ପ୍ରଭାସଙ୍କ ସହ କାମ କରିବାକୁ ଚାହାନ୍ତି କିଚ୍ଚା ସୁଦିପ, ରଖିଛନ୍ତି ଏହି ସର୍ତ୍ତ!

ଚେନ୍ନାଇ: କନ୍ନଡ ଷ୍ଟାର କିଚ୍ଚା ସୁଦିପଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ବିକ୍ରାନ୍ତ ରୋନା’ ଇତିମଧ୍ୟରେ ରିଲିଜ ହୋଇ ସାରିଛି । ଏହି ଫାଣ୍ଟାସି ଆକ୍ସନ-ଆଡଭେନଚର ଡ୍ରାମା ଫିଲ୍ମ କନ୍ନଡ ବ୍ୟତୀତ ତାମିଲ, ତେଲଗୁ, ମଲାୟାଲମ ଓ ହିନ୍ଦୀରେ ବି ରିଲିଜ ହୋଇଛି । ଏହି ଫିଲ୍ମର ପ୍ରମୋଶନ ସମୟରେ ସାକ୍ଷାତ୍‌କାରରେ କିଚ୍ଚା ଆଉ ଜଣେ ପ୍ୟାନ-ଇଣ୍ଡିଆନ ଷ୍ଟାର ପ୍ରଭାସଙ୍କ ସହ କାମ କରିବାର ଇଚ୍ଛା ପ୍ରକାଶ କରିଛନ୍ତି । ଯେକି ବାହୁବଳୀ ଭଳି ବ୍ଲକବୁଷ୍ଟର ଫିଲ୍ମ ଭେଟି ଦେଇଛନ୍ତି ।
କିଚ୍ଚା ସୁଦିପ କହିଛନ୍ତି ପ୍ରଭାସ ଜଣେ ଭଲ ମଣିଷ । ଆମେ ପରସ୍ପରକୁ ଭେଟି ସାରିଛୁ । ଯଦି କୌଣସି ପ୍ରୋଜେକ୍ଟରେ ସେ ପ୍ରଭାସଙ୍କ ସହ କାମ କରିବାର ସୁଯୋଗ ପାଆନ୍ତି ତେବେ ତାଙ୍କୁ ଖ୍ରୁସି ଲାଗିବ ବୋଲି କହିଛନ୍ତି କିଚ୍ଚା ସୁଦିପ । ହେଲେ ଏଥିପାଇଁ ବି ସେ ଏକ ସର୍ତ୍ତ ରଖିନ୍ତି । ପିଙ୍କଭିଲାକୁ ଦେଇଥିବା ସାକ୍ଷାତ୍‌କାରରେ କିଚ୍ଚା କହିଛନ୍ତି ପ୍ରଭାସଙ୍କ ସହ ସେ ଯେଉଁ ପ୍ରୋଜେକ୍ଟରେ କାମ କରିବେ ସେଥିରେ ସେ ଭିଲେନ ଚରିତ୍ର ଜମା ବି କରିବେ ନାହିଁ । ୨୦୧୯ରେ ସଲମାନ ଖାଁଙ୍କ ଫିଲ୍ମ ‘ଦବଙ୍ଗ ୩’ରେ ସେ ଭିଲେନ ଚରିତ୍ରରେ କାମ କରି ବଲିଉଡରେ ଏଣ୍ଟ୍ରି କରିଥିଲେ । ତେବେ ତାଙ୍କୁ ଗ୍ରେ ସେଡସ୍ ଚରିତ୍ରରେ କାମ କରିବାରେ କୌଣସି ଆପତ୍ତି ନାହିଁ ବୋଲି କିଚ୍ଚା କହିଛନ୍ତି । କିନ୍ତୁ ସେ କେବଳ ଭିଲେନ ଚରିତ୍ରରେ ପରଦା ଉପରକୁ ଆସିବାକୁ ଚାହୁଁ ନାହାନ୍ତି । ଦବଙ୍ଗ ୩ରେ ସେ କେବଳ ଭିଲେନ ଚରିତ୍ରରେ ନଜର ଆସିଥିଲେ ତାହା ପୁଣି କେବଳ ସଲମାନଙ୍କ ଖୁସି ପାଇଁ ବୋଲି ସେ କହିଛନ୍ତି । ସଲମାନଙ୍କ ସହ ତାଙ୍କର ଭଲ ସମ୍ପର୍କ ରହିଛି । କିନ୍ତୁ ଅନ୍ୟ ଫିଲ୍ମରେ ସେ କେବଳ ଭିଲେନ ଚରିତ୍ରରେ ନଜର ଆସିବାକୁ ପସନ୍ଦ କରନ୍ତି ନାହିଁ ।

Share