍ଟ ଏବଂ ଅନ୍ତର୍ଜାତୀୟ ଦୃଷ୍ଟିକୋଣ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପ୍ରତିଫଳିତ ହୋଇଛି । ଏହି ସଫଳତା କିଟ୍ ନେତୃତ୍ୱର ଦୂରଦୃଷ୍ଟି, ଅଧ୍ୟାପିକାଅଧ୍ୟାପକଙ୍କ ନିଷ୍ଠା, ଗବେଷଣା କ୍ଷେତ୍ରରେ ସଫଳତା ଏବଂ ବିଶ୍ୱସ୍ତରରେ ଛାତ୍ରୀଛାତ୍ରଙ୍କ ଆକର୍ଷଣ ପ୍ରତିପାଦନ କରୁଛି । ଏହି ସଫଳତାରେ ଖୁସି ବ୍ୟକ୍ତକରି କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି, ରାଜ୍ୟର ଏକ ବିଶ୍ୱବିଦ୍ୟାଳୟ ବିଶ୍ୱର ୫ଶହ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଉ ବୋଲି ପ୍ରତ୍ୟେକ ରାଜ୍ୟ ଆଶା ପୋଷଣ କରିଥାନ୍ତି। ଅନ୍ୟ ବିଶ୍ୱବିଦ୍ୟାଳୟ ତୁଳନାରେ କିଟ୍ ଅଳ୍ପ ବର୍ଷର ଏକ ବିଶ୍ୱବିଦ୍ୟାଳୟ ହୋଇଥିଲେ ମଧ୍ୟ ବିଶ୍ୱର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇବା ଆନନ୍ଦର ବିଷୟ ବୋଲି ସେ କହିଥିଲେ । ସୂଚନାଯୋଗ୍ୟ, ଏହି ର଼୍ୟାଙ୍କିଙ୍ଗ୍ରେ ଭାରତର ୧୪୩ଟି ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଥିବା ବେଳେ ୧୧୮ ଦେଶର ୨୨୯୭ଟି ବିଶ୍ୱବିଦ୍ୟାଳୟ ଏଥିରେ ସାମିଲ ହୋଇଥିଲେ ।

