ଦିଗପହଣ୍ଡି, ୨୦।୧୦ (ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ଛାତ୍ର ସଂସଦ ନିର୍ବାଚନ ପରବର୍ତ୍ତୀ ହିଂସା ଓ ହତ୍ୟା ଉଦ୍ୟମ ଅଭିଯୋଗ ଘଟଣାରେ ପୋଲିସ ୨ ଜଣ ଅଣଛାତ୍ରଙ୍କୁ ଗିରଫ କରିଛି। ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ତଦନ୍ତକାରୀ ଅଧିକାରୀ ତଥା ଅତିରିକ୍ତ ଆଇଆଇସି କୃଷ୍ଣମୟୀ ବରାଳ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଜାମିନ ଆବେଦନ ଖାରଜ ହେବା ପରେ ଉଭୟଙ୍କୁ ଦିଗପହଣ୍ଡି ଉପକାରାଗାରକୁ ପଠାଇ ଦିଆଯାଇଛି।
ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଦିଗପହଣ୍ଡି ସାହାଣୀ ସାହିର ରକି ଦାସ (୧୯) ଓ ହିମାଂଶୁ ଦାସ (୧୯)। ପୁଲିସ ସେମାନଙ୍କ ନିକଟରୁ ଆକ୍ରମଣରେ ବ୍ୟବହୃତ ଦୁଇଟି ଲାଠି ଜବତ କରିଛି। ଏହି ଘଟଣାରେ ଦିଗପହଣ୍ଡି ଥାନାରେ ମାମଲା ନମ୍ବର ୪୩୯/୨୬ ରୁଜୁ ହୋଇଥିବା ବେଳେ ଭାରତୀୟ ନ୍ୟାୟ ସଂହିତା (ବିଏନଏସ)ର ବିଭିନ୍ନ ଧାରାରେ ତଦନ୍ତ ଚାଲିଛି।
ସୂଚନା ଅନୁଯାୟୀ, ଗତ ଗୁରୁବାର ଖେମୁଣ୍ଡି କଲେଜ ଛାତ୍ର ସଂସଦ ନିର୍ବାଚନ ହୋଇଥିଲା। ଏଥିରେ ଛାତ୍ର କଂଗ୍ରେସର ପୂର୍ବତନ ଗଞ୍ଜାମ ଜିଲା ସଭାପତି ବିକାଶ ପଶୁପାଳକଙ୍କ ସମର୍ଥିତ ସଭାପତି ପ୍ରାର୍ଥୀ ଡି. ସଞ୍ଜୀବ କୁମାର ଦୋରା, ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ସେଠୀଙ୍କୁ ୩ ଖଣ୍ଡ ଭୋଟ୍ରେ ପରାସ୍ତ କରି ବିଜୟୀ ହୋଇଥିଲେ। ରାଜେନ୍ଦ୍ର ସେଠୀଙ୍କୁ ତାରେଣୀ ପାତ୍ର ଓରଫ ରାଜୁ ସମର୍ଥନ କରୁଥିବା ଅଭିଯୋଗ ହୋଇଛି।
ନିର୍ବାଚନ ପରେ ଏହି ଫଳାଫଳକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିବା କୁହାଯାଉଛି। ଅଭିଯୋଗ ଅନୁସାରେ, ରାତି ପ୍ରାୟ ୧ଟା ସମୟରେ କଲେଜ ନିକଟ ଶୁଣ୍ଡିପଲ୍ଲୀ ଗାଁ ଛକରେ ସଞ୍ଜୀବଙ୍କ ନିର୍ବାଚନ ପ୍ରଚାରରେ ବ୍ୟବହୃତ ରାକେଶ ପଶୁପାଳକଙ୍କ କାର୍କୁ କିଛି ଅଣଛାତ୍ର ଭଙ୍ଗାରୁଜା କରିଥିଲେ। ଏହି ଘଟଣା ପଛରେ ରାଜୁଙ୍କ ଗୋଷ୍ଠୀର ଲୋକଙ୍କ ହାତ ଥିବା ଅଭିଯୋଗ ହୋଇଛି। କାର୍ରେ ଥିବା ଚାଳକ ଶିବଶଙ୍କର ନାହାକ ଓ ତାଙ୍କ ବନ୍ଧୁ ତଥା ମେଶିନ ଅପରେଟର ଦୀପକ ସେଠୀ ଭଙ୍ଗାରୁଜାକୁ ପ୍ରତିବାଦ କରିବାରୁ ସେମାନଙ୍କୁ ଲାଠିରେ ଆକ୍ରମଣ କରାଯାଇଥିବା ଏତଲାରେ ଦର୍ଶାଯାଇଛି। ଏପରିକି ଉଭୟଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।
ଖବର ପାଇ କାର୍ ମାଲିକ ରାକେଶ ପଶୁପାଳକ ଘଟଣାସ୍ଥଳରେ ପହଞ୍ଚି ଆହତ ଦୁଇ ଜଣଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଛାତ୍ର ସଂସଦ ନିର୍ବାଚନ ସହ ଆହତ ଦୁଇ ଜଣଙ୍କର କୌଣସି ସମ୍ପର୍କ ନଥିବା ସତ୍ତ୍ୱେ ସେମାନଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗରେ କାର୍ ମାଲିକ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ଏତଲା ଆଧାରରେ ଥାନାଧିକାରୀ କିଶୋର କୁମାର ସାମଲ ମାମଲା ରୁଜୁ କରି ତଦନ୍ତ ଦାୟିତ୍ୱ ଅତିରିକ୍ତ ଆଇଆଇସିଙ୍କୁ ଦେଇଥିଲେ। ତଦନ୍ତ ପରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ପୋଲିସ ସୂଚନା ଅନୁଯାୟୀ, ରକି ଦାସଙ୍କ ନାମରେ ପୂର୍ବରୁ ଦିଗପହଣ୍ଡି ଥାନାରେ ୫ଟି ଗୁରୁତର ଅପରାଧିକ ମାମଲା ଥିବା ବେଳେ ହିମାଂଶୁ ଦାସଙ୍କ ନାମରେ ୪ଟି ମାମଲା ରହିଛି। ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ପୋଲିସର ତଦନ୍ତ ଜାରି ରହିଛି।