ବାଙ୍ଗିରିପୋଷି ରେଳଷ୍ଟେଶନ ପରିଦର୍ଶନ କଲେ ଖଡଗପୁର ଡିଆରଏମ୍‌

ବାଙ୍ଗିରିପୋଷି, ୨୦।୧୧(ଡି.ଏନ.ଏ.): ଡିଭିଜନାଲ ରେଲୱେ ମ୍ୟାନେଜର, ଖଡଗପୁର ଡିଭିଜନ ଏମ.ଡି. ସରତ ହସିମ୍‌ ଏକ ସ୍ବତନ୍ତ୍ର ଟ୍ରେନ ଯୋଗେ ଶନିବାର ବାଙ୍ଗିରିପୋଷି ରେଳ ଷ୍ଟେଶନରେ ପହଞ୍ଚିଥିଲେ। ତାଙ୍କ ସହିତ ରେଳ ବିଭାଗର ବିଭିନ୍ନ ଉଚ୍ଚପଦସ୍ଥ ଅଧିକାରୀମାନେ ପରିଦର୍ଶନରେ ଆସି ରେଳଷ୍ଟେଶନ ପ୍ଲାଟଫର୍ମ, ସଂଯୋଗ କରୁଥିବା ରାସ୍ତା, ଜଳଯୋଗାଣ, ଟିକେଟ ବିକ୍ରି, ରେଳ ଷ୍ଟେଶନର ସମସ୍ତ ସମସ୍ୟା ଅନୁଧ୍ୟାନ କରିଥିଲେ। ପରିଦର୍ଶନ ସମୟରେ ରେଳ କ୍ରିୟାନୁଷ୍ଠାନ କମିଟି ବାଙ୍ଗିରିପୋଷି ତରଫରୁ ଏକ ଦାବିପତ୍ର ସମ୍ପାଦକ ଶାନ୍ତନୁ କୁମାର ଦାଶ ପ୍ରଦାନ କରିଥିଲେ। ଦାବିଗୁଡିକ ମଧ୍ୟରୁ ରିଜର୍ଭେସନ କାଉଣ୍ଟର ଖୋଲିବା, ବାଙ୍ଗିରିପୋଷି-ଗୋରୁମହିଷାଣି ରେଳ ଲାଇନ କାର୍ଯ୍ୟ ଶୀଘ୍ର ଆରମ୍ଭ କରିବା, ପୂର୍ଣ୍ଣାଙ୍ଗ ରେଳଷ୍ଟେଶନରେ ପରିଣତ କରିବା, ରୂପ୍‌ସାଠାରୁ ସକାଳୁ ଆସୁଥିବା ରୂପ୍‌ସା-ଭଞ୍ଜପୁର ଡିଏମୟୁ ଟ୍ରେନକୁ ବାଙ୍ଗିରିପୋଷିକୁ ସମ୍ପ୍ରସାରଣ କରିବା, ପୁରୀ-ଭଞ୍ଜପୁର ଟ୍ରେନକୁ ଓ ସାଲିମାର-ଶିମଳିପାଳ ଏକ୍ସପ୍ରେସ ଟ୍ରେନକୁ ବାଙ୍ଗିରିପୋଷି ରେଳଷ୍ଟେଶନକୁ ସମ୍ପ୍ରସାରିତ କରିବା, ଏକ ଜିଆରପି ଆଉଟପୋଷ୍ଟ ବାଙ୍ଗିରିପୋଷିରେ ଖୋଲିବା, ଶକ୍ତିଶାଳୀ ଏକ ଜେନେରେଟର ବସାଇବା, ଟ୍ରେନରେ ପ୍ରତ୍ୟେକ ଦିନ ଟିକେଟ ତନଖି ବନ୍ଦୋବସ୍ତ କରିବା, ମହିଳାମାନଙ୍କ ପାଇଁ ବିଶ୍ରାମ କକ୍ଷ ନିର୍ମାଣ କରିବା, ବିଶୁଦ୍ଧ ଥଣ୍ଡା ପାଣି ଯୋଗାଇବା ଆଦି ଦାବି ଦିଆଯାଇଥିଲା। ସମସ୍ତ ଦାବୀକୁ ଶୀଘ୍ର ବିଚାରକୁ ନିଆଯିବ ବୋଲି ଡିଆରଏମ୍‌ ପ୍ରକାଶ କରିଥିଲେ। ସେହିପରି ବୁଡାମରା ରେଳଷ୍ଟେଶନରେ ସୁପରଫାଷ୍ଟ ଟ୍ରେନ ଅଟକିବା ପାଇଁ ଦୀର୍ଘଦିନରୁ ଦାବି ହୋଇ ଆସୁଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇପାରୁ ନ ଥିବା ବେଳେ ଏକ ପ୍ରତିନିଧି ଦଳ ଡିଆରଏମ୍‌କୁ ସାକ୍ଷାତ କରିବା ସହ ଏକ ଦାବିପତ୍ର ପ୍ରଦାନ କରିଥିଲେ।