କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ ପ୍ରସୂତି ମହିଳାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏ ନେଇ ପରିବାର ଲୋକେ ଜିଲାପାଳଙ୍କୁ ଅଭିଯୋଗକରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସୂଚନା ଅନୁସାରେ ନର୍ଲା ବ୍ଲକ ଗିଗିନା ପଞ୍ଚାୟତ ଚୌକିପଦର ଗ୍ରାମ ମାଝୀପଡାର ସୁରଜିତ ମାଝୀ ସ୍ତ୍ରୀ ବେଲ ମାଝୀ (୩୪)ଙ୍କ ପ୍ରସବ ତାରିଖ ନିକଟତର ହୋଇଥିବାରୁ ଗତ ୧୩ତାରିଖରେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏପରି ସ୍ଥଳେ ୧୪ ତାରିଖ ସକାଳ ସାଢେ ୫ଟା ସମୟରେ ବେଲ ଡାକ୍ତରଖାନାର ଶୌଚାଳୟକୁ ପରିସ୍ରା ପାଇଁ ଯାଇଥିବାବେଳେ ସେଠାରେ ଏକ ମୃତ ଶିଶୁପୁତ୍ର ଜନ୍ମ ଦେଇଥିଲେ। ଏହାପରେ ପ୍ରଚୁର ରକ୍ତସ୍ରାବ ଯୋଗୁ ବେଲ ଗୁରୁତର ହୋଇପଡ଼ିଥିଲେ। ଏହି ସମୟରେ କାର୍ଯ୍ୟରତ ନର୍ସିଂ ଅଫିସର ଅନୁପସ୍ଥିତ ଥିବାବେଳେ ସ୍ବାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ତଥା ସ୍ତ୍ରୀରୋଗ ବିଶେଷଜ୍ଞ ସକାଳ ସାଢେ ୬ଟାରେ ତାଙ୍କୁ ଭବାନୀପାଟଣା ମୁଖ୍ୟ ହସ୍ପିଟାଲକୁ ରେଫର କରିଥିଲେ। ହେଲେ ହସ୍ପିଟାଲ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ କହିଛନ୍ତି। ପରେ ସେମାନେ ଏ ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହାସହ ସ୍ତ୍ରୀରୋଗ ବିଶେଷଜ୍ଞ କିମ୍ବା ନର୍ସିଂ ଅଫିସର ନ ଥିବାରୁ ନବଜାତ ଶିଶୁପୁତ୍ର ଓ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି ବୋଲି ସୁରଜିତ ସୋମବାର ଅନୁଷ୍ଠିତ ଜିଲାପାଳଙ୍କ ଜନଶୁଣାଣି ଶିବରରେ ଅଭିଯୋଗ କରିଛନ୍ତି। ଜିଲାପାଳ ଏ ଦିଗରେ ପଦକ୍ଷେପ ନେବାକୁ ସିଡିଏମ୍ଓଙ୍କୁ ନିର୍ଦ୍ଦେଶ ଦେଇଥିବା ସୁରଜିତ କହିଛନ୍ତି। ଏ ନେଇ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡା. ପ୍ରୟାଗ ପ୍ରତିଶୁତି ମାଝୀଙ୍କୁ ପଚାରିବାରୁ ଗରିବ ଲୋକ ହୋଇଥିବାରୁ ବହୁ ସୁବିଧା ଓ ଯତ୍ନ ସହକାରେ ଚିକିତ୍ସା ସେବା କରାଯାଇଛି ବୋଲି ପ୍ରକାଶ କରିଥିଲେ।


